ଭୁବନେଶ୍ବର: ୟୁଟ୍ୟୁବ୍ ଏବେ ଆମ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହା କେବଳ ଏକ ମନୋରଞ୍ଜନର ମାଧ୍ୟମ ହୋଇ ରହିନାହିଁ। ତଥ୍ୟ ସଂଗ୍ରହ କରିବା, ପ୍ରତିଭା ପ୍ରଦର୍ଶନ ଓ ଟଙ୍କା ଉପାର୍ଜନର ଏକ ବଡ଼ ମାଧ୍ୟମ ପାଲଟିଛି। ଏହାଦ୍ବାରା ବିଭିନ୍ନ ରାଜ୍ୟ, ଦେଶର ସଂସ୍କୃତି, ପରମ୍ପରା, ଐତିହ୍ୟର ପ୍ରଚାରପ୍ରସାର ହେଉଛି। ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ଯୁବପିଢ଼ିଙ୍କୁ ଆଉ ବଡ଼ ମଞ୍ଚ କିମ୍ବା କାହାର ସହାୟତାର ଆବଶ୍ୟକ ପଡ଼ୁନାହିଁ। ଇଣ୍ଟରନେଟ୍ର ଯୁଗରେ ଷ୍ଟାର୍ ହେବା ଆଉ କିଛି ବଡ଼ କଥା ହୋଇନାହିଁ। ୟୁଟ୍ୟୁବ୍ ଦ୍ବାରା ଷ୍ଟାର୍ ହୋଇଥିବା ଏଭଳି କିଛି ବ୍ୟକ୍ତିତ୍ବ ବା ୟୁଟ୍ୟୁବର୍ଙ୍କୁ ନେଇ ଏଥରର ଆମ ଉପସ୍ଥାପନା।
ଘରେ ବସି ଟଙ୍କା ରୋଜଗାର କରିବାର ମାଧ୍ୟମ
ଘରେ ବସି ଟଙ୍କା ରୋଜଗାର କରିବାର ଏକ ମୁଖ୍ୟ ମାଧ୍ୟମ ପାଲଟିଛି ୟୁଟ୍ୟୁବ। ୟୁଟ୍ୟୁବରେ ଦର୍ଶକ ବଢ଼ିଲେ ଓ ଅଧିକ ଦର୍ଶକ ଭିଡିଓକୁ ଦେଖିଲେ ସେତେ ଅଧିକ ଟଙ୍କା ରୋଜଗାର ହୋଇଥାଏ। ୧୦୦୦ ସବ୍ସ୍କ୍ରାଇବର୍ ଓ ୪ ହଜାର ୱାଚ୍ ଟାଇମ୍(ଦେଖିବା ସମୟ) ହେଲେ ୟୁଟ୍ୟୁବ, ୟୁଟ୍ୟୁବର୍କୁ ଟଙ୍କା ଦେବା ଆରମ୍ଭ କରେ। ପପିଙ୍ଗ୍ ଡ୍ୟାନି ୟୁଟୁବ ଚ୍ୟାନେଲର ଡ୍ୟାନିସ ପ୍ରଧାନ କହିଛନ୍ତି, ୧୦୦୦ ସବ୍ସ୍କ୍ରାଇବର୍ ଓ ୪ ହଜାର ୱାଚ୍ ଟାଇମ୍ ହୋଇଗଲେ ୟୁଟ୍ୟୁବର୍ ୟୁଟ୍ୟୁବକୁ ଏକ ମେଲ୍ କରିବେ। ୟୁଟ୍ୟୁବ ମେଲକୁ ରିଭ୍ୟୁ କରିବା ପରେ ରିଟର୍ଣ୍ଣ ମେଲ୍ ଆସେ। ଏହାପରେ ୟୁଟ୍ୟୁବର ଗୁଗୁଲ ଆଡସେନସ୍ରେ ନିଜର ନାମ ଓ ପରିଚୟପତ୍ର ଦେଇ ଏକ ଆକାଉଣ୍ଟ ଖୋଲନ୍ତି। ଏହାପରେ ଭିଡିଓରେ ଯେତେ ବିଜ୍ଞାପନ ବାଜେ, ସେହି ଅନୁସାରେ ଗୁଗଲ୍ ପକ୍ଷରୁ ୟୁଟ୍ୟୁବକୁ ୪୦ ପ୍ରତିଶତ ଓ ୟୁଟୁବରକୁ ୬୦ ପ୍ରତିଶତ ଟଙ୍କା ମିଳିଥାଏ।
ରାତାରାତି ଷ୍ଟାର ଇଶାକ୍
କୋରାପୁଟର ଦିନ ମଜୁରିଆ ଇଶାକ୍ ମୁଣ୍ଡା ରାତାରାତି ୟୁଟ୍ୟୁବ୍ ଷ୍ଟାର ପାଲଟିଯିବା କଥା କାହାକୁ ବା ଅଛପା। ୨୦୨୦ କରୋନା ଲକ୍ଡାଉନ୍ ସମୟରେ ରୋଜଗାର ହରାଇ ଘରେ ବସିଥିବା ବେଳେ ୟୁଟ୍ୟୁବ୍ ମଧ୍ୟମରେ ସେ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିଥିଲେ। ଜଣେ ଦିନ ମଜୁରିଆ କେବଳ କିଛି ଭିଡିଓ କରି ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାକୁ ସକ୍ଷମ ହୋଇଥିଲେ। ତାଙ୍କର ଏହି ସଫଳତା କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମନ୍ କି ବାତ୍ରେ ବି ଦୋହରାଇଥିଲେ।
ଦର୍ଶକଙ୍କ ମତକୁ ଗ୍ରହଣ କରିବା ଆବଶ୍ୟକ
/sambad/media/post_attachments/wp-content/uploads/2022/09/25-23.jpg)
କମେଡି ଭିଡିଓ ପାଇଁ ୟୁଟ୍ୟୁବ୍ର ଆଶିଷ କୁମାର ଦାସ ଘରେ ଘରେ ମିଷ୍ଟର ଗୁଲୁଆ ଭାବେ ପରିଚିତ। ସେ କୁହନ୍ତି, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଉଚ୍ଚକୋଟୀର କମେଡି ସୋ’ଗୁଡ଼ିକ ପରେ ଓଡ଼ିଆ ଦର୍ଶକଙ୍କୁ ଓଡ଼ିଆ କମେଡି ଆଡ଼କୁ ଟାଣିବା ବହୁ କଷ୍ଟକର ବ୍ୟାପାର ଥିଲା। ପ୍ରଥମେ ଭଲ ପ୍ରତିକ୍ରିୟା ବି ଆସୁ ନଥିଲା। କିନ୍ତୁ ଧୀରେଧୀରେ ଲୋକମାନେ ଆମ କମେଡି ପସନ୍ଦ କରିବା ଆରମ୍ଭ କଲେ। ନିଜ ଆଞ୍ଚଳିକ ଭାଷାରେ ଓ ଦୈନନ୍ଦିନ ଜୀବନରେ ଭେଟୁଥିବା ଅନେକଗୁଡ଼ିଏ ଚରିତ୍ରକୁ ନେଇ ଆମେ ନିରନ୍ତର ଭିଡିଓ କରୁଥିବାରୁ ଏହା ଦର୍ଶକମାନଙ୍କୁ ବେଶ୍ ଛୁଇଁଥିଲା।
ସମୟକ୍ରମେ ମିଷ୍ଟର ଗୁଲୁଆ ୟୁଟ୍ୟୁବ ଚ୍ୟାନେଲର ଫଲୋୟର୍ସ ବଢ଼ିଥିଲେ। ଏବେ ତାଙ୍କ ଫଲୋୟର୍ ସଂଖ୍ୟା ୧୩ ଲକ୍ଷରେ ପହଞ୍ଚିଛି। ଶ୍ରୀ ଦାସ କହିଛନ୍ତି, ବହୁ ସଂଘର୍ଷ ପରେ ମୋତେ ସଫଳତା ମିଳିଛି, ଆଗକୁ ବଢ଼ିବା ପାଇଁ ମଧ୍ୟ ପରିଶ୍ରମ ଜାରି ରଖିଛି। ଯଦି ଜଣେ ଏଥିରେ କ୍ୟାରିୟର କରିବା ପାଇଁ ଚାହୁଛନ୍ତି; ସେ ପ୍ରଥମେ ନିଜର ଅନ୍ତର୍ନିହିତ କଳାକୁ ଜାଣିବା ଆବଶ୍ୟକ। ରୋଷେଇ, ଭ୍ରମଣ, ସୌଦର୍ଯ୍ୟ, ଶିକ୍ଷାଦାନ, ନୃତ୍ୟ ଓ ସଙ୍ଗୀତ ଆଦିରେ ନିଜର ଦକ୍ଷତା ଦେଖାଇବା ପାଇଁ ଏଥିରେ ବର୍ତ୍ତମାନ ବହୁ ନୂଆ ନୂଆ ଫିଚର ଆସିଲାଣି। ପ୍ରତି ଭିଡିଓରେ ଆସୁଥିବା ଦର୍ଶକଙ୍କ ମତକୁ ସ୍ୱାଗତ କରି ନିଜକୁ ମାର୍ଜିତ କଲେ ଏଥିରେ ମଧ୍ୟ ଭଲ କ୍ୟାରିୟର୍ ହୋଇପାରିବ ବୋଲି ଶ୍ରୀ ଦାସ ମତ ଦେଇଛନ୍ତି।
ଏବେ ସମସ୍ତଙ୍କ ପସନ୍ଦ ସର୍ଟସ୍
/sambad/media/post_attachments/wp-content/uploads/2022/09/26-19.jpg)
Duration Sort for YouTube Subscriptions
ବ୍ୟସ୍ତବହୁଳ ଜୀବନରେ କାମରୁ ଫୁରସତ୍ ପାଇ ଲୋକେ ଟିକେ ହସିବାକୁ ଚାହାନ୍ତି। ୟୁଟ୍ୟୁବ ସର୍ଟସ୍ ଏବେ ଲୋକମାନଙ୍କ ଏହି ଚାହିଦାକୁ ପୂରଣ କରୁଛି। କମେଡି, ଛୋଟ ଛୋଟ ଡ୍ୟାନ୍ସ ଷ୍ଟେପ୍, ପ୍ରେରଣାଦାୟୀ ବାର୍ତା, କେଶସଜ୍ଜା, ସହଜ ଉପାୟରେ ଶାଢ଼ିପିନ୍ଧା, ପାର୍ଟି ଲୁକ୍, ଡ୍ରଇଂ ଆଦି ବିଭିନ୍ନ ବିଷୟବସ୍ତୁକୁ ନେଇ ୩୦ ସେକେଣ୍ଡର ଭିଡିଓ କରି ୟୁଟ୍ୟୁବରମାନେ ୟୁଟ୍ୟୁବରେ ଛାଡ଼ିଥାନ୍ତି। ଏହାକୁ ୟୁଟ୍ୟୁବ ସର୍ଟସ୍ କୁହାଯାଏ। ଯାହାକି ଆଜିକା ସମୟରେ ଟ୍ରେଣ୍ଡ୍ରେ ରହିଛି। ୟୁଟ୍ୟୁବର୍ ଡ୍ୟାନିସ ପ୍ରଧାନଙ୍କ ମତରେ ୟୁଟ୍ୟୁବ୍ ସର୍ଟସ୍ ଦ୍ୱାରା ଅଳ୍ପ ସମୟ ମଧ୍ୟରେ ସେ ନିଜର ୟୁନିକ ଷ୍ଟେପ୍କୁ ଦେଖାଇ ଦର୍ଶକଙ୍କୁ ତାଙ୍କ ଚ୍ୟାନେଲ ଆଡ଼କୁ ଆକୃଷ୍ଟ କରିପାରୁଛନ୍ତି। ୟୁଟ୍ୟୁବ୍ରେ ତାଙ୍କ ଚ୍ୟାନେଲ ଲୋକପ୍ରିୟ ହେବା ସହ ତାଙ୍କ ନିଜ ଡ୍ୟାନସିଂ ଷ୍ଟାଇଲ୍ ମଧ୍ୟ ବିକଶିତ ହେଉଛି। ଏହିପରି ଭାବେ ତାଙ୍କର ଚ୍ୟାନେଲ ବୃଦ୍ଧି ହେଲେ ଭବିଷ୍ୟତରେ ଏକ ବଡ଼ ଡ୍ୟାନ୍ସ ଷ୍ଟୁଡିଓ ଖୋଲିବା ପାଇଁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି।
ରିଲ୍ ନୁହେଁ, ରିଅଲ୍ ଭିଡିଓ ଯୁବପିଢ଼ିଙ୍କ ପସନ୍ଦ
/sambad/media/post_attachments/wp-content/uploads/2022/09/27-19.jpg)
GENEO
କେବଳ ମନୋରଞ୍ଜନ ପାଇଁ ଯୁବପିଢ଼ି ୟୁଟ୍ୟୁବ୍ ଦେଖିବାକୁ ପସନ୍ଦ କରନ୍ତି ନାହିଁ। ନିଜ ଜ୍ଞାନର ପରିସୀମା ବୃଦ୍ଧି ତଥା କିଛି ରୋଚକ ଏବଂ ନୂଆ କଥା ଦେଖିବାକୁ ବି ଯୁବପିଢ଼ି ଆଗ୍ରହୀ। ଏଣୁ ଏବେ ୟୁଟ୍ୟୁବ ଅନ୍ଲାଇନ୍ କୋଚିଂ କ୍ଲାସ୍ ଭାବେ ଉଭା ହୋଇଛି। ଏଥିରେ ଏବେ ଆଇଏଏସ୍, ଓଏଏସ୍, ଏସ୍ଓ, ଓପିଏସ୍ସି ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର କୋଚିଂ ଭିଡିଓ ଅପ୍ଲୋଡ୍ ହେଉଛି। ଏଥିସହ ବିଭିନ୍ନ ଶ୍ରେଣୀର ପାଠ୍ୟକ୍ରମକୁ ନେଇ ଟିଚିଂ ଭିଡିଓ, ଦେଶ, ବିଦେଶ ଓ ରାଜ୍ୟ ସମ୍ପର୍କରେ ସାଧାରଣ ଜ୍ଞାନଠାରୁ ଆରମ୍ଭ କରି ସମସ୍ତ ପ୍ରକାର ତଥ୍ୟକୁ ନେଇ ଶିକ୍ଷଣୀୟ ରିୟଲ୍ ଭିଡିଓ ବି ୟୁଟ୍ୟୁବରେ ଛଡ଼ାଯାଉଛି।
ରଶ୍ମି ଟ୍ୟୁଟୋରିଆଲର ୟୁଟ୍ୟୁବର୍ ରଶ୍ମିରେଖା ଭୂୟାଁ କହିଛନ୍ତି, କରୋନା କାଳରେ ସରକାରଙ୍କ ଅନଲାଇନ୍ ଶିକ୍ଷା ପ୍ରଚଳନ ଫଳରେ ଛାତ୍ରଛାତ୍ରୀମାନେ ଡିଜିଟାଲ୍ମୁହାଁ ହୋଇଥିଲେ। ଏହାକୁ ନଜରରେ ରଖି ମୁଁ ଉଚ୍ଚଶିକ୍ଷା ପାଠପଢ଼ା ସହ ଛାତ୍ରଛାତ୍ରୀଙ୍କୁ ବହୁ ତଥ୍ୟଭିତ୍ତିକ ଖବର ୟୁଟ୍ୟୁବ୍ରେ ଦେବା ଆରମ୍ଭ କରିଥିଲି। ଏବେ ଯୁବପିଢି ରିଲ୍ ଭିଡିଓ ଅପେକ୍ଷା ରିଅଲ୍ ଭିଡିଓ ବେଶି ପସନ୍ଦ କରୁଛନ୍ତି। ତେଣୁ ମୁଁ ସର୍ବଦା ଭିଡିଓକୁ ରିଅଲ ଓ ନୂଆ କରିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି, ୟୁଟ୍ୟୁବ୍କୁ ବୃତ୍ତି କରିବା ଜଣଙ୍କର ଦ୍ୱିତୀୟ ପସନ୍ଦ ହେବା ଉଚିତ। ବିଶ୍ୱ ବଜାରରେ ବର୍ତ୍ତମାନ ୟୁଟ୍ୟୁବର ଚାହିଦା ରହିଛି। ଏହାକୁ ବୃତ୍ତି କରିବାକୁ ହେଲେ ଧୈର୍ଯ୍ୟ ସହ ସୃଜନଶୀଳତାର ଆବଶ୍ୟକତା ରହିଛି।
ଅବସାଦ ଦୂରେଇବାକୁ ପ୍ରୟାସ
ଯୁବପିଢ଼ିଙ୍କ ମଧ୍ୟରେ ଏବେ ଆତ୍ମହତ୍ୟାପ୍ରବଣତା ବଢ଼ିବାରେ ଲାଗିଛି। ପ୍ରେମ, ଜୀବିକା ଆଦିରେ ବିଫଳତାକୁ ନେଇ ଲୋକମାନେ ଅବସାଦଗ୍ରସ୍ତ ହେଉଥିବା ବେଳେ ଅନେକ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନିଅନ୍ତି। ଯୁବପିଢ଼ିଙ୍କୁ ଏଥିରୁ ବିମୁଖ କରିବା ପାଇଁ ଏବେ କିଛି ସକାରାତ୍ମକ ବାତାବରଣର ଆବଶ୍ୟକତା ରହିଥିବା ବେଳେ ପ୍ରେରଣାଦାୟୀ ବକ୍ତା(ମୋଟିଭେସ୍ନାଲ୍ ସ୍ପିକର୍)ଙ୍କର ଆବଶ୍ୟକତା ରହିଛି। ୟୁଟ୍ୟୁବ ଏବେ ଏନେଇ ବେଶ୍ ସହାୟକ ହୋଇଛି। ‘ଅଭିଜିତ୍ ଓଡ଼ିଶା’ ୟୁଟ୍ୟୁବର ଅଭିଜିତ ବିଶ୍ୱାସ କହିଛନ୍ତି, କରୋନା ପରେ ମଣିଷ ଅଧିକ ଅବସାଦ ଦେଇ ଗତି କରୁଥିବା ବେଳେ ସେମାନଙ୍କୁ ସେହି ଅବସାଦ ଭିତରୁ ଟାଣି ଆଣିବାକୁ ମୁଁ ମୋ ଚ୍ୟାନେଲ ମାଧ୍ୟମରେ ଚେଷ୍ଟା କରେ। ଜୀବନର ବହୁ ସକାରାତ୍ମକ ଦିଗ ଦେଖାଇ ଓ ମୁଦ୍ରାର ଦୁଇ ପାର୍ଶ୍ବ ଭଳି ସୁଖ, ଦୁଃଖର ପରିଭାଷା ଲୋକଙ୍କୁ ବୁଝାଇବା ମୋ ଚ୍ୟାନେଲର ମୁଖ୍ୟ ଉଦ୍ଦେଶ୍ୟ।