ଟ୍ରାଫିକ୍‌ ପୋଷ୍ଟ ସମ୍ଭାଳୁଛି ମାନସିକ ନଡ଼ିଆ

ଭୁବନେଶ୍ୱର: ଟ୍ରାଫିକ୍‌ ପୋଷ୍ଟ୍‍ରେ ନାହାନ୍ତି ଟ୍ରାଫିକ୍‌ ପୁଲିସ। ତାଙ୍କ ସ୍ଥାନ ନେଇଛି ନଡ଼ିଆ। ତେବେ ଏହି ନଡ଼ିଆ ମା’ ତାରିଣୀଙ୍କ ନାଁରେ ଆସି ଟ୍ରାଫିକ୍‌ ପୋଷ୍ଟରେ ଜମା ହୋଇଛି। ମା’ଙ୍କ ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ନଡ଼ିଆ ମା’ଙ୍କ ମନ୍ଦିରକୁ ଯିବା ପରିବର୍ତେ ଏଠାରେ ଗଦା ହେଉଛି। ଏପରି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ବରମୁଣ୍ଡା ଛକରେ ଥିବା ଟ୍ରାଫିକ୍‌ ପୋଷ୍ଟ୍‍ରେ। ଏ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ମା’ଙ୍କ ନିକଟକୁ ମାନସିକ ନଡ଼ିଆ ପଠାଇବାର ଏକ ପ୍ରମୁଖ ମାଧ୍ୟମ ହେଉଛି ବସ୍‌। ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ନଡ଼ିଆ ପଠାଇଥାନ୍ତି। ବସ୍‌ ଡ୍ରାଇଭର୍‌ମାନେ ସେଗୁଡ଼ିକୁ ଆଣି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ରଖୁଥିବା ବେଳେ କିଛି ବସ୍‌ ଚାଳକ ଏହାକୁ ବରମୁଣ୍ଡା ଟ୍ରାଫିକ୍‌ ପୋଷ୍ଟ ଭିତରେ ପକାଇ ଚାଲିଯାଉଛନ୍ତି। ନଡ଼ିଆ ସହ ସାଲୁ କନା, ଶଙ୍ଖା, ଚୁଡ଼ି, ପଇସା ଆଦି ମଧ୍ୟ ମା’ଙ୍କ ପାଖକୁ ପଠାଉଛନ୍ତି। ସେଗୁଡ଼ିକ ମଧ୍ୟ ଏହି ଟ୍ରାଫିକ୍‌ ପୋଷ୍ଟରେ ପଡ଼ି ରହିଛି। ମାସ ମାସ ଧରି ନଡ଼ିଆ ଜମା ହୋଇ ରହିଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଅନ୍ୟପକ୍ଷରେ ଟ୍ରାଫିକ୍‌ ପରିଚାଳନା କରୁଥିବା ପୁଲିସ ପୋଷ୍ଟ ଛାଡ଼ି ତଳେ ଛିଡ଼ା ହେଉଛନ୍ତି। ଲୋକମାନେ ବିଶ୍ୱାସରେ ରହୁଛନ୍ତି କି ସେମାନେ ପଠାଉଥିବା ମାନସିକ ନଡ଼ିଆ ମା’ଙ୍କ ପାଖରେ ପହଞ୍ଚିଯାଉଛି। ହେଲେ ସେମାନେ କେମିତି ଜାଣିବେ ଯେ, ମାନସିକ ନଡ଼ିଆ ଭୁବନେଶ୍ୱରରେ ଟ୍ରାଫିକ୍‌ ସମ୍ଭାଳୁଛି ବୋଲି।

ସ୍ଥାନୀୟ ବାସିନ୍ଦା ସନ୍ଦୀପ ପ୍ରଧାନ କହିଛନ୍ତି ଯେ, ବସ୍‌ ଚାଳକମାନେ ଏଠାରେ ନଡ଼ିଆ ପକାଇ ଚାଲିଯାଉଛନ୍ତି। ମାସ ମାସ ଧରି ଏହା ସେଠି ପଡ଼ି ରହୁଛି। ଭକ୍ତଙ୍କ ଭାବାବେଗ ସହ ଏଭଳି ଖେଳିବା ଠିକ୍‌ ନୁହେଁ। ଜଣେ ବସ୍‌ ଚାଳକ ସୁକାନ୍ତ କୁହନ୍ତି, ଆମେ ବାଟରୁ ନଡ଼ିଆ ଆଣୁଛୁ। ତେବେ ଆମ ବସ୍‌ ତାରିଣୀଙ୍କ ପୀଠକୁ ଯାଉ ନାହିଁ। ଏଠାରେ ରଖି ଦେଲେ କେନ୍ଦୁଝରକୁ ଯାଉଥିବା ବସ୍‌ ତାହା ନେଇଯିବା କଥା। ମାତ୍ର ନଡ଼ିଆ କାହିଁକି ନିଆଯାଉନି ତାହା ଆମେ କହିପାରିବୁ ନାହିଁ। ଟ୍ରାଫିକ୍‌ ପୋଷ୍ଟର ଜଣେ କର୍ମଚାରୀ କହିଛନ୍ତି, ପୋଷ୍ଟରେ ମାନସିକ ନଡ଼ିଆ ରଖାଯାଇଥିବାରୁ ଆମକୁ ତଳେ ଛିଡ଼ା ହେବାକୁ ପଡ଼ୁଛି। ଏହାଦ୍ୱାରା ଆମକୁ ଟ୍ରାଫିକ୍‌ ପରିଚାଳନା କରିବାରେ ଅସୁବିଧା ହେଉଛି। ଏ ସବୁକୁ ଯଥାଶୀଘ୍ର ସଫା କରାଯାଉ। ନଡ଼ିଆ ରଖିବା ପାଇଁ ଅନ୍ୟ କେଉଁଠାରେ ସ୍ଥାନ କରାଯାଉ।

ସମ୍ବନ୍ଧିତ ଖବର