ଭୁବନେଶ୍ୱର: ୟୁନିଟ-୪ସ୍ଥିତ ପଞ୍ଚଦୀପ ମାର୍କେଟକୁ ପୂରା ସିଲ୍ କରିବାକୁ ବିଏମ୍ସି ନିଷ୍ପତ୍ତି ନେଇଛି। ଏଥିପାଇଁ ଆଜି ମାର୍କେଟ କମ୍ପ୍ଲେକ୍ସକୁ ବିଦ୍ୟୁତ ଓ ପାଣି ସଂଯୋଗ କାଟିବାକୁ ଯଥାକ୍ରମେ ସେସୁ ଓ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ତୁରନ୍ତ ଏହି ମାର୍କେଟ କମ୍ପ୍ଲେକ୍ସକୁ ସିଲ୍ କରିବାକୁ ବିଏମ୍ସି ରାଜସ୍ୱ ଶାଖା ପକ୍ଷରୁ ଦକ୍ଷିଣ ପୂର୍ବ ଜୋନ୍ ଡେପୁଟି କମିସନର୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
୧୯୯୯ ମସିହାରେ ସରକାରୀ-ଘରୋଇ ସହଭାଗୀତାରେ ପଞ୍ଚଦୀପ ମାର୍କେଟ ନିର୍ମାଣର ଯୋଜନା ହୋଇଥିଲେ ହେଁ ୧୮ବର୍ଷ ପରେ ବି ଏହା କାର୍ଯ୍ୟକ୍ଷମ ହୋଇପାରିଲାନି। ନିର୍ମାଣକାରୀ ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରିବା ସହ ବିଏମ୍ସି ଭାଗ ବି ଦେଉନି। ଏଥିପାଇଁ ବିଏମ୍ସି ପକ୍ଷରୁ ବାରମ୍ବାର ନୋଟିସ୍ ଜାରି ହୋଇଥିବା ବେଳେ ଚଳିତ ବର୍ଷ ଜୁଲାଇ ୨୧ତାରିଖରେ ଏକ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। ପଞ୍ଚଦୀପ ବିଏମ୍ସି ସହ କରିଥିବା ଚୁକ୍ତି ଖିଲାଫ କରିଥିବାରୁ ପୂରା ମାର୍କେଟ କମ୍ପ୍ଲେକ୍ସକୁ କାହିଁକି ବିଏମ୍ସି ନିଜ ଅଧୀନକୁ ନ ଆଣିବ ବୋଲି କାରଣ ଦର୍ଶାଅ ନୋଟିସ୍ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହାସହିତ ସର୍ବସାଧାରଣ ଏହି ପ୍ରକଳ୍ପରୁ କୌଣସି ୟୁନିଟ୍ ନ କିଣିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜଧାନୀର କେନ୍ଦ୍ରୀୟ ଅଞ୍ଚଳରେ ରହିଥିବା ୮୮୩ ଡେସିମିଲ୍ ଜମିରେ ବିଶାଳ ପଞ୍ଚଦୀପ ମାର୍କେଟ୍ ଶୌଧର ପରିକଳ୍ପନା ହୋଇଥିଲା। ୬ମହଲା ବିଶିଷ୍ଟ ଏହି ମାର୍କେଟ୍ କମ୍ପ୍ଲେକ୍ସ ପାଇଁ ବିଏମ୍ସି ସାଧାରଣ ପ୍ରଶାସନ ବିଭାଗରେ ୩୦ ଲକ୍ଷ ଟଙ୍କା ଜମା କରି ଜମି ମାଲିକାନା ପାଇଥିଲା। ଭୌମନଗର ମୌଜାର ୬୯ ନମ୍ବର ଖାତାରେ ୮୮୩ ଡେସିମଲ୍ ପରିମିତ ଏହି ସ୍ଥାନରେ ୧୬୫୮୪ ବର୍ଗ ମିଟର (୧୭୮୫୦୮.୬୯ ବର୍ଗଫୁଟ) ବିଲ୍ଟ୍-ପଅ୍ ଅଞ୍ଚଳର ମାର୍କେଟ୍ ନିର୍ମାଣ ପାଇଁ ପରିକଳ୍ପନା ହୋଇଥିଲା। ଏହି ବିଶାଳ ମାର୍କେଟ୍ରେ ପାର୍କିଂ ପାଇଁ ଯେପରି ଜନସାଧାରଣଙ୍କୁ ଅସୁବିଧା ନହୁଏ, ସେଥିପାଇଁ ୫୦୧୯ ବର୍ଗମିଟର ସ୍ଥାନରେ ପାର୍କିଂ ସ୍ଥାନ ପାଇଁ ପ୍ରସ୍ତାବ ରହିଥିଲା। ତେବେ ଏହି ଚୁକ୍ତିର ସିଧାସଳଖ ଖିଲାଫ କରି ନିର୍ମାଣକାରୀ ଘରୋଇ ସଂସ୍ଥା ପାର୍କିଂ ଅଞ୍ଚଳ ନିର୍ମାଣ କରିନାହିଁ। ଅଫିସ୍ -କମ୍- ସପିଂ କମ୍ପ୍ଲେକ୍ସ ଢାଞ୍ଚା ନିର୍ମିତ ଏହି ପ୍ରକଳ୍ପର ଗ୍ରାଉଣ୍ଡ୍ ଫ୍ଲୋର୍ରେ ବିଏମ୍ସିର ୭୨ ପ୍ରତିଶତ ସେୟାର ରହିଥିବା ବେଳେ ପ୍ରଥମ ମହଲାରେ ୩୬ପ୍ରତିଶତ ଏବଂ ଦ୍ୱିତୀୟ ମହଲାରୁ ୬ଷ୍ଠ ମହଲା ଯାଏ ୩୦.୬ ପ୍ରତିଶତ ରହିଛି। ଗୋଟିଏ ଫ୍ଲୋର୍ରେ ହାରାହାରି ୭୦ ଗୋଟି ୟୁନିଟ୍ ରହିଛି।
ପଞ୍ଚଦୀପ ବିନା ଅକୁପାନ୍ସି ସାର୍ଟିଫିକେଟ୍ରେ ଲୋକଙ୍କୁ ଦୋକାନ ଘର ଆବଣ୍ଟନ କରିଥିବାବେଳେ ଏହାକୁ ନନେବାକୁ କିଛିମାସ ପୂର୍ବରୁ ସର୍ବସାଧାରଣଙ୍କୁ ବିଏମ୍ସି ପକ୍ଷରୁ ସତର୍କ କରାଯାଇଥିଲା। କିନ୍ତୁ ପଞ୍ଚଦୀପ କିଛି ନ ମାନି ତା’ର ଭାଗ ବିକ୍ରି କରିଥିଲା।