ଭୁବନେଶ୍ବର : ଆସନ୍ତା ୬ତାରିଖରେ ଜନତା ମଇଦାନରେ ଆୟୋଜନ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୧୦,୫୦୦ ବସ୍ତିବାସିନ୍ଦାଙ୍କୁ ଆବାସ୍ ଯୋଜନାରେ ଘର ବାଣ୍ଟିବେ। ଏହାସହ ମୁଖ୍ୟମନ୍ତ୍ରୀ ଗାଡ଼କଣରେ ନିର୍ମାଣ ହୋଇଥିବା ରଙ୍ଗମାଟିଆ ବସ୍ତି ଉନ୍ନତୀକରଣ ପ୍ରକଳ୍ପକୁ ଉଦ୍ଘାଟନ କରିବେ ବୋଲି ଜଣାପଡ଼ିଛି। ଏନେଇ ବିଏମ୍ସି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୧୦ହଜାର ହିତାଧିକାରୀଙ୍କୁ ଘର ଆବଣ୍ଟନ ହେବାକୁ ଥିବାବେଳେ ୮୬୦୦ହିତାଧିକାରୀଙ୍କୁ ଏନଟାଇଟେଲ୍ମେଣ୍ଟ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଯେଉଁମାନଙ୍କୁ ପରବର୍ତ୍ତୀ ସମୟରେ ଆର୍ଥିକ ଦୁର୍ବଳ ବର୍ଗଙ୍କ ଉଦ୍ଦିଷ୍ଟ ଘର ମିଳିବ। ସେହିପରି ପ୍ରାୟ ୨ହଜାର ହିତାଧିକାରୀଙ୍କୁ ପ୍ରୋଭିଜନାଲ ଏବଂ ଚୂଡ଼ାନ୍ତ ଘର ଆବଣ୍ଟନ ହେବ ବୋଲି ଜଣାପଡ଼ିଛି। ଏଥିରେ ପଥରବନ୍ଧ, ମହିଷାଖାଲ ପ୍ରକଳ୍ପ, ରଙ୍ଗମାଟିଆ ବସ୍ତି ଉନ୍ନତୀକରଣ ପ୍ରକଳ୍ପରେ ଚୂଡ଼ାନ୍ତ ଘର ଆବଣ୍ଟନ ହେବ। ସେହିପରି ନୀଳମାଧବ ବସ୍ତି ଏବଂ ଅନ୍ୟ କେତୋଟି ପ୍ରକଳ୍ପର ହିତାଧିକାରୀଙ୍କୁ ଏନଟାଇଟେଲମେଣ୍ଟ ସାର୍ଟିଫିକେଟ୍ ପ୍ରଦାନ କରାଯିବ।