ଖଣ୍ଡଗିରି: ୩ ସପ୍ତାହ ହେଲାଣି ପାଇପ୍‌ ଜଳ ଯୋଗାଣ ବନ୍ଦ। ପାଇପ୍‌ ଜଳ ଯୋଗାଣ କେନ୍ଦ୍ରରେ ତାଲା ଝୁଲୁଛି। ଲୋକେ ପାନୀୟ ଜଳ ପାଇଁ ବଡ଼ ହନ୍ତସନ୍ତ ହେଉଛନ୍ତି। ବର୍ଷା ଦିନ ବୋଲି କୂଅ, ପୋଖରୀ କାମ ଚଳାଇ ନେଉଛି, କିନ୍ତୁ ବାଧ୍ୟବାଧକତାରେ ଦୂଷିତ ଜଳ ପିଇ ଲୋକେ ନାନା ପେଟ ରୋଗର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ନା ଭୁବନେଶ୍ୱର ମହାନଗର ନିଗମ ଶୁଣୁଛି, ନା ପଞ୍ଚାୟତ ଶୁଣୁଛି। ଏ ହେଉଛି ଭୁବନେଶ୍ୱର ମହାନଗର ନିଗମରେ ନୂଆ କରି ସାମିଲ୍‌ ହୋଇଥିବା ପାଇକରାପୁର ଗ୍ରାମବାସୀଙ୍କ କ୍ଷୋଭ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ପ୍ରାୟ ୩ ମାସ ହେଲା ପାଇପ୍‌ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ପାଇପ୍‌ ଜଳ ଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀ ଜଳ ଯୋଗାଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି। କେଉଁ କାରଣରୁ ସେ ଏଭଳି କରିଛନ୍ତି, ତାହା ସ୍ପଷ୍ଟ କରିନାହାନ୍ତି। କାହାରକୁ ମଟର ପୋଡ଼ି ଯାଇଛି ବୋଲି କହିଛନ୍ତି ତ କାହାକୁ ଦରମା ମିଳୁ ନଥିବାରୁ ସେ ଏଭଳି କରିଥିବା କହିଛନ୍ତି। ପାଇପ୍‌ ଜଳ ଯୋଗାଣ ବନ୍ଦ ହେବା ପରେ ଲୋକଙ୍କ ଅବସ୍ଥା କହିଲେ ନ ସରେ। କୂଅ ପୋଖରୀ ପାଣି ଭରସା। ବର୍ଷା ଦିନରେ କୂଅ ପୋଖରୀର ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ। ଫଳରେ ବହୁ ଲୋକ ଏବେ ପେଟ ରୋଗରେ ଆକ୍ରାନ୍ତ। ଅପରପକ୍ଷେ ଉକ୍ତ କର୍ମଚାରୀଙ୍କୁ ଦରମା ମିଳୁ ନଥିବାରୁ ଗ୍ରାମବାସୀମାନେ କିଛି କହି ପାରୁନାହାନ୍ତି। ବିନା ଦରମାରେ ଖଟିବାକୁ ଜଣଙ୍କୁ ବାଧ୍ୟ କରିବା ପାଇଁ ଲୋକଙ୍କ ବିବେକ ବାଧା ଦେଉଛି ବୋଲି କିିଛି ଗ୍ରାମବାସୀ କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଏଠାରେ ପାଇପ୍‌ ଜଳ ଯୋଗାଣ ଦାୟିତ୍ୱ ଭୁବନେଶ୍ୱର ବ୍ଲକ ବା ପଞ୍ଚାୟତ ହାତରେ ଥିଲା। ତେଣୁ ସରପଞ୍ଚ ବିଦ୍ୟୁତ୍‌ ବିଲ୍‌ ପଇଠ କରିବାଠାରୁ ଆରମ୍ଭ କରି ବିଭିନ୍ନ ମରାମତି କାର୍ଯ୍ୟ ଓ କର୍ମଚାରୀଙ୍କ ଦରମା କଥା ବୁଝୁଥିଲେ। ମାତ୍ର ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ ଗାଁଟି ସାମିଲ୍‌ ହେବା ପରଠାରୁ ପୂର୍ବ ବ୍ୟବସ୍ଥା ବଦଳି ଯାଇଛି। କିନ୍ତୁ ବିଏମ୍‌ସି ଏ ପର୍ଯ୍ୟନ୍ତ ଏହି ଦାୟିତ୍ୱ ବହନ କରିନାହିଁ। ଫଳରେ କର୍ମଚାରୀଜଣଙ୍କ ଦରମା ପାଉନାହାନ୍ତି କି ଆବଶ୍ୟକ ମରାମତି କାମ ହୋଇ ପାରୁନାହିଁ। ଏ ନେଇ କର୍ପୋରେଟର୍‌ ଦିଲ୍ଲୀପ କୁମାର ମାଝୀଙ୍କ ସହ ଯୋଗାଯୋଗ କରିବାରେ ସେ ଏଭଳି ଅଭିଯୋଗ ପାଇ ନଥିବା କହିଥିଲେ। ତେଣୁ ସେ ତୁରନ୍ତ ସମସ୍ୟା ବାବଦରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ମେୟରଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଅବଗତ କରାଇବେ ବୋଲି କହିଛନ୍ତି।