ପୁରୁଣା ଭୁବନେଶ୍ବର: ‘‘ଆତ୍ମାର ଜାଗୃତି ହିଁ ଜାଗର ପର୍ବର ମୁଖ୍ୟ ଉଦ୍ଦେଶ୍ୟ। ଆତ୍ମାର ଜାଗରଣରେ ଜାଗର ପର୍ବର ସୁଫଳ ମିଳିପାରିବ। ଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ରର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ଆମ ସରକାର ଚେଷ୍ଟିତ। କେବଳ ଲିଙ୍ଗରାଜ ମନ୍ଦିର ନୁହେଁ ବରଂ ରାଜ୍ୟର ସମସ୍ତ ଆଧ୍ୟାତ୍ମିକ ସ୍ଥାନମାନଙ୍କର ଉନ୍ନତୀକରଣ ହେବା ସହିତ ବିକାଶ କରିବା ପାଇଁ ଆମ ଉଦ୍ୟମ ଜାରି ରହିବ।’’ ପବିତ୍ର ଶିବରାତ୍ରିରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ ଭଜନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲିଙ୍ଗରାଜ ଭଜନ ମଣ୍ଡପ ପୁନରୁଦ୍ଧାର ପାଇଁ ନଡ଼ିଆ ବାଡ଼େଇ ଶୁଭ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଅନୁଷ୍ଠାନର ଉପସଭାପତି ବିଧାୟକ ବାବୁ ସିଂ, ବିଏମ୍‌ସି ମେୟର ସୁଲୋଚନା ଦାସ, ବିଜେପି ନେତା ସମୀର ମହାନ୍ତି, ଶିବାନନ୍ଦ ରାୟ, ଜଗନ୍ନାଥ ପ୍ରଧାନ, ରଶ୍ମି ମହାପାତ୍ର, ମନ୍ମଥ ରାଉତରାୟ, ବିରଞ୍ଚି ନାରାୟଣ ମହାସୂପକାର ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ଅନୁଷ୍ଠାନର ସମ୍ପାଦକ ସନତ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ।

Advertisment

ମନ୍‌ ମେରୀ ମନ୍ଦିର ଶିବ୍ ମେରୀ ପୂଜା...

ffddfrf

ମୁମ୍ୱାଇର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲ ମନ୍‌ ମେରୀ ମନ୍ଦିର ଶିବ୍‌ ମେରୀ ପୂଜା... ଓଁ ନମଃ ଶିବାୟ ହରହର ବୋଲେ ନମଃ ଶିବାୟ.. କେରି କେରି ସୁନାଦୁବ ଆଦି ଲୋକପ୍ରିୟ ସଙ୍ଗୀତ ପରିବେଷଣ କରି ଶ୍ରୋତାଙ୍କ ମନମୁଗ୍ଧ କରିଥିଲେ। ପରେ ଉଷା ଉଥୁପ ଉନ୍‌ସେହି ପ୍ରାର୍ଥନା ମାଗେ ହମ୍ କ୍ୟା..., ଶିବ ପଞ୍ଚାକ୍ଷରୀ ସ୍ତୋତ୍ର…, ଭଜନ କର ଝରି ଜବାନୀ ମେ..., ଓଁ ନମଃ ଶିବାୟ ସଙ୍ଗୀତ ପରିବେଷଣ କରିଥିଲେ। ସେହିପରି ଅଭିଜିତ ଘୋଷାଲ, ମଧୁମିତା ପାଉଲ, ୟୁପିର ପ୍ରତୋଷ ଶର୍ମା, କୋଲକାତାର କୁମାର ସଞ୍ଜୟଙ୍କ ସମେତ ଓଡ଼ିଶାର ୨୦ରୁ ଊର୍ଦ୍ଧ୍ବ ଖ୍ୟାତନାମା କଣ୍ଠଶିଳ୍ପୀ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ଆଇଏମ୍‌ଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର, ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ପ୍ରସନ୍ନ କୁମାର ସ୍ବାଇଁ, ପ୍ରବଚକ ଜିତୁ ଦାସ, ପଙ୍କଜ ଲୋଚନ ମହାନ୍ତି, ଭାଗବତ ସାହୁ, ଚିନ୍ମୟାନନ୍ଦ ବଡ଼ଜେନା, କେ. ମୁରୁଗାସାନ, ବିଶିଷ୍ଟ ଅର୍ଥନୀତିଜ୍ଞ ରାଜୀବ ଶେଖର ସାହୁ, ସଙ୍ଗୀତ ନିର୍ଦେଶକ ପ୍ରେମାନନ୍ଦ, ଶିକ୍ଷାବିତ୍‌ ଡ. ବଦ୍ରିନାଥ ପଟ୍ଟନାୟକ, ଓକିଲ ସଂଘ ସମ୍ପାଦକ ଦୀପକ ଦାଶ, ଆଇନଜୀବୀ ସତ୍ୟରଞ୍ଜନ ସେନାପତି, ବରିଷ୍ଠ ଡାକ୍ତର ଶଙ୍କର ଆଚାର୍ଯ୍ୟ, ମାଧବାନନ୍ଦ ବେହୁରା, ତିରୁପତି ଶ୍ରୀବତ୍ସ ପତି, ଇପ୍‌ସିତା ଦାସ ପ୍ରମୁଖଙ୍କୁ ଏକାମ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ୨୪ଘଣ୍ଟିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଭୋର ୪ଘଟିକାରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ରନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମଚରିତ ମାନସ ପାରାୟଣ ଓ ପ୍ରବଚନ ସନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହାକୁ ରତିକାନ୍ତ ମହାସୁଆର, ଲଲାଟେନ୍ଦୁ ମହାନ୍ତି, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସୁଧୀର ରଞ୍ଜନ ଜେନା, ଗଣେଶ ପାଲ, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ, ବିଶ୍ୱନାଥ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।