ଭୁବନେଶ୍ବର: ରାତି ପାହିଲେ ଭୁବନେଶ୍ବରରେ ଉଦ୍ଘାଟିତ ହେବ ୫୯ତମ ଡିଜି-ଆଇଜି ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ଦେଶର ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏହି ସମ୍ମିଳନୀରେ ସାମିଲ ହେବେ। ତେଣୁ ପୂରା ସହରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ଆଜି କାର୍କେଡ୍ ରିହର୍ସାଲ୍ କରାଯିବା ସହିତ କେଉଁଠି କେଉଁ ବାହିନୀ ଜଗି ରହିବେ, ତା’ର ମଧ୍ୟ ରିହର୍ସାଲ୍ କରାଯାଇଛି।
ଆସନ୍ତାକାଲି ଅପରାହ୍ଣ ୪.୨୦ ମିନିଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବେ। ସେଠାରେ ତାଙ୍କୁ ସ୍ବାଗତ କରାଯିବ। ସେଠାରୁ ସେ ରାଜଭବନ ଯିବେ ଓ ପରେ ପାର୍ଟି ଅଫିସ୍କୁ ଯାଇ ରାଜଭବନ ଫେରିବେ। ଏହି କାର୍ଯ୍ୟକ୍ରମ ପାଇଁ ଆଜି ବିମାନବନ୍ଦରରୁ କାର୍କେଡ୍ ରିହର୍ସାଲ୍ କରାଯାଇଥିଲା। ସେହିଭଳି ଗୃହମନ୍ତ୍ରୀ ଶ୍ରୀ ଶାହଙ୍କୁ ବିମାନବନ୍ଦରରେ ସ୍ବାଗତ କରାଯିବ। ସେ ସେଠାରୁ ଡିଜି-ଆଇଜି ସମ୍ମିଳନୀକୁ ଯିବେ। ତାଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁସାରେ ଆଜି କାର୍କେଡ୍ ରିହର୍ସାଲ୍ କରାଯାଇଥିଲା। ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ଅଧିକାରୀ ଆଜି ଭୁବନେଶ୍ବରରେ ପହଞ୍ଚିସାରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ତପନ ଡିକା ମଧ୍ୟ ପହଞ୍ଚିଛନ୍ତି। ଅତିଥିଙ୍କ ସ୍ବାଗତ ପାଇଁ ବିମାନବନ୍ଦରରେ କ୍ୟାମ୍ପ ସାଙ୍ଗକୁ ଦୁଇଟି ହେଲ୍ପଡେସ୍କ ଖୋଲାଯାଇଛି। ରାଜ୍ୟ ଅତିଥିଭବନରେ ସବୁ ରାଜ୍ୟର ପୁଲିସ ଡିଜି ଓ ଆଇଜି ଅବସ୍ଥାନ କରୁଛନ୍ତି। ଏହି ଅବସରରେ ଭୁବନେଶ୍ବର ଉପରେ ଦେଶର ବିଭିନ୍ନ ସୁରକ୍ଷା ବାହିନୀ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ ୧୦ କମ୍ପାନି କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି। ରାଜଧାନୀର ୫ଟି ପ୍ରମୁଖ ସ୍ଥାନ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ସେହିଭଳି ବିମାନବନ୍ଦରରୁ ଆରମ୍ଭ କରି ରାଜଭବନ, ଲୋକସେବା ଭବନ, ଚନ୍ଦ୍ରଶେଖରପୁରସ୍ଥିତ ଆଇପିଏସ୍ ଭବନ ଓ ଏହାର ସଂଲଗ୍ନ ରାସ୍ତାକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। ଭିଭିଆଇପି ସୁରକ୍ଷା ଲାଗି କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହାବାଦ୍ ସହର ସାରା ବିଏସ୍ଏଫ୍, ସିଆର୍ପିଏଫ୍, ଓଡ୍ରାଫ୍ ଓ କ୍ବିକ୍ ରିଆକ୍ସନ୍ ଟିମ୍ ନିୟୋଜିତ ହୋଇଛନ୍ତି। ଏସ୍ପିଜି ଓ ଏନ୍ଏସ୍ଜି ଟିମ୍ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି। ରାଜଭବନ, ରାଜ୍ୟ ଅତିଥିଭବନ ଓ କନ୍ଭେନ୍ସନ୍ ହଲ୍ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି।
ବିମାନ ବନ୍ଦରରେ ଖୋଲିଲା ହେଲ୍ପ ଡେସ୍କ
ଆଜି ଅତିଥି ଭବନରେ ଅବସ୍ଥାନ କରୁଛନ୍ତି ପୁଲିସ ଡିଜି, ଆଇଜି
କ୍ୟାପିଟାଲ ହସ୍ପିଟାଲ୍ରେ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍
୩୪ ଡାକ୍ତର ନିୟୋଜିତ
ଡିଜି-ଆଇଜି ସମ୍ମିଳନୀ ସମୟରେ କାଳେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବ, ସେଥିଲାଗି ପୂରା ପ୍ରସ୍ତୁତି କରିଛି ସ୍ବାସ୍ଥ୍ୟ ବିଭାଗ। ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ୍ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଠାରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ର ବ୍ୟବସ୍ଥା କରାଯାଇଛି। ଏସବୁ ପରିଚାଳନା ପାଇଁ ସ୍ବାସ୍ଥ୍ୟ ବିଭାଗ ଏଠାରେ ୧୦ ଜଣ କର୍ମଚାରୀଙ୍କୁ ବି ନିଯୁକ୍ତି ଦେଇଛି।
କେବଳ ସେତିକି ନୁହେଁ, ଭିଭିଆଇପି ଗସ୍ତ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଅଧିକ ଡାକ୍ତର ନିୟୋଜିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ମୋଟ ୩୪ ଜଣ ଡାକ୍ତରଙ୍କୁ ଏଠାରେ ଅବସ୍ଥାପିତ କରାଯାଇଛି। ସେମାନଙ୍କ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ୍ର ବିଭିନ୍ନ ବିଭାଗରୁ ୬ ଜଣ ଡାକ୍ତର ରହିଛନ୍ତି। ଏହାଛଡ଼ା ଜରୁରିକାଳୀନ ପରିସ୍ଥିତି ପାଇଁ କ୍ୟାପିଟାଲ ହସ୍ପିଟାଲ୍ର ଡାକ୍ତରଙ୍କୁ ସଜାଗ ରହିବାକୁ ହସ୍ପିଟାଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଡାକ୍ତରୀ ଦଳ ତିନି ଦିନିଆ ସମ୍ମିଳନୀ ସମୟରେ ସ୍ବାସ୍ଥ୍ୟ ସେବା ଉପରେ ପୂରା ନଜର ରଖିବେ।
ଅନ୍ୟପକ୍ଷରେ ଏତେ ସଂଖ୍ୟକ ଡାକ୍ତର ପୁଲିସ ବାବୁଙ୍କ ସ୍ବାସ୍ଥ୍ୟ ଜଗିବା ପାଇଁ ନିଯୁକ୍ତି ପରେ କ୍ୟାପିଟାଲ ହସ୍ପିଟାଲର ସ୍ବାସ୍ଥ୍ୟ ସେବା ଦାୟିତ୍ବରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପିଜି ଷ୍ଟୁଡେଣ୍ଟ୍ଙ୍କୁ ସ୍ବାସ୍ଥ୍ୟ ସେବା କାର୍ଯ୍ୟରେ କର୍ତ୍ତୃପକ୍ଷ ନିୟୋଜିତ କରିଛନ୍ତି।
ସ୍ବାଗତ ଉତ୍ସବରେ ରହିଲେ ମୁଖ୍ୟମନ୍ତ୍ରୀ, ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର
ରାଜ୍ୟରେ ପ୍ରଥମ ଥର ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଡିଜି ଓ ଆଇଜି ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଡିଜି ଓ ଆଇଜିଙ୍କ ସ୍ବାଗତ ସମାରୋହରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ସ୍ବାଗତ କରିଥିଲେ। ଏହି ଅବସରରେ ଆଇପିଏସ୍ ମେସ୍ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସ୍ବାଗତ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ବରରେ ପହଞ୍ଚି ଆସନ୍ତାକାଲି ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀର ସମୀକ୍ଷା କରିଛନ୍ତି। ସନ୍ଧ୍ୟାରେ ଶ୍ରୀ ପ୍ରଧାନ ଏୟାରପୋର୍ଟ ନିକଟସ୍ଥ ସମ୍ବର୍ଦ୍ଧନା ସଭାସ୍ଥଳକୁ ଯାଇ ସମୀକ୍ଷା କରିବା ରହିତ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ତାଙ୍କ ସହିତ ରାଜ୍ୟର ବହୁ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିଥିଲେ।