ବନ୍ଦ ଶାନ୍ତିପୂର୍ଣ୍ଣ: ଦୋକାନ ବଜାର ଖୋଲିଲାନି, ଯାନବାହନ ଚଳାଚଳ ସ୍ବାଭାବିକ

୨୨ ହଜାର ଉଠାଦୋକାନୀ ବି ସାମିଲ

ଭୁବନେଶ୍ବର: ବ୍ୟବସାୟୀ ମହାସଂଘ ପକ୍ଷରୁ ଦିଆଯାଇଥିବା ୧୨ଘଣ୍ଟିଆ ‘ଭାରତ ବନ୍ଦ’ ଡାକରା ଭୁବନେଶ୍ବରରେ ଶାନ୍ତିପୂର୍ଣ୍ଣ ରହିଥିଲା। ସହରର ପ୍ରମୁଖ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଭୁବନେଶ୍ବରର ପ୍ରାୟ ୫ହଜାର ବଡ଼ ଦୋକାନ ବନ୍ଦ ରହିଥିବା ବେଳେ ଉଠାଦୋକାନୀମାନେ ଏଥିରେ ସାମିଲ ହୋଇଥିବାରୁ ‌ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସାମଗ୍ରୀ କିଣିବା ଲାଗି ଦୋକାନକୁ ଯାଇଥିଲେ ମଧ୍ୟ ଖାଲି ହାତରେ ଫେରିଥିଲେ। ବିଶେଷକରି ନିତିଦିନିଆ ବ୍ୟବହାରଯୋଗ୍ୟ ସାମଗ୍ରୀ ଲାଗି ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ତେବେ ‘ଭାରତ ବନ୍ଦ’ର ପ୍ରଭାବ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଉପରେ କିଛି ବି ପଡ଼ିନି। ସମସ୍ତ ସଂସ୍ଥା ଖୋଲା ରହିବା ସହିତ ଯାନବାହାନ ଚଳାଚଳ ମଧ୍ୟ ସ୍ବାଭାବିକ ରହିଥିଲା। ସକାଳୁ ସକାଳୁ କିଛି ସମୟ ଲାଗି ଗାଡ଼ି ଚଳାଚଳ କମ୍‌ ଥିଲା। ତେବେ ବନ୍ଦର ପ୍ରଭାବ ସେତେଟା ନଥିବା ଜଣାପଡ଼ିବା ପରେ ପୁଣିଥରେ ସ୍ବାଭାବିକ ସ୍ଥିତିକୁ ଫେରିଥିଲା। ବ୍ୟବସାୟୀ ମହାସଂଘର ବନ୍ଦ ଡାକରାକୁ ନଜରରେ ରଖି ଗୃହ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଥିଲା। ବିକ୍ଷୋଭକାରୀମାନେ ଗାଡ଼ି, ରେଳ ଅଟକାଇବା ସହ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ କରିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ସମ୍ମୁଖରେ ପିକେଟିଂ କରିବାର ସମ୍ଭାବନା ଥିଲା। ତେଣୁ କୌଣସିପ୍ରକାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ପୁଲିସ ମୁତୟନ ହୋଇଥିଲେ।
ବିଶେଷକରି ୟୁନିଟ୍‌-୨, ୟୁନିଟ୍‌-୧, ବାପୁଜୀନଗର, ଅଶୋକ ନଗର, ବରମୁଣ୍ଡା, ରୁଚିକା ମାର୍କେଟ୍‌, ସହିଦନଗର, ୟୁନିଟ୍‌-୪, ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର, କିଟ୍ ସ୍କୋୟାର, ରସୁଲଗଡ଼, ଜନପଥ, କଳ୍ପନା ଛକ, ଇନ୍‌ଫୋସିଟି ଛକ, ଲକ୍ଷ୍ମୀସାଗର, ପାତ୍ରପଡ଼ା ଆଦି ସ୍ଥାନରେ ଥିବା ପ୍ରମୁଖ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା।

ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ କହିଛନ୍ତି ଯେ ‘ଭାରତ ବନ୍ଦ’ ସଫଳ ହୋଇଛି। ଓଡ଼ିଶାର ପ୍ରାୟ ୨ ଲକ୍ଷ ଉଠାଦୋକାନୀ ସାମିଲ ହୋଇଥିଲେ। ଭୁବନେଶ୍ବରର ପ୍ରାୟ ୨୨ହଜାର ଉଠାଦୋକାନୀ ଏଥିରେ ସାମିଲ ହୋଇଥିଲେ। ସ୍ବଇଚ୍ଛାରେ ସମସ୍ତେ ବନ୍ଦରେ ସାମିଲ ହୋଇଥିଲେ। କୌଣସି ସ୍ଥାନରେ ଗଣ୍ଡଗୋଳ ହୋଇନି କି ବ୍ୟବସାୟୀ ଠେଙ୍ଗାବାଡ଼ି ଧରି ନାହାନ୍ତି। ଦୋକାନ ବଜାର ବନ୍ଦ ରହିଥିବାରୁ ଅନ୍ୟ ସମସ୍ତ ସଂସ୍ଥା ଆପେଆପେ ବନ୍ଦ ହୋଇଯାଇଥିଲା। ବନ୍ଦ ସଫଳ କରିବାରେ ସମର୍ଥନ ଦେଇଥିବାରୁ ଭୁବନେଶ୍ବର ତଥା ଓଡ଼ିଶାବାସୀଙ୍କୁ ଅନ୍ତରିକ ଧନ୍ୟବାଦ ଦେଉଛୁ। ଦୋକାନୀମାନେ ନିଜ ପେଟ ପାଇଁ ଓ ଖାଉଟିଙ୍କ ପାଇଁ ଏହି ବନ୍ଦ ହୋଇଥିଲା। ଯଦି କେନ୍ଦ୍ର ସରକାର ଏଥିରୁ କିଛି ନ ଶିଖନ୍ତି, ତେବେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି।

ଫାଙ୍କା‌ ରାସ୍ତାରେ ଜମିଲା କ୍ରି‌କେଟ୍‌
ଭାରତ ବନ୍ଦ ପାଳନ ସମୟରେ ବାପୁଜୀନଗରରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଥିବା ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବାରୁ ଯୁବକମାନେ ଏହାର ଭରପୂର ମଜା ଉଠାଇଥିଲେ। ସକାଳୁ ସକାଳୁ ଏକାଠି ହୋଇ ବ୍ୟାଟ୍‌ ଓ ବଲ୍‌ ଧରି ରାସ୍ତାକୁ ଓହ୍ଲାଇ ଆସିଥିଲେ। ବିନା ବାଧାରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଖେଳ ଜମିଥିଲା। ହୋହାଲ୍ଲା, ଥଟ୍ଟା, ମଜାରେ ସେମାନଙ୍କ ସମୟ ବିତିଥିଲା।

ଅଯଥାରେ ହଇରାଣ ହେଲେ ବସ୍‌ ଯାତ୍ରୀ
ଆଜି ‘ଭାରତ ବନ୍ଦ’ ହୋଇଥିଲେ ମଧ୍ୟ ବସ୍‌, ଟ୍ରକ୍‌ ଓ ଅଟୋ ଚଳାଚଳ ସ୍ବାଭାବିକ ରହିବ ବୋଲି ବିଭିନ୍ନ ସଂଘ ପୂର୍ବରୁ ସ୍ପଷ୍ଟ କରିଥିଲେ। ଏହା ସତ୍ତ୍ବେ କେତେକ ବସ୍‌ ଓ ଅଟୋ ମାଲିକ ଗାଡ଼ି ଚଳାଚଳ ବନ୍ଦ ରଖିଥିଲେ। ଫଳରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିବା ଅନେକ ଯାତ୍ରୀ ହଇରାଣ ହୋଇଥିଲେ। ଗନ୍ତବ୍ୟସ୍ଥଳକୁ ଯାଇ ପାରି ନଥିଲେ। କିନ୍ତୁ ‘ମୋ ବସ୍‌’ ସ୍ବାଭାବିକ ଭାବେ ଚଳାଚଳ କରିଥିବ‌ାରୁ ଯାତ୍ରୀମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବିନା ବାଧାରେ ଯାଇ ପାରିଥିଲେ।

ବିଳମ୍ବରେ ଖୋଲିଲା ପେ‌ଟ୍ରୋଲ୍‌ ପମ୍ପ
‘ଭାରତ ବନ୍ଦ’ ପ୍ରଭାବରେ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ଲୋକେ ଭାବି ନେଇଥିଲେ। ତେଣୁ ଗତକାଲି ରାତିଠାରୁ ବହୁ ଲୋକ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ତେଲ ଭର୍ତ୍ତି କରିଥିଲେ। ଆଜି ସକାଳୁ ମଧ୍ୟ ପେଟ୍ରୋଲ ପମ୍ପଗୁଡ଼ିକ ସତର୍କତାର ସହ ଖୋଲିଥିଲେ। ସକାଳର ସ୍ଥିତିକୁ ଦେଖି କିଛି ସମୟ ବିଳମ୍ବରେ ଖୋଲିଥିଲେ। ତେବେ ଆନ୍ଦୋଳନ ସେଭଳି ହେଉ ନ ଥିବା ଜଣାପଡ଼ିବା ପରେ ସହରରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଖୋଲିଥିଲା।

ଅନ୍‌ଲାଇନ୍‌ରେ ବେପାର ଚାଲିଲା
ଦୋକାନ ବଜାର ବନ୍ଦ ରହିଥିବାରୁ ଏହାର ସୁବିଧା ନେଇଥିଲେ ଅନ୍‌ଲାଇନ୍‌ ବ୍ୟବସାୟୀ। ଦୋକାନ ବନ୍ଦ ଥିବାରୁ ଗ୍ରାହକମାନେ ବାହାରକୁ ଯାଇ ପାରି ନଥିଲେ। ତେଣୁ ଅନ୍‌ଲାଇନ୍‌ରେ ବିଭିନ୍ନ ସାମଗ୍ରୀ ବରାଦ ଦେଇଥିଲେ। ସକାଳେ ଅର୍ଡର୍‌ ଦିଆଯାଇଥିବା ବେଳେ ସନ୍ଧ୍ୟାରେ ଆସି ସାମଗ୍ରୀ ପହଞ୍ଚିଥିଲା। ଏମିତିକି ପୂର୍ବରୁ ଯେଉଁମାନେ ବରାଦ ଦେଇଥିଲେ, ସେମାନଙ୍କ ସାମଗ୍ରୀ ଆଜି ଆସି ପହଞ୍ଚିଥିଲା। କେହି ବାଧା ଦେଇ ନଥିଲେ। ଫ୍ଲିପ୍‌କାର୍ଟ, ଆମାଜନ୍‌ ପରି ସଂସ୍ଥାଗୁଡ଼ିକ ପ୍ରତିଦିନ ପରି ଆଜି ମଧ୍ୟ ନିଜର ବେପାର ଚଲାଇଥିଲେ।

ସମ୍ବନ୍ଧିତ ଖବର