ଖଣ୍ଡଗିରି : ‘ହାଏ ହାଏରେ ଟାଟୁବାଲି’ ପଛକୁ ‘କଞ୍ଚା ହଳଦୀ ଦେହଟା’। ପୁଣି ‘ତୋ ପାଇଁ ଦିଲ୍ ନାଗିନ୍ ନାଗିନ୍’ ଓ ‘ତୁ କି ସେଇ ନୀଳନୟନା’। ଅଭିଜିତ୍ ମଜୁମ୍ଦାରଙ୍କ ଏହି ସୁପର୍ହିଟ୍ ପୁରୁଣା ଗୀତ ସାଙ୍ଗକୁ ସଂଜୁ ମହାନ୍ତିଙ୍କ କଣ୍ଠରେ ‘ହେ ବଉଲ୍ ରିସଆ ପଛେ ପଡ଼ିଗଲାନ୍’ ଓ ‘ମୋ ଚୁନ୍ରି ତଳେ’ଭଳି ଗୀତ ଦର୍ଶକମାନଙ୍କୁ ମତୁଆଲା କରିଥିଲା। ରବିବାର ଖଣ୍ଡଗିରି-ଉଦୟଗିରି ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଏହି ସଂଗୀତ ଆସର ଦର୍ଶକ ଗ୍ୟାଲେରିରେ ଧୂମ୍ ମଚାଇଥିଲା। ପ୍ରଥମରୁ ଗୋଟିପୁଅ ନୃତ୍ୟ ଓ ପ୍ରନିସ୍ ଡ୍ୟାନ୍ସ ଗ୍ରୁପ୍ର ଦେଶାତ୍ମବୋଧକ ନୃତ୍ୟ ଯେତିକି ରୋମାଞ୍ଚ ଭରି ଦେଇଥିଲା, ପରେ ମଜୁମ୍ଦାରଙ୍କ ଗ୍ରୁପ୍ର ସଂଗୀତ ଆସର ଦର୍ଶକମାନଙ୍କ ଭିତରେ ସେତିକି ଉଦ୍ଦୀପନା ଭରି ଦେଇଥିଲା।
ଖଣ୍ଡଗିରି ପର୍ଯ୍ୟଟକ ବ୍ୟାଖାନ କେନ୍ଦ୍ରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଯାପନୀ ସନ୍ଧ୍ୟାରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଓ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସମେତ ସ୍ଥାନୀୟ କର୍ପୋରେଟର ଅଶ୍ୱିନୀ ସୁନ୍ଦରାୟ, ଦିଲ୍ଲୀପ ମାଝୀ, ହୃଦୟ ବଲ୍ଲଭ ସାମନ୍ତରାୟ, ସୁଜିତ୍ ସ୍ୱାଇଁ, ମୁଜାହିଦ୍ ହୁସେନ୍ ପ୍ରମୁଖଙ୍କୁ ସମ୍ବର୍ଧିତ କରିଥିଲେ। ମନୋରଂଜନ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୁରୀ ରଘୁରାଜପୁରର ଗୋଟିପୁଅ ନୃତ୍ୟ ଏବଂ ବ୍ରହ୍ମପୁର ପ୍ରିନିସ୍ ଡ୍ୟାନ୍ସ ଗ୍ରୁପ୍ର ନୃତ୍ୟ ପରିବେଷିତ ହୋଇଥିଲା। ଏହା ପରେ କଣ୍ଠଶିଳ୍ପୀ ଅଭିଜିତ୍ ମଜୁମ୍ଦାରଙ୍କ ଗ୍ରୁପ୍ ପକ୍ଷରୁ ଆରମ୍ଭ ହୋଇଥିଲା ସଂଗୀତ ସନ୍ଧ୍ୟା। ସାଇ ପ୍ରସାଦଙ୍କ ‘ସେଇ ବର୍ଷା ମନେ ପଡ଼େ’ ପରେ ନିଜେ ଅଭିଜିତ୍ ଦର୍ଶକମାନଙ୍କୁ ଭେଟି ଦେଇଥିଲେ ପୁରୁଣା ଓଡ଼ିଆ ସୁପରହିଟ୍ ଗୀତର ସମ୍ଭାର।