ଛାତ୍ରୀଙ୍କୁ ଅସଦାଚରଣ ମାମଲା : ଜେଲ୍‌ ଗଲେ କୋଚିଂ ସେଣ୍ଟର୍‌ ମାଲିକ

ଚନ୍ଦ୍ରଶେଖରପୁର : ଜଣେ ଦଶମ ଶ୍ରେଣୀ ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆଜି ମଞ୍ଚେଶ୍ବର ଥାନା ପୁଲିସ ଏକ କୋଚିଂ ସେଣ୍ଟର୍‌ର ମାଲିକ ତଥା ଶିକ୍ଷକ ନାରାୟଣ ଖୁଣ୍ଟିଆ(୫୦)ଙ୍କୁ ଗିରଫ କରି ‌କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ତାଙ୍କୁ ଫସାଇ ଦିଆଯାଇଛି ବୋଲି ନାରାୟଣ କହିଛନ୍ତି। ଛାତ୍ରୀଙ୍କ ପରିବାର ଲୋକଙ୍କୁ ଦରମା ବାବଦରେ ୭ ହଜାର ଟଙ୍କା ମାଗିବାରୁ ସେମାନେ ଏପରି ଚକ୍ରାନ୍ତ କରିଥିବା ସେ କହିଛନ୍ତି। ଏପରିକି ଟଙ୍କା ଆଦାୟ କରିବା ପାଇଁ ଯାଇଥିବା ବେଳେ ତାଙ୍କୁ ଛାତ୍ରୀଙ୍କ ପରିବାର ଲୋକ ମାଡ଼ ମାରିଥିଲେ ବୋଲି ନାରାୟଣଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ଘଟଣା ଅନୁଯାୟୀ ମଙ୍ଗଳବାର ରାତି ପ୍ରାୟ ୧୨ ବେଳେ ମଞ୍ଚେଶ୍ବର ଷ୍ଟେସନ୍ ନିକଟ ଧୀରିକୁଟି ସାହିରେ ଥିବା କୋଚିଂ ସେଣ୍ଟର୍ ମାଲିକ ନାରାୟଣଙ୍କୁ ସ୍ଥାନୀୟ ବସ୍ତିର କିଛି ଲୋକ ଘରଭିତରୁ ଟାଣିଆଣି ନିସ୍ତୁକ ମାଡ଼ ମାରିଥିଲେ। ପରେ ତାଙ୍କୁ ସାତ ବେଣ୍ଟିଆ କରି ମୁଁହରେ ଚୁନକଳା ବୋଳି ବସ୍ତିରେ ବୁଲାଇଥିଲେ। ବସ୍ତିରେ ଉତ୍ତେଜନା ଦେଖାଯିବାରୁ ପୁଲିସ ପହଞ୍ଚି ନାରାୟଣଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ବସ୍ତି ଲୋକଙ୍କ କହିବା ଅନୁଯାୟୀ ଶିକ୍ଷକ ଜଣଙ୍କ ରାତି ପ୍ରାୟ ୯ଟା ବେଳେ ଛାତ୍ରୀଙ୍କ ଘରେ ପଶି ତାଙ୍କୁ ଅସଦାଚରଣ କରିଥିଲେ। ପରିବାର ଲୋକ ଶିକ୍ଷକଙ୍କୁ କାବୁ କରିବା ବେଳେ ସେ ଖସି ପଳାଇଥିଲେ। ପରେ ବସ୍ତିବାସିନ୍ଦା ତାଙ୍କ ଘରକୁ ଯାଇ ଗଣ୍ଡଗୋଳ କରିଥିଲେ। ଏନେଇ ମଞ୍ଚେଶ୍ବର ଥାନା ଆଇଆଇସି ଯତୀନ୍ଦ୍ରନାଥ ସେଠୀ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଅଭଯୋଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନା ନିଆଯିବ।

ସମ୍ବନ୍ଧିତ ଖବର