ଚନ୍ଦ୍ରଶେଖରପୁର : ପ୍ରଯୁକ୍ତି ବିଦ୍ୟା ବ୍ୟବହାରପୂର୍ବକ ପ୍ରଦୂଷଣ ରହିତ ବିକାଶ ପ୍ରକ୍ରିୟା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ଵାନ। ପ୍ରଯୁକ୍ତି ବିଦ୍ୟା ସହାୟତାରେ ବିକାଶ ଓ ଦୀର୍ଘମିଆଦି ସମାଧାନ, ନୂଆ ଭାରତର ପରିଚୟ ହେବ। ଏପରି ମତ ଦେଇଛନ୍ତି ନାଲକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. ତପନ କୁମାର ଚାନ୍ଦ। ଆଜି ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‌ଯାପନୀ ସମାରୋହରେ ଯୋଗଦେଇ ଡ. ଚାନ୍ଦ ନାଲକୋ ଦ୍ୱାରା କରାଯାଇଥିବା ଭାରତର ସର୍ବପ୍ରଥମ ଏମ୍ରିନୋ ଟେକ୍ନୋଲୋଜିର ବ୍ୟାବସାୟିକ ପରୀକ୍ଷଣ ଏହିପରି ଏକ ଦୀର୍ଘମିଆଦି ସମାଧାନର ପଥ ବୋଲି ପ୍ରକାଶ କରିଥିଲେ।

Advertisment

ବିଜ୍ଞାନ କଂଗ୍ରେସରେ ଯୋଗଦେଇଥିବା ବୈଜ୍ଞାନିକ, ଶିକ୍ଷାବିତ୍‌, ଇଞ୍ଜିନିୟର, ଟେକ୍ନୋଲୋଜିଷ୍ଟ ତଥା ପରିବେଶବିତ୍‌ମାନଙ୍କୁ ସମ୍ବୋଧିତ କରି ଡ. ଚାନ୍ଦ ନାଲକୋ ଦ୍ୱାରା ବ୍ୟବହାର ହେଉଥିବା କିଛି ସବୁଜ ଟେକ୍ନୋଲୋଜି ଯଥା କାର୍ବନ ସିକ୍ୟେଷ୍ଟ୍ରେସନ, ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନାନୋ ପ୍ରଯୁକ୍ତିବିଦ୍ୟାରେ ପ୍ରସ୍ତୁତ ଏମ୍ରିନୋ ଟେକ୍ନୋଲୋଜି ଏବଂ ପ୍ରଦୂଷଣ ରହିତ ଖଣିଖନନ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ନାଲକୋ ଏହାର ମେକ୍‌ ଗ୍ରୀନ ପ୍ରକଳ୍ପରେ ପ୍ରତି ଏକ ଟନ୍‌ ବକ୍ସାଇଟ ପିଛା ଗୋଟିଏ ଗଛ ଲଗାଉଥିବା ଶ୍ରୀ ଚାନ୍ଦ ପ୍ରକାଶ କରିଥିଲେ। ବକ୍ସାଇଟ ଉତ୍ପାଦନ ୬.୮ ନିୟୁତଟନ୍‌ ହୋଇଥିବା ବେଳେ ନାଲକୋ ଏହାର ଖଣି ଅଞ୍ଚଳ ତଥା ଏହାର ପାର୍ଶ୍ୱବର୍ତ୍ତୀ ଇଲାକାରେ ୯.୭ ନିୟୁତ ଗଛ ଲଗାଇ ସାରିଛି। ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ଦ୍ୱାରା ଆହ୍ଵାନ ହୋଇଥିବା ବିଦ୍ୟୁତ୍‌ ଶକ୍ତିକେନ୍ଦ୍ର ସ୍ଥାପନ (ୟୁନିଟ୍‌ ଦର ପିଛା) ପାଇଁ ଟେଣ୍ଡରରେ ନାଲକୋ ୧୫୦ ମେଗାଓ୍ଵାଟ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ସବୁଜ ବିଦ୍ୟୁତ୍‌ କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତୁତି ଚଳାଇଥିବା ଶ୍ରୀ ଚାନ୍ଦ ସୂଚନା ଦେଇଥିଲେ।

ଓଡ଼ିଶା ପରିବେଶ ସମିତି ଏବଂ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଓଡ଼ିଶା ବିଜ୍ଞାନ କଂଗ୍ରେସର ଏହି ଦୁଇଦିନିଆ ସମ୍ମିଳନୀର ଅଧିବେଶନର ପ୍ରସଙ୍ଗ ଥିଲା ‘ପରିବେଶ ସୁରକ୍ଷାରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଭୂମିକା।’ ଅନ୍ୟମାନଙ୍କ ମଧ୍ୟରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ ସାଇନ୍ସର ନିର୍ଦ୍ଦେଶକ ଡ. ଅଜୟ କୁମାର ପରିଡ଼ା ତଥା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସର ନିର୍ଦ୍ଦେଶକ ପ୍ରଫେସର୍‌ ସୁଧାକର ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।