ଥିଏଟର୍‌ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଚନ୍ଦ୍ରଶେଖରପୁର : ତାମିଲନାଡ଼ୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କିସ୍‌ ଓ ରାଜୀବ ଗାନ୍ଧୀ ଯୁବ ଉନ୍ନତି ଜାତୀୟ ଶିକ୍ଷାନୁଷ୍ଠାନର ମିଳିତ ଆନୁକୂଲ୍ୟରେ ତିନିଦିନ ଧରି ଚାଲିଥିବା ଥିଏଟର୍‌ ପ୍ରଶିକ୍ଷଣ ଶିବିର ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ରାଜୀବ ଗାନ୍ଧୀ ଯୁବ ଉନ୍ନତି ଜାତୀୟ ଶିକ୍ଷାନୁଷ୍ଠାନର ନିର୍ଦେଶକ ପୀତବାସ ସାହୁ, କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ହରେକୃଷ୍ଣ ଶତପଥୀ, କୁଳସଚିବ ଜୁଲିଆସ୍‌ ଲାକ୍ରା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ପ୍ରଶାନ୍ତ ରାଉତରାୟ ଓ ଡିନ୍‌ ଈଶ୍ୱର ଚନ୍ଦ୍ର ନାୟକ ଉପସ୍ଥିତ ରହି ଶିବିରରେ ବିଭିନ୍ନ ଜିଲ୍ଲାରୁ ଯୋଗଦେଇଥିବା ଥିଏଟର୍‌ କଳାକାରମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ଶିବିରରେ ଗବେଷକ ଭାବେ ଯୋଗଦେଇଥିବା ଲେଖକ କେଦାର ମିଶ୍ର, ନାଟ୍ୟକାର ରଂଜନ ମହୁରିଆ, ଅଭିନେତା ଅଜିତ ଦାସ, କୋରିଓଗ୍ରାଫର ବିଦ୍ୟାଧର ବାରିକ, ଅଭିନେତ୍ରୀ ତ୍ରିପୁରା ମିଶ୍ର, ଆରେଞ୍ଜର ଯୋଗେନ୍ଦ୍ର ଭୋଇ, ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ, ଏବଂ କଣ୍ଠଶିଳ୍ପୀ ସୁବାସ ଦାସ ପ୍ରମୁଖ ଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଆଜିର ଉଦ୍‌ଯାପନୀ ଉତ୍ସବରେ ଶିବିରର କଳାକାରମାନେ ‘ନାରୀ ସମ୍ମାନ’ ସଂପର୍କିତ ଏକ ନାଟକ ପ୍ରଦର୍ଶନ କରିବା ସହିତ ସଚେତନତାର ବାର୍ତା ପ୍ରଦାନ କରିଥିଲେ। ଉପସ୍ଥିତ ଦର୍ଶକ ଓ ଅତିଥିମାନେ ପ୍ରଦର୍ଶିତ ଏହି ନାଟକ ଓ କଳାକାରଙ୍କ ଅଭିନୟ ଦକ୍ଷତାର ଢେର ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର