ଅପରାଧ ସମୀକ୍ଷା ବୈଠକରେ ଡିସିପିଙ୍କ ଗୁରୁମନ୍ତ୍ର: ତଦନ୍ତ ସାରିବାକୁ ତାଗିଦ

ଭୁବନେଶ୍ବର: ଥାନାକୁ ଆସୁଥିବା ପ୍ରତିଟି ଲୋକଙ୍କୁ ଭଲ ବ୍ୟବହାର କର। ଆଚରଣରେ ପରିବର୍ତ୍ତନ ଆଣ ଓ ଅଭିଯୋଗକାରୀଙ୍କ କଥା ଶୁଣ। ସେମାନେ ଥାନାରୁ ନିରାଶ ହୋଇ ନ ଫେରନ୍ତୁ ଏବଂ ସେମାନଙ୍କ ପ୍ରତି ପୁଲିସ ଖରାପ ବ୍ୟବହାର କରିଛି ବୋଲି ଅଭିଯୋଗ ନ ଆସୁ। ଆଜି ଭୁବନେଶ୍ବର ଡିସିପି କାର୍ଯ୍ୟାଳୟରେ ଅନୁଷ୍ଠିତ ମାସିକ ଅପରାଧ ସମୀକ୍ଷା ବୈଠକରେ ଡିସିପି ପ୍ରତୀକ ସିଂହ ସବୁ ଥାନା ଅଧିକାରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି। ସେହିଭଳି ବିଭିନ୍ନ ମାମଲାକୁ ତନ୍ନତନ୍ନ କରି ବିଶ୍ଳେଷଣ କରିବାକୁ ସେ ନବାଗତଙ୍କୁ ଗୁରୁମନ୍ତ୍ର ଦେଇଥିଲେ।

ସୂଚନାଯୋଗ୍ୟ, ରାଜଧାନୀର ନିର୍ଦ୍ଦିଷ୍ଟ କିଛି ଥାନାରେ ଲୋକଙ୍କୁ ଖରାପ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହୋଇଆସୁଛି। ତେଣୁ ଏଭଳି ଅପବାଦରୁ ମୁକୁଳିବାକୁ ପୁଲିସ ଅଧିକାରୀମାନେ ସଚେତନ ହେବାକୁ କହିଥିଲେ। ଏହି ଅବସରରେ ସେ ନବାଗତ ପୁଲିସ ଏସ୍‌ଆଇମାନଙ୍କୁ ଅଧିକ କର୍ମତତ୍ପର ହେବାକୁ ପରାମର୍ଶ ଦେଇଥିଲେ। ନୂତନ ଭାବେ ଚାକିରି ପାଇଥିବା ପ୍ରାୟ ୫୦ ସବ୍‌ଇନ୍ସପେକ୍ଟର୍‌ଙ୍କୁ ପରୀକ୍ଷାମୂଳକ ଭାବେ ୨ମାସ ପାଇଁ ରାଜଧାନୀର ବିଭିନ୍ନ ଥାନାରେ କାର୍ଯ୍ୟ କରୁଛନ୍ତି। ଅପରାଧୀଙ୍କୁ କିଭଳି ତୁରନ୍ତ ଗିରଫ କରିହେବ, ସେନେଇ ଡିସିପି ଶ୍ରୀ ସିଂ ମାମଲାର ଡିଟେକ୍‌ସନ ବା ବିଶ୍ଳେଷଣ ବାବଦରେ ବୁଝାଇଥିଲେ। ବିଶେଷକରି ଚୋରି, ଛିନ୍‌ତାଇ, ଠକେଇ, ଲୁଟ୍ ଓ ଡକାୟତି ଭଳି ମାମଲାରେ ଅପରାଧୀଙ୍କୁ ଚିହ୍ନଟ କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ। ସେ କହିଥିଲେ ଯେ ଲୋକଙ୍କ ଚୋରି ସାମଗ୍ରୀ ଜବତ କରିବା ଗୁରୁତ୍ବପୂର୍ଣ୍ଣ। ଯଦି ଅପରାଧୀଙ୍କୁ ଗିରଫ କରିବା ବିଳମ୍ବ ହୁଏ, ଚୋରି ସାମଗ୍ରୀ ଜବତ କରିବା କାଠିକର ପାଠ ହୋଇଯାଏ। ତେଣୁ ଅର୍ଥ ଲୁଟ୍‌ ବା ସମ୍ପତ୍ତି ହଡ଼ପଜନିତ ଅପରାଧକୁ ନେଇ ଅଧିକ ତତ୍ପର ହେବାକୁ ବା ଧ୍ୟାନ ଦେବାକୁ ସେ ନବାଗତଙ୍କୁ କହିଥିଲେ। ସେହିଭଳି ଏହି ଅବସରରେ ବିଭିନ୍ନ ଥାନାରେ ବର୍ଷ ବର୍ଷ ଧରି ଗଡ଼ୁଥିବା ହଜାର ହଜାର ମାମଲାର ତଦନ୍ତ ଶେଷ କରି କୋର୍ଟରେ ଫାଇନାଲ୍ ରିପୋର୍ଟ ଦାଖଲ କରିବା ଉପରେ ଆଲୋଚନା ହୋଇଥିଲା। ବିଭିନ୍ନ ଥାନାକୁ ଦିଆଯାଇଥିବା ଟାର୍ଗେଟ୍‌ ବାବଦରେ ଡିସିପି ପଚାରିଥିଲେ। ନୂଆପଲ୍ଲୀ, ଖଣ୍ଡଗିରି, ମଞ୍ଚେଶ୍ବର ଓ ସହିଦନଗର ଭଳି ପ୍ରମୁଖ ଥାନାକୁ ପ୍ରତିମାସରେ ୧୦୦ ଲେଖାଁଏ ମାମଲା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର