ଅନନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ, ସଂଧ୍ୟାରେ ଡିସଚାର୍ଜ ହେଲେ

ଭୁବ‌ନେଶ୍ବର : ଭୁବନେଶ୍ବର ମଧ୍ୟର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ରବିବାର ରାତିରେ ଝାରପଡ଼ା ଅଞ୍ଚଳରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ।

ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ଆଇସିୟୁରେ ଚିକିତ୍ସିତ ହେଉଥିବା ଶ୍ରୀ ଜେନାଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟବାସ୍ଥା ସଂପର୍କରେ ପଚାରିଥିଲେ। ସେଠାରେ ଏକାମ୍ର ଭୁବନେଶ୍ବର ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ, ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ଅମରେଶ ଜେନାଙ୍କ ସମେତ ଦଳର ବହୁ କର୍ମକର୍ତା ଉପସ୍ଥିତ ଥିଲେ।

ଗତକାଲି ଶ୍ରୀ ଜେନା ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ରାତିରେ ହିଁ ତାଙ୍କର ସିଟି ସ୍କାନ୍ କରାଯାଇଥିଲା। ଏହାସହ ତାଙ୍କ ମୁଣ୍ଡରେ ଷ୍ଟିଚ୍ ପଡ଼ିବା ସହ ବ୍ୟାଣ୍ଡେଜ୍ ହୋଇଥିଲା। ଶ୍ରୀ ଜେନାଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିବା ପ‌େର ତାଙ୍କୁ ଆଜି ସଂଧ୍ୟାରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ତାଙ୍କୁ ପୁଲିସ ଏସ୍କର୍ଟରେ ହସ୍ପିଟାଲରୁ ଘରକୁ ଅଣାଯାଇଛି। ତାଙ୍କ ସୁରକ୍ଷା ପାଇଁ ତାଙ୍କ ବାସଭବନରେ ପୁଲିସ ମୁତୟନ କରାଯାଇଛି।

ଶ୍ରୀ ଜେନା ଡିସଚାର୍ଜ ହେବା ପରେ ତାଙ୍କୁ ଦେଖିବା ପାଇଁ ତାଙ୍କ ବାସଭବନରେ ଶହଶହ ସମର୍ଥକଙ୍କ ଭିଡ଼ ଲାଗିଛି। ହେଲେ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ଡାକ୍ତର ତାଙ୍କୁ ଅଧିକ ଲୋକଙ୍କ ସହ ନମିଶିବାକୁ କହିଛନ୍ତି। ଅନନ୍ତଙ୍କ ସମର୍ଥକମାନେ ତାଙ୍କ ଆରୋଗ୍ୟ କାମନା କରି ଆଜି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରିଛନ୍ତି।

ସମ୍ବନ୍ଧିତ ଖବର