ସିଏନ୍‌ଜି ଷ୍ଟେସନ୍‌ ଉଦ୍‌ଘାଟିତ, ପ୍ରାକୃତିକ ଗ୍ୟାସ୍‌ରେ ଚାଲିବ ଗାଡ଼ି

ଭୁବନେଶ୍ୱର: ପ୍ରଦୂଷଣ ନିୟନ୍ତ୍ରଣ ଲକ୍ଷ୍ୟ ନେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୁବନେଶ୍ୱରରେ ସିଏନ୍‌ଜି ଷ୍ଟେସନ୍‌ର ଉଦ୍‌ଘାଟନ କରିଛନ୍ତି। ଚନ୍ଦ୍ରଶେଖରପୁର ଠାରେ ଥିବା ଭାରତ ପେଟ୍ରୋଲ ପମ୍ପରେ ସିଏନ୍‌ଜି ଷ୍ଟେସନର ଉଦ୍‌ଘାଟନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ୨ଟି ସିଏନ୍‌ଜି ଫିଲିଂ ଷ୍ଟେସନର ଉଦ୍‌ଘାଟନ ହୋଇଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟା ବଢ଼ିବ ବୋଲି ପ୍ରଧାନ କହିଛନ୍ତି।

ପାରମ୍ପରିକ ଇନ୍ଧନ ତୁଳନାରେ ସିଏନ୍‌ଜି ଅଧିକ ପରିବେଶ ଉପଯୋଗୀ ହୋଇଥିବା କାରଣରୁ ଏହା ବାୟୁ ପ୍ରଦୂଷଣ ରୋକିବାରେ ସହାୟକ ହୋଇଥାଏ। ଏହି ଇନ୍ଧନ କେଜି ପ୍ରତି ମାତ୍ର ୫୯ ଟଙ୍କା ହୋଇଥିବା ଏବଂ ଅଧିକ ମାଇଲେଜ୍‌ ଦେଖାଉଥିବାରୁ ଅଟୋ ଚାଳକମାନେ ଏଥିରୁ ବ୍ୟବସାୟିକ ଲାଭ ମଧ୍ୟ ପାଇପାରିବେ। ତେବେ ଗୋଟିଏ ଡିଜେଲ ଚାଳିତ ଅଟୋରେ ସିଏନ୍‌ଜି ବ୍ୟବସ୍ଥା କରିବାକୁ ହେଲେ ୩୫,୦୦୦ ଟଙ୍କା ଖର୍ଚ୍ଚ ହେବ। ବଜାଜ, ଅତୁଲ, ପିଆଜିଓ ଏବଂ ଟିଭିଏସ୍‌ ଆଦି କମ୍ପାନିର ରହିଥିବା ବିଭିନ୍ନ ମଡେଲ୍‌ର ଅଟୋଗୁଡ଼ିକୁରେ ସିଏନ୍‌ଜି ବ୍ୟବସ୍ଥା ଖଞ୍ଜି ହେବ। ଗୋଟିଏ ଅଟୋରେ ୪କେଜି ସିଏନ୍‌ଜି ରହି ପାରୁଥିବା ଟାଙ୍କିର ବ୍ୟବସ୍ଥା ଥିବାବେଳେ କେଜି ପିଛା ଏହା ୬୦ କିମି ଯାଇପାରିବ। ସିଏନ୍‌ଜି ବ୍ୟବସ୍ଥା କଲାପରେ ମଧ୍ୟ ଅଟୋରେ ଡିଜେଲ ବ୍ୟବସ୍ଥା ଅତୁଟ ରହିବ। ସେହିପରି ଏକ ବିଏସ୍‌୩ ମଡେଲର ସ୍କୁଟିରେ ଏହି ବ୍ୟବସ୍ଥା ଲଗାଇବାକୁ ହେଲେ ୧୫,୦୦୦ ଟଙ୍କା ଖର୍ଚ୍ଚ ହେବ। ପ୍ରାୟ ୨କେଜି ସିଏନ୍‌ଜି ଧରୁଥିବା ଏକ ଟାଙ୍କି ରହିବ ଏବଂ ଏହା ଏକ କେଜି ସିଏନ୍‌ଜରେ ୮୦ କିମି ଯାତ୍ରା କରିପାରିବ।

ସଂପ୍ରତି ରାଜଧାନୀରେ ୪୦ରୁ ଉର୍ଧ୍ୱ ସିଏନ୍‌ଜି ଚାଳିତ ଅଟୋ ରହିଛି। ସିଏନ୍‌ଜିର ଚାହିଦାକୁ ଲକ୍ଷ୍ୟ କରି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୨୫ଟି ସିଏନ୍‌ଜି ଷ୍ଟେସନ ସ୍ଥାପନ କରିବାର ଯୋଜନା ରହିଛି। ରମାମଣି ପେଟ୍ରୋଲ ପମ୍ପ, ଖଣ୍ଡଗିରି ଏବଂ ସ୍ୱାଗତ ପେଟ୍ରୋଲ ପମ୍ପ୍‌ ତମାଣ୍ଡୋରେ ମଧ୍ୟ ଖୁବ୍‌ଶୀଘ୍ର ଆଉ ଦୁଇଟି ସିଏନ୍‌ଜି ଷ୍ଟେସନ କାର୍ଯ୍ୟ ଆରମ୍ଭ କରିବା ନେଇ ଗେଲ୍‌ ପକ୍ଷରୁ ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱର ଓ କଟକରେ ୪୦୦ କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟ କରାଯିବ। ଆସନ୍ତା ବର୍ଷ ଏହି ଦୁଇ ସହରରେ ୧.୫ଲକ୍ଷ ଗାଡ଼ିକୁ ସିଏନ୍‌ଜି ଇନ୍ଧନ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ସିଏନ୍‌ଜି ଚାଳିତ ସ୍କୁଟର ଦିଲ୍ଲୀ, ମୁମ୍ବାଇ ଏବଂ ପୁଣେ ସହର ପରେ ଭୁବନେଶ୍ୱରରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର