ଶେଷ ହେଲା ନୃତ୍ୟମ୍ବଦା

ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ‘ଓଡ଼ିଶା ଡ୍ୟାନ୍ସ ଏକାଡେମି’ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହାର ଦୁଇଦିନିଆ ବାର୍ଷିକ ନୃତ୍ୟୋତ୍ସବ ‘ନୃତ୍ୟମ୍ବଦା’ ଆଜି ଉଦ୍‌ଯାପିତ ହୋଇଯାଇଛି। ମା’ ଦୁର୍ଗାଙ୍କୁ ସ୍ମରଣ କରି ମଞ୍ଚରେ ପ୍ରଥମେ ପରିବେଷିତ ହୋଇଥିଲା ‘ଦେବୀ ସ୍ତୁତି’। ଗୁରୁ କେଳୁଚରଣ ମହାପାତ୍ରଙ୍କ ନୃତ୍ୟ ସଂଯୋଜନା ଏବଂ ଗୁରୁ ଯୁଧିଷ୍ଠିର ନାୟକ ଓ ରୁଦ୍ର ପ୍ରସାଦ ସ୍ୱାଇଁଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଏକାଡେମିର ଛାତ୍ରଛାତ୍ରୀ ଏହି ନୃତ୍ୟ ପରିବେଷଣ କରିଥିଲେ। ଏହା ପରେ ପରେ ପଲ୍ଲୀ ନୃତ୍ୟରେ ‘ଛୋଟ ମୋର ଗାଁଟି’, ବଟୁ ନୃତ୍ୟ, ମୋହନ ପଲ୍ଲବୀ, ବସନ୍ତ ପଲ୍ଲବୀ, ଆଦିବାସୀ ନୃତ୍ୟ ‘ଢେମସା’ ଓ ଶେଷରେ ଓଡ଼ିଶୀ ନୃତ୍ୟାଭିନୟ ‘କାଞ୍ଚି ଅଭିଯାନ’ ଆଦି ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ଗୁରୁ ରାମହରି ଦାସ, ଗୁରୁ ରତିକାନ୍ତ ମହାପାତ୍ର, ସୁରମଣି ରମେଶ ଦାସ ଓ ମଧୁସ୍ମିତା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ‘ଓଡ଼ିଶା ଡ୍ୟାନ୍ସ ଏକାଡେମି’ର ମୁଖ୍ୟ ପଦ୍ମଶ୍ରୀ ଅରୁଣା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର