ବନ୍ଦ ହୋଇଯିବ ମୁକ୍ତାକାଶ ସଂଗ୍ରହାଳୟ: ଅଧିକାରୀଙ୍କ ବେପରୱା କାମ, ବରବାଦ ହେଲା ୩ କୋଟି

ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ’ ନିର୍ମାଣ କରିବାକୁ ଯୋଜନା, ପ୍ଲାଣ୍ଟକୁ ସ୍ଥାନୀୟ ଲୋକଙ୍କ ବିରୋଧ

ଭୁବନେଶ୍ବର: ବନ୍ଦ ହୋଇଯିବ ଓଡ଼ିଶାର ପ୍ରଥମ ତଥା ଏକମାତ୍ର ଅନ୍ତର୍ଜାତୀୟ ଆର୍ଟ ସିମ୍ପୋଜିୟମ୍‌ ‘ଭୁବନେଶ୍ବର ମୁକ୍ତାକାଶ ସଂଗ୍ରହାଳୟ’। ଘାଟିକିଆ କଳିଙ୍ଗ ନଗର କେ-୭ରେ ୫ ଏକର ପରିମିତ ଜାଗାରେ ବର୍ଜ୍ୟବସ୍ତୁକୁ ନେଇ ନିର୍ମିତ ଏହି ସଂଗ୍ରହାଳୟ ଆ‌ଉ ବିଦେଶୀ ଶିଳ୍ପୀଙ୍କ ସ୍ଥାପତ୍ୟ କଳାକୁ ବଖାଣିବ ନାହିଁ। ବର୍ଜ୍ୟ ସାମଗ୍ରୀରୁ ଓଡ଼ିଶାର ଚର୍ଚ୍ଚିତ ବାଘୁଣୀ ସୁନ୍ଦରୀ, ହାତୀ, ଗଛରେ ବସିଥିବା ମାଙ୍କଡ଼, ଅଲିଭ୍‌ ରିଡଲେ, ମାଛ, ସିଂହ ମୁଣ୍ଡ, ଗୋବର ପୋକ, ଓ ଉଡ଼ନ୍ତା ଛଞ୍ଚାଣ ଆଦି ଆଉ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ନାହିଁ। କାରଣ ଏହାକୁ ସବୁଦିନ ପାଇଁ ବନ୍ଦ କରି ଏଠାରେ ‘ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ’ ନିର୍ମାଣ କରିବାକୁ ବିଏମ୍‌ସି ଯୋଜନା କରିଛି। ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେଲାଣି। ଯଦି ଏଠାରେ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାର ଥିଲା ତେବେ ତରବରିଆ ଭାବେ ୩ କୋଟି ଟଙ୍କା ଖର୍ଚ୍ଚ କରି ‘ଭୁବନେଶ୍ବର ମୁକ୍ତାକାଶ ସଂଗ୍ରହାଳୟ’ ନିର୍ମାଣ କାହିଁକି କରାଗଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଏମ୍‌ସି, ବିଡିଏର ଦୂରଦୃଷ୍ଟି ଅଭାବ ଓ କିଛି ଅଧିକାରୀଙ୍କ ବେପରୱା କାମ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ଏମିତି ପାଣିରେ ପଡ଼ୁଛି ବୋଲି ଅଭିଯୋଗ ହେଉଛି।

ଗତବର୍ଷ ବିଶ୍ବକପ୍‌ ହକିକୁ ନଜରରେ ରଖି କଳିଙ୍ଗ ନଗର କେ-୭ରେ ଏହି ସଂଗ୍ରହାଳୟ ନିର୍ମାଣ କରାଯାଇଥିଲା। ଭାରତ ସମେତ ଅଷ୍ଟ୍ରେଲିଆ, ବେଲ୍‌ଜିୟମ୍‌, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ନେଦରଲାଣ୍ଡ, ଜାପାନ, ସ୍ପେନ, ଚୀନ, ଆର୍ଜେଣ୍ଟିନା ଭଳି ୧୪ ଦେଶରୁ ୨୧ଜଣ ଶିଳ୍ପୀ ଦିନରାତି ପରିଶ୍ରମ ଏହି ସ୍ଥାପତ୍ୟ ସବୁ ପ୍ରସ୍ତୁତ କରିଥିଲେ। ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ (ବିଡିଏ) ଓ ଆର୍ଟିଷ୍ଟ ନେଟ୍‌ୱର୍କ ପ୍ରମୋଟିଂ ଇଣ୍ଡିଆନ୍‌ କଲ୍‌ଚର(ଆନ୍‌ପିକ୍‌) ଦ୍ବାରା ନିର୍ମିତ ଏହି ସଂଗ୍ରହାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ନଭେମ୍ବର ୨୧ରେ ଉଦ୍‌ଘାଟନ କରିଥିଲେ। ବର୍ଜ୍ୟବସ୍ତୁ ସ୍ଥାପତ୍ୟକୁ ନେଇ ତିଆରି ହୋଇଥିବା ଏହି ସଂଗ୍ରହାଳୟ ଥିଲା ଓଡ଼ିଶାରେ ପ୍ରଥମ। ହକି ବିଶ୍ବକପ୍‌କୁ ନଜରରେ ରଖି ସହରର ସୌନ୍ଦର୍ଯ୍ୟୀକରଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଗଲା। କିନ୍ତୁ ‘ବାହାଘର ସରିଲେ ବେଦି ମୁହଁ ପୋଡ଼ା’ ଭଳି ସଂଗ୍ରହାଳୟ ଖୋଲିଯିବା ପରେ ବିଡିଏ ରକ୍ଷଣାବେକ୍ଷଣା କଥା ଭୁଲିଗଲା। ଏପ୍ରିଲ ସୁଦ୍ଧ‌ା ମୁକ୍ତାକାଶ ସଂଗ୍ରହାଳୟ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ଏହା ପରେ ମେ’ ୩ର ମହାବାତ୍ୟା ‘ଫନି’ରେ ସବୁ ଭାଙ୍ଗି ଧ୍ବସ୍ତବିଧ୍ବସ୍ତ ହୋଇଗଲା। ଧରାଶାୟୀ ହୋଇଗଲା ଏତେ ବଡ଼ ବଡ଼ ବିଦେଶୀ ଶିଳ୍ପୀଙ୍କ ଦ୍ବାରା ନିର୍ମିତ ସ୍ଥାପତ୍ୟମାନ। ଏହାପରେ ନା ବିଡିଏ ପକ୍ଷରୁ ଏହାର ରକ୍ଷଣାବେକ୍ଷଣା ନେଇ ଆଗ୍ରହ ପ୍ରକାଶ ପାଇଲା ନା ସଂଗ୍ରହାଳୟର ବାକି ରହିଥିବା କାମ ଆଉ ଆଗକୁ ବଢ଼ିଲା। ରାଜଧାନୀ‌ରେ ଏକ ଅଭିନବ ପ୍ରକଳ୍ପକୁ ସବୁଦିନ ପାଇଁ ରଖିବାକୁ କୌଣସିସ୍ତରରେ ଆଗ୍ରହ ପ୍ରକାଶ ପାଉନାହିଁ। ରାଜକୋଷରୁ ୩କୋଟି ଟଙ୍କା ବରବାଦ କରି ସମସ୍ତେ ଚୁପ୍ ହୋଇ ବସି ପଡ଼ିଛନ୍ତି।

ଏବେ ଏହି କମ୍ପୋଷ୍ଟ ପ୍ଲାଣ୍ଟ୍‌କୁ ନେଇ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ଲାଣ୍ଟ୍‌ର ମାତ୍ର ୪୦ଫୁଟ ଦୂରରେ ଚତୁର୍ଦ୍ଦିଗରେ ଜନବସତି ରହିଛି। ଏହି ସ୍ଥାନରେ ପ୍ଲାଣ୍ଟ୍‌ ନିର୍ମାଣ ହେଲେ ସେଥିରୁ ନିର୍ଗତ ହେବାକୁ ଥିବା ମିଥେନ୍‌ ଓ ଅଙ୍ଗାରକାମ୍ଳ ଗ୍ୟାସ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ପୁଣି ଏହି ସ୍ଥାନ ଉପରେ ଦେଇ ୩୩ କେଭି ବିଜୁଳି ତାର ଯାଇଛି। କଳିଙ୍ଗନଗର ଉନ୍ନୟନ ପରିଷଦ ଏହାକୁ ବିରୋଧ କରିବା ସହ କର୍ମକର୍ତ୍ତାମାନେ ସ୍ଥାନୀୟ ବିଧାୟକ, ମନ୍ତ୍ରୀ, ବିଏମ୍‌ସିର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଭେଟି କମ୍ପୋଷ୍ଟ ପ୍ଲାଣ୍ଟର ସ୍ଥାନାନ୍ତରଣ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର