ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ମେଘ ଉତ୍ସବ ‘ଶ୍ରାବଣୀ’। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା ଭାଷାବିତ୍ ପ୍ରଫେସର ବସନ୍ତ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତୀୟ ସାହିତ୍ୟରେ ବର୍ଷାଋତୁର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ। ବିଶିଷ୍ଟ ସାହିତ୍ୟିକ ତଥା ଗାଳ୍ପିକ ପ୍ରଫେସର ତରୁଣ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟରେ ମେଘ ଓ ବର୍ଷାର ବର୍ଣ୍ଣନା ସମ୍ପର୍କିତ ରଚନାବଳୀ ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ। ବିଶିଷ୍ଟ କବି ଅମରେଶ ପଟ୍ଟନାୟକ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟ ବର୍ଷାର ବର୍ଣ୍ଣନାକୁ ନେଇ ସମୃଦ୍ଧ ଓ ରୁଦ୍ଧିମନ୍ତ ହୋଇଛି ବୋଲି ମତବ୍ୟକ୍ତ କରିବା ସହ ଓଡ଼ିଆ କବିତା ଓ ବର୍ଷା କେଉଁଭଳି ଭାବରେ ପରସ୍ପର ପରିପୂରକ ତାହାର ବ୍ୟାଖ୍ୟା କରିଥିଲେ। କୁଳସଚିବ ଅନାମିକା ଅଧିକାରୀ ମେଘ ଉତ୍ସବର ଆଭିମୁଖ୍ୟ ଓ ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରିଥିଲେ।
ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ସହକାରୀ ପ୍ରଫେସର ଆଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶୀ କଣ୍ଠ ସଂଗୀତ ବିଭାଗର ସହଯୋଗୀ ପ୍ରଫେସର ଧୀରଜ କୁମାର ମହାପାତ୍ର ଓଡ଼ିଆ ଭାଗବତରୁ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବାବେଳେ ଜ୍ଞାନରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଘ ଉପରେ ଆଧାରିତ ହିନ୍ଦୁସ୍ତାନୀ କଣ୍ଠ ସଂଗୀତ, ଓଡ଼ିଶୀ କଣ୍ଠ ସଂଗୀତ, ଓଡ଼ିଶୀ ନୃତ୍ୟ ଓ ତବଲା ବାଦନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ଶୈଳୀରେ ପରିବେଷିତ ହୋଇଥିଲା। ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବରେ ଛାତ୍ରଛାତ୍ରୀମାନେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ।