ଜବରଦଖଲ ଉଚ୍ଛେଦରେ ପାତରଅନ୍ତର : ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚାପି ବସିଛି ସିଏମ୍‌ସି

କଟକ: ଏସ୍‌ସିବି ଓ ତାଳଦଣ୍ଡା ‌ରାସ୍ତା ସଂପ୍ରସାରଣ ପାଇଁ ପ୍ରଶାସନ ଏବେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାକୁ ଦିନରାତି ଏକ କରି ଦେଇଛି। ମାତ୍ର ଟାଉନହଲ ରୋଡ ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଦୂର କରିବାକୁ ପ୍ରସ୍ତୁତ ହୋଇଥିବା ଜବରଦଖଲ ଉଚ୍ଛେଦ ଯୋଜନା ପ୍ରତି ଦେଖାଉ ନାହିଁ ‌ଆନ୍ତରିକତା। ରାସ୍ତା କଡରେ ସିଏମ୍‌ସି ଜମି ଉପରେ ଥିବା ଏକ ଘର ରାସ୍ତାକୁ ଜବରଦଖଲ କରି ରହି ଥିବା ବେଳେ ଏହାକୁ ଉଚ୍ଛେଦ କରିବାକୁ ଗତ ବର୍ଷ ମେ’ ମାସରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସିଏମ୍‌ସି କର୍ତ୍ତୃପକ୍ଷ ଦୀର୍ଘ ଦିନ ଧରି ଏହାକୁ ଚାପି ଦେଇଥିବା ଅଭିଯୋଗ ହୋଇଛି। ସମୟ ଗଡି ଚାଲିଥିବା ବେଳେ ଏବେ ମାମଲାଟି ଓପିଏଲ୍‌ଇ ନିୟମରେ ତହସିଲଦାରଙ୍କ ନିକଟରେ ବିଚାରାଧୀନ ରହିଛି।

ଅନେକ ସ୍ମୃତିକୁ ବହନ କରି ରଖିଥିବା ମହାନଗର ନିଗମର ୨୧ ନମ୍ବର ୱାର୍ଡସ୍ଥିତ ଟାଉନ୍‌ ହଲ୍‌ ରୋଡରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ଗତ ଦୁଇ ବର୍ଷ ହେବ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇ ଆସୁଛି। ଏଠାରେ ଶତାୟୁ ସଭାଗୃହ ଶ୍ରୀରାମଚନ୍ଦ୍ର ଭବନ ସହିତ ଶତାବ୍ଦୀ ଭବନ, ଟାଉନ୍‌ ହଲ୍‌ ପରି ଗୌରବମୟ ପ୍ରତିଷ୍ଠାନ ରହିଛି। ଏହା ସହିତ ଏହାର ଆଖପାଖରେ ରହିଛି ମ୍ୟୁନିସିପାଲଟି କ୍ୟାଲଣ ମଣ୍ଡପ, ସଦିନ ଭବନ, ଅତ୍ୟାଧୁନିକ ଦୁର୍ଗା ଆଇନକ୍ସ ଓ ମଲ୍‌, ପାର୍କ ଭଳି ସାଧାରଣ ବ୍ୟବହାରରେ ଆସୁଥିବା ଅନେକ ପ୍ରତିଷ୍ଠାନ। ପ୍ରତିଦିନ ଏଠାରେ କିଛି ନା କିଛି ଉତ୍ସବ ଲାଗି ରହିଥିଏ। ମାତ୍ର ରାସ୍ତା ସଂକୀର୍ଣ୍ଣ ଯୋଗୁଁ ସବୁ ସମୟରେ ଏଠାରେ ଟ୍ରାଫିକ୍‌ ସମସ୍ୟା ଲାଗି ରହିଥାଏ। ଅନେକ ସମୟରେ ଟ୍ରାଫିକ ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ଓ ଦମକଳ ଗାଡି ଯିବାରେ ସମସ୍ୟା ଦେଖାଯାଏ। ରାସ୍ତା ସଂପ୍ରସାରଣ ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଥମେ ଜିଲ୍ଲାପାଳଙ୍କୁ ପତ୍ର ଲେଖିଥିଲେ। ମାତ୍ର କୌଣସି ସୁଫଳ ନ ମିଳିବାରୁ ରାଜ୍ୟପାଳଙ୍କୁ ଗୁହାରି କରିଥିଲେ। ଗତବର୍ଷ ଜୁଲାଇରେ ରାଜ୍ୟପାଳ ରାସ୍ତାର ସଂପ୍ରସାରଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସରକାରୀସ୍ତରରେ ଉଚ୍ଛେଦ କାମ ଆରମ୍ଭ ହୋଇଥଲା। ଏଠାରେ ସିଏମ୍‌ସି ଜମି ଉପରେ ଥିବା ପିଏଚ୍‌ଡିର ୭ଟି କ୍ବାର୍ଟର୍ସକୁ ଭଙ୍ଗା ଯାଇଥିଲା। ମାତ୍ର ଏହାକୁ ଲାଗି ଜବର ଦଖଲରେ ଥିବା ଗୋଟିଏ ଘରର ସୁରକ୍ଷା ପାଇଁ ଏଠାରେ ଥିବା ବ୍ୟକ୍ତି ଜଣକ ହାଇକୋର୍ଟର ଆଶ୍ରୟ ନେଇଥିଲେ। ଜବରଦଖଲରେ ଥିବା ଘରକୁ ଉଚ୍ଛେଦ କରିବାକୁ ହାଇକୋର୍ଟ ଚିଠି ନମ୍ବର ୧୨୨୮୧/୨୨-୭-୧୯ରେ ସିଏମ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ। ସିଏମ୍‌ସି କର୍ତ୍ତୃପକ୍ଷ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଏହାକୁ ଚପାଇ ବସି ଯାଇଥିଲ। ଗତ ନଭେମ୍ବରରେ ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ପୁଣି ଦାବି କରିବାରୁ ଏବେ ଏହା ତହସିଲଦାରଙ୍କ ଓପିଏଲ୍‌ଇ କୋର୍ଟରେ ବିଚାରାଧୀନ ରହିଛି। ତେବେ ସିଏମ୍‌ସି କର୍ତ୍ତୃପକ୍ଷ କାହା ସ୍ବାର୍ଥରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚପାଇ ବସିଥିଲେ ବୋଲି ସାଧାରଣରେ ପ୍ରଶ୍ନ ହୋଇଛି। ଏନେଇ ଡେପୁଟି କମିସନର ଅବିନାଶ ରାଉତ କହନ୍ତି, ଜବର ଦଖଲରେ ଥିବା ଘରର ଉଚ୍ଛେଦ ପାଇଁ ତହସିଲଦାରଙ୍କ ଓପିଏଲ୍‌ଇରେ ବିଚାରଧୀନ ରହିଛି। ନି‌ଷ୍ପତ୍ତି ଆସିବା ପରେ ତୁରନ୍ତ କାର୍ଯ୍ୟାନୁ‌ଷ୍ଠନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର