କଟକ : ସିଏମସି କାଉନସିଲ ବୈଠକରେ ତୁମ୍ବି ତୋଫାନ। ଜୋରଦାର ନାରାବାଜି ସହ ଧାରଣାରେ ବସିଲେ ବିରୋଧୀ କର୍ପୋରେଟର। ଏକ ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥାକୁ କାର୍ଯ୍ୟ ନିର୍ଦ୍ଦେଶ ଦିଆଯିବାକୁ ନେଇ ବିରୋଧୀ କର୍ପୋରେଟରମାନେ ହୋ ହଲା କରିଛନ୍ତି। ଗତ କାଉନସିଲ ବୈଠକରେ ମଧ୍ୟ ସମାନ ଢ଼ଙ୍ଗରେ ଉକ୍ତ ସଂସ୍ଥା ଟେଣ୍ଡର ପାଇବା ଉପରେ ନାରାବାଜି କରିଥିଲେ ବିରୋଧୀ। ତେବେ ଏହି ଦିଗରେ ଏଯାବତ ସିଏମସି କୌଣସି ଠୋସ ପଦକ୍ଷେପ ଗ୍ରହଣ ନ କରି ନଥିବାରୁ ପୁଣି ଆଜି ଏହି ସଂସ୍ଥା ବିରୋଧରେ ଗର୍ଜିଛନ୍ତି ବିରୋଧୀ। ବିରୋଧୀଙ୍କ କହିବାନୁଯାୟୀ, ସିଏମସିରେ ଜଣେ ଅଧିକାରୀ କାର୍ଯ୍ୟରତ ରହି ବେଆଇନ ଭାବରେ ନିଜ ପରିବାରର ସ୍ଵର୍ଣଦେବୀ ଘରୋଇ ସଂସ୍ଥାକୁ କିପରି ଟେଣ୍ଡର ଆଲଟ ହେଉଛି।
ଏନେଇ ଗତ କାଉନସିଲ ବୈଠକରେ ମଧ୍ୟ ପ୍ରଶ୍ନ ଉଠିଥିଲା । ଏହି ଦିଗରେ ସିଏମସି କମିସନର ଓ ମେୟର ଏକ ରୁଲିଂ ଦେଇଥିଲେ ଯେ ଏହି ସଂସ୍ଥାକୁ ଦିଆଯାଇଛି ଥିବା କାର୍ଯ୍ୟ ସ୍ଥଗିତ ରଖାଯାଉ । ହେଲେ ତାହା କେବଳ କାଗଜ କଲମରେ ରହିଛି। ବର୍ତ୍ତମାନ ଏହି ସଂସ୍ଥାକୁ କାମ ଦିଆଯାଇଛି ବୋଲି କହିଛନ୍ତି ବିରୋଧୀ କର୍ପୋରେଟର। ତେବେ ସିଏମସିରେ ବ୍ୟାପକ ଭାବରେ ଦୁର୍ନୀତି ହେଉଥିବା ସ୍ପଷ୍ଟ କରିଛନ୍ତି କର୍ପୋରେଟର। ଏହାସହ ନେତାଜୀ ବସ ଟର୍ମିନାଲରେ ଆହାର କେନ୍ଦ୍ର ନିର୍ମାଣ ନାଁରେ ୫ କୋଟି ଟଙ୍କା ଖର୍ଚ୍ଚ ଦେଖାଇ ସିଏମସି ଦୁର୍ନୀତିର ଗନ୍ତାଘର ପାଲଟି ଥିବା ଅଭିଯୋଗ କରିଛନ୍ତି ବିରୋଧି ଦଳ କର୍ପୋରେଟର ସନ୍ତୋଷ ଭୋଳ । ଅନ୍ୟପଟେ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରିବା ବିରୋଧୀଙ୍କ ଅଧିକାର ରହିଛି ବୋଲି କହିଛନ୍ତି ମେୟର । ଏହା ସହିତ କଟକର ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ଏବଂ ଯେତିକି ଟଙ୍କା ଆୟବ୍ୟୟ ହେଉଛି ତାହା ସରକାରଙ୍କୁ ମଧ୍ୟ ଅବଗତ କରାଯାଉଛି। ତେଣୁ ଏଥିରେ କୌଣସି ପକ୍ଷପାତିତା ନାହିଁ । ତେଣୁ ସିଏମସି କଟକକୁ ନୂଆ ରୂପ ଦେବା ପାଇଁ ତତ୍ପର ଅଛି ବୋଲି କହିଛନ୍ତି ମେୟର ସୁବାଷ ସିଂହ ।