ଚନ୍ଦ୍ରଶେଖରପୁର: କଣ୍ଟାଝଟା ସାହାଯ୍ୟରେ ଗୋଲେଇ ଆକୃତିର ବାଡ଼ କରାଯାଇଥିଲା। ତା’ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ରାସ୍ତା ଥିଲା। ସେହି ରାସ୍ତା ଦେଇ ଗଞ୍ଜା ସହ ଦୁଇ ମାଲିକ ଭିତରକୁ ପ୍ରବେଶ କରୁଥା’ନ୍ତି। ସେଠାରେ ଚିହ୍ନଟ ହୋଇଥିବା ସ୍ଥାନ(ପାଳା)ରେ ନିଜ ଗଞ୍ଜାକୁ ଛାଡ଼ୁଥା’ନ୍ତି। ଦୁଇଟି ଯାକ ଲଢ଼ୁଆ ଗଞ୍ଜା ପାଳା ମଧ୍ୟକୁ ଆସିବା ପରେ ଲଢ଼େଇ କରାଉଥିବା ଅଭିଜ୍ଞ ବ୍ୟକ୍ତି ତଥା କାତିକାର ଦୁଇ ଗଞ୍ଜାଙ୍କ ଗୋଡ଼ରେ ତୀକ୍ଷ୍‌ଣ ଛୁରି(କାତି) ବାନ୍ଧୁଥିଲା। ପ୍ରତିପକ୍ଷ କାତିକାର ପହଞ୍ଚିବା ପରେ ଗଞ୍ଜାଦ୍ବୟକୁ କିଛି ସମୟ ଉତ୍ତେଜିତ କରିବା ପରେ ଆରମ୍ଭ ହେଉଥିଲା ଲଢ଼େଇ। ଗୋଟିଏ ଗଞ୍ଜା ସହ ଆଉ ଗୋଟିଏ ଗଞ୍ଜା ପରସ୍ପରକୁ ଆକ୍ରମଣ ଓ ପ୍ରତିଆକ୍ରମଣ କରୁଥିଲେ। ଲଢ଼ୁଆ ଗଞ୍ଜା ହୋଇଥିବାରୁ ଜଣେ ଅନ୍ୟଜଣଙ୍କ ବେକକୁ କାତିରେ ଚୋଟ ମାରିଥିଲା ତ ପ୍ରତିପକ୍ଷ ରକ୍ଷଣାତ୍ମକ ଭାବେ ଆକ୍ରମଣକୁ ପ୍ରତିହତ କରିବା ସହ ଆକ୍ରମଣ ମଧ୍ୟ କରୁଥିଲା। ଏମିତି ଭାବେ ଚାଲିଥିଲା ଗଞ୍ଜା ଲଢ଼େଇ। ଆଉ ଗୋଟିଏ ପରେ ଗୋଟିଏ ଗଞ୍ଜା ମାଟିରେ ଲୋଟି ପଡ଼ୁଥିଲେ।

Advertisment

ଆଜି ଏଭଳି ଏକ ପରିବେଶ ଦେଖିବାକୁ ମିଳିଥିଲା ସାଲିଆସାହିସ୍ଥିତ ହାତିଆଶୁଣି ପଡ଼ିଆରେ। ଦିନ ଦି’ପହରେ ଭରତପୁର ଜଙ୍ଗଲକୁ ଲାଗି ରହିଥିବା‌ ପଡ଼ିଆରେ ଏଭଳି ବେଆଇନ ଗଞ୍ଜା ଲଢ଼େଇ ଚାଲିଥିଲେ ମଧ୍ୟ କେହି ଟେର୍‌ ପାଇ ନଥିଲେ। ନା ପୁଲିସ ପାଖରେ ଖବର ଥିଲା ନା ପ୍ରଶାସନ। ‌ରାଜଧାନୀରେ ଗଞ୍ଜା ଲଢ଼େଇ ବେଆଇନ ଘୋଷଣା କରାଯାଇଥିଲେ ମଧ୍ୟ ଖୁଲମଖୁଲା ଭାବେ ଚାଲିଥିବା ଏହି ଖେଳକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗୁରୁତ୍ବପୂର୍ଣ୍ଣ କଥା‌ ହେଉଛି ଯେ ଗଞ୍ଜା ଲଢ଼େଇ ନାଁରେ ଏଠାରେ ଏକପ୍ରକାର ବେଟିଂ ଚାଲିଥିଲା। ଭିତରେ ଗଞ୍ଜା ଲଢ଼େଇ ଚାଲିଥିବା ବେଳେ ବାହାରେ ଉପସ୍ଥିତ ଥିବା ଦର୍ଶକ ନିଜ ପସନ୍ଦର ଗଞ୍ଜା ସପକ୍ଷରେ ଶହେରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ବାଜି ଲଗାଉଥିଲେ। ନିଜ ସପକ୍ଷର କୁକୁଡ଼ାର ରଙ୍ଗ ଅନୁସାରେ ଚିତ୍କାର କରୁଥିଲେ।

ଉତ୍କଣ୍ଠାର ସହ ସମସ୍ତେ ଫଳାଫଳକୁ ଅପେକ୍ଷା କରି ରହୁଥିଲେ। ଅସ୍ତ୍ର ବନ୍ଧାଥିବା କୁକୁଡ଼ାଦ୍ୱୟ ଆକ୍ରମଣ ଓ ପ୍ରତି ଆକ୍ରମଣରେ କ୍ଷତାକ୍ତ ହେଉଥିଲେ ମଧ୍ୟ ଦର୍ଶକମାନେ ତାହାର ମଜା ନେଉଥିଲେ। କେହି କିଛି ପ୍ରତିବାଦ କରି ନ ଥିଲେ। ନିଜ ସପକ୍ଷ କୁକୁଡ଼ା ଜିତିବା ଲାଗି ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ଗଞ୍ଜା ଲଢ଼େଇ ସମୟରେ କିଛି ଗଞ୍ଜା ପାଳା ଭିତରେ ରକ୍ତାକ୍ତ ଭାବେ ମରି ପଡ଼ିଥିବାର ଦୃଶ୍ୟ ବି ସାମ୍ନାକୁ ଆସିଥିଲା। ଯେଉଁମାନେ ବାଜିରେ ଲଗାଇଥା’ନ୍ତି ସେମାନଙ୍କ ଗଞ୍ଜା ଯଦି ଜିତୁଥିଲା, ତାଙ୍କୁ ଦୁଇ ଗୁଣା ଅର୍ଥ ଫେରସ୍ତ କରାଯାଉଥିଲା। ଆଉ ବାଜିରେ ଲାଗିଥିବା ଗଞ୍ଜା ଯଦି ହାରିଯାଉଥିଲା, ତେବେ ପଇସା ବୁଡ଼ୁଥିଲା। ଲଢ଼େଇ ପରେ ବିଜେତା ଗଞ୍ଜାର ମାଲିକ ପରାଜିତ ଗଞ୍ଜାକୁ ଅକ୍ତିଆର କରି ନେଇ ଯାଉଥିଲା। ମାତ୍ର ଯେଉଁମାନେ ବାଜିରେ ଅର୍ଥ ଲଗାଉଥିଲେ, ସେମାନେ ସର୍ବସ୍ବ ହରାଉଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଗଞ୍ଜା ଲଢ଼େଇ ଆଦିବାସୀଙ୍କ ସଂସ୍କୃତି ସହ ଜଡ଼ିତ। ସାଧାରଣତଃ ଉତ୍ତର ଓଡ଼ିଶାର ବଣ ଜଙ୍ଗଲଘେରା ଆଦିବାସୀ ଅଞ୍ଚଳରେ ଏହା ଅନୁଷ୍ଠିତ ହୋଇଥାଏ। ତେବେ ଗତ କିଛି ବର୍ଷ ହେଲା ସାଲିଆସାହିରେ ଏହି ଗଞ୍ଜା ଲଢ଼େଇ ହୋଇଆସୁଛି। ବେଆଇନ ହୋଇଥିବାରୁ ଲୁଚାଛପା ଭାବେ ଏଠାରେ ଚାଲୁଛି। ଆଦିବାସୀ ଅଞ୍ଚଳର ସାପ୍ତାହିକ ହାଟରେ ଗଞ୍ଜା ଲଢ଼େଇ ହେଉଥିବା‌ ବେଳେ ଏଠାରେ ଅନୁଷ୍ଠିତ ଲଢ଼େଇରେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳର ଆଦିବାସୀମାନେ କୁକୁଡ଼ା ସହ ପ୍ରତିଯୋଗିତାରେ ଭାଗ ନେଇଥା’ନ୍ତି। ଅନେକ ଦର୍ଶକ ଗଞ୍ଜା ଲଢ଼େଇରେ ବାଜି ଲଗେଇବାକୁ ଭିଡ଼ କରିଥାନ୍ତି।

ସୂଚନା ଅନୁଯାୟୀ, ୨୦୧୭ରୁ ଭୁବନେଶ୍ବରେ ଗଞ୍ଜା ଲଢ଼େଇକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ପୂର୍ବରୁ ସହରର ୭ରୁ ୮ଟି ସ୍ଥାନରେ ଏହା ଅନୁଷ୍ଠିତ ହେଉଥିଲା। ମାତ୍ର ବାରମ୍ବାର ଗୋଷ୍ଠୀ ସଂଘର୍ଷ ହେବା ଫଳରେ ଏହାକୁ ବନ୍ଦ କରାଯାଇଥିଲା। ଏବେ ପୁଣି ଗଞ୍ଜା ଲଢ଼େଇ ହେଉଥିଲେ ମଧ୍ୟ ପୁଲିସ ପାଖରେ ଖବର ନାହିଁ। ଏହି ଖେଳ ନିକଟରେ ହାଣ୍ଡିଆ ହାଟ ବସିଥିଲା। ଯେଉଁଠାରେ ହାଣ୍ଡିଆ ପିଇ ନିଶାଗ୍ରସ୍ତ ଲୋକ କୁକୁଡ଼ା ଓ ବାଜି ଖେଳରେ ସର୍ବସ୍ୱ ହରାଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା।