ଭୁବନେଶ୍ବର: ଭୁବନେଶ୍ବର ବାପୁଜୀନଗରସ୍ଥିତ ପ୍ୟାରିସ୍ ବେକ୍ରି ଆଉଟ୍ଲେଟ୍ରେ ଉଡ୍ର ଚାରିଟେବଲ୍ ଟ୍ରଷ୍ଟ୍ ପକ୍ଷରୁ ପୁରୁଣା ଓ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏହି ଉଦ୍ଘାଟନୀ ସମାରୋହରେ ବିଧାୟକ ଅନନ୍ତ ନାରାୟଣ ଜେନା, ମୋ କଲେଜ ଯୋଜନାର ଅଧ୍ୟକ୍ଷ ଆକାଶ ଦାସନାୟକ, ଅଭିନେତ୍ରୀ ଏଲିନା ସାମନ୍ତରାୟ, ପ୍ୟାରିସ ବେକ୍ରିର ମୁଖ୍ୟ ବିଟି ଭରଦ୍ବାଜ, ଉଡ୍ର ଚାରିଟେବଲ୍ ଟ୍ରଷ୍ଟ୍ର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ ଓ ଡ ସୂର୍ଯ୍ୟପ୍ରକାଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।
ସମାଜସେବୀ ତଥା ଶ୍ରମିକ ନେତା ମାୟାଧର ନାୟକଙ୍କ ‘ଥିଲେ ଦିଅ,ନଥିଲେ ନିଅ’ ଶୀତ ଅଭିଯାନରୁ ଅନୁପ୍ରାଣିତ ହୋଇ ଉଡ୍ର ପକ୍ଷରୁ ଏହି ବସ୍ତ୍ର ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ସାମିଲ୍ ହେବାକୁ ଚାହୁଁଥିବା ବ୍ୟକ୍ତିମାନେ ନିଜ ପୁରୁଣା କିମ୍ବା ନୂଆ ବସ୍ତ୍ରକୁ ଦାନ କରିପାରିବେ। ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲୁ ରହିବ। ନିଜର ବସ୍ତ୍ର ଦାନ କରିବା ପାଇଁ ୯୯୩୭୦୬୦୦୦୫ରେ ଯୋଗାଯୋଗ କରିବାକୁ ହେବ। ଓଡ଼ିଶା ବାହାରେ ଯଥା କୋଲକାତା, ପୁଣେ, ମୁମ୍ବାଇ ଓ ହାଇଦ୍ରାବାଦ୍ର ବାସିନ୍ଦାମାନେ ୭୪୪୭୪୪୯୨୯୬ ନମ୍ବରରେ ଯୋଗାଯୋଗ କରିପାରିବେ। ଅଭିଯାନର ଟ୍ୟାଗ୍ଲାଇନ ରହିଛି ‘ଆପଣଙ୍କ ପୁରୁଣା ବସ୍ତ୍ରକୁ ଦିଅନ୍ତୁ ଆଉ ଏକ ଜୀବନ।‘