ସାମଗ୍ରିକ କ୍ଷେତ୍ରରେ ପୂର୍ବତଟ ରେଳପଥକୁ ପ୍ରଥମ ସ୍ଥାନ
ଚନ୍ଦ୍ରଶେଖରପୁର : ଭାରତ ସ୍କାଉଟ୍ ଓ ଗାଇଡ୍ ଛାତ୍ର ଜୀବନକୁ ଶୃଙ୍ଖଳିତ କରିଥାଏ। ଏହା ଶାରୀରିକ, ନୈତିକ ଓ ବୌଦ୍ଧିକ ବିକାଶ କରିବା ସହିତ ବିଦ୍ୟାର୍ଥୀ ଜୀବନରେ ପୂର୍ଣ୍ଣତା ଆଣିଥାଏ ବୋଲି ରାଜ୍ୟପାଳ ଡ. ଏସ୍ ସି ଜମିର ପ୍ରକାଶ କରିଛନ୍ତି। ଆଜି ମଞ୍ଚେଶ୍ୱର ରେଳ କ୍ରୀଡ଼ା ପଡ଼ିଆରେ ଅନୁଷ୍ଠିତ ୧୮ତମ ସର୍ବଭାରତୀୟ ରେଳପଥ ଭାରତ ସ୍କାଉଟ୍ ଓ ଗାଇଡ୍ ଜାମ୍ବୋରିର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡ. ଜମିର ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ବିଦ୍ୟାର୍ଥୀ ଜୀବନ କାଳରେ ସ୍କାଉଟ୍ ଓ ଗାଇଡ୍ର ଅନୁଭବ ନେବାକୁ ଆହ୍ଵାନ ଦେଇଥିଲେ।
ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂହ ଜାମ୍ବୋରିଟିି କିପରି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ପରସ୍ପର ମଧ୍ୟରେ ନିଜର କଳା, ସଂସ୍କୃତି, ପରମ୍ପରାକୁ ବିନିମୟ କରିବାରେ ସହାୟକ ହୋଇଥିଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଥମ ଥର ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସଫଳତାର ସହିତ ଏହି ଜାତୀୟ ଶିବିରରର ଆୟୋଜନ ନେଇ ପୂର୍ବତଟ ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ ତଥା ଭାରତ ସ୍କାଉଟ୍ ଓ ଗାଇଡ୍ର ରାଜ୍ୟ ମୁଖ୍ୟ କମିଶନର ମଂଜୁ ରାୟ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ମାନ୍ୟବର ପ୍ରଥମ ମହିଳା ଆଲେମେଲା ଜମିରଙ୍କ ସମେତ ଅତିରିକ୍ତ ମହାପ୍ରବନ୍ଧକ ରାଜୀବ ଶର୍ମା ପ୍ରମୁଖ ଯୋଗଦେଇଥିଲେ। ଏହି ଜାମ୍ବୋରିରେ ସାରା ଭାରତରୁ ୨୫୦୦ ସ୍ୱେଚ୍ଛାସେବୀ ଯୋଗ ଦେଇଥିବାବେଳେ ସାମଗ୍ରିକ କ୍ଷେତ୍ରରେ ପୂର୍ବତଟ ରେଳପଥ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଥିଲା।
କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ରାଜ୍ୟରୁ ଆସିଥିବା ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାର ମୁଖ୍ୟ କାରଖାନା ପ୍ରବନ୍ଧକ ଏମ୍ କେ ପୋଦାର ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍ଯାପନୀ ଦିବସରେ ଜାମ୍ବୋରିିରେ ଯୋଗଦେଇଥିବା ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ସୈନିକ ସ୍କୁଲ୍ରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ହୋଇଥିବା ସୁଦୀର୍ଘ ମାନବଶୃଙ୍ଖଳ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/jamboore.jpg)