ମହଙ୍ଗା ହେବ ପଇଡ଼

ଭୁବନେଶ୍ବର: ୨୦ ବର୍ଷ ତଳେ ମହାବାତ୍ୟା ଯୋଗୁଁ ଲକ୍ଷଲକ୍ଷ ନଡ଼ିଆ ଗଛ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏପର୍ଯ୍ୟନ୍ତ ଉଦ୍ଧେଇ ପାରିନାହାନ୍ତି। ଏଭଳି ସ୍ଥିତିରେ ‘ଫନି’ ପୁଣି ରାଜ୍ୟର ନଡ଼ିଆ, ପଇଡ଼ ଚାଷକୁ ଦୋହଲାଇ ଦେଇଛି। ଭୁବନେଶ୍ବରରୁ ପୁରୀ ଯିବା ବାଟରେ ତୃଷ୍ଣା ମେଣ୍ଟାଉଥିବା ପଇଡ଼ କିନ୍ତୁ ଆସନ୍ତା କିଛି ବର୍ଷ ଯାଏଁ ପର୍ଯ୍ୟାପ୍ତ ପରିମାଣରେ ମିଳିବ ନାହିଁ। ଯାହା ଅଳ୍ପ କିଛି ମିଳିବ ତାହା ବହୁତ ମହଙ୍ଗା ହେବ। ନଡ଼ିଆର ମଧ୍ୟ ମୂଲ୍ୟ ବୃଦ୍ଧି ହେବ। ଯଦିଓ ବାତ୍ୟା ପରଠୁ ଏବେ ରାସ୍ତାକଡ଼ରେ ଗଦାଗଦା ପଇଡ଼ ଏବେ ମୂଲଚାଲ ଦରରେ ବିକ୍ରି ହେଉଛି କିନ୍ତୁ ଆଉ ‌କିଛି ମାସ ପରେ ସ୍ଥିତି ପୂରା ବଦଳିଯିବ।

ଖାଲି ନଡ଼ିଆ କି ପଇଡ଼ ନୁହେଁ, ଅମୃତଭଣ୍ଡା, କଞ୍ଚା ଓ ପାଟକପୁରା କଦଳୀ ଉପରେ ମହଙ୍ଗା ମାଡ଼ ହେବ। ଅମୃତଭଣ୍ଡା ଗଛ ଅନେକଙ୍କ ବାଡ଼ିରେ ଥିବାରୁ ଏହା ପରିବାରର ଚାହିଦା ପୂରଣ ‌କରିଦେଉଥିଲା। ଏବେ କିନ୍ତୁ ସ୍ଥିତି ବଦଳିଯିବ। ଲୋକେ ବଜାର ଉପରେ ନିର୍ଭର କରିବେ। ଏଣେ ଗଛ ନଷ୍ଟ ହୋଇଯାଇଥିବାରୁ ବଜାରକୁ ଆବଶ୍ୟକୀୟ ପରିମାଣରେ ଅମୃତଭଣ୍ଡା ଆସିପାରିବ ନାହିଁ। ତେଣୁ ଯାହା ବି ବାହାରୁ ଆସିବ ଦର ଅଧିକ ରହିବ ବୋଲି ବ୍ୟବସାୟୀମାନେ ଏବେଠୁ ଆକଳନ କଲେଣି। କଦଳୀ ଗଛ ସମ୍ପୂର୍ଣ୍ଣ ଶୋଇଯାଇଥିବାରୁ ‌କିଛି ମାସ ପରେ ଦେଶୀ କଞ୍ଚା କଦଳୀ ଓ ପାଟକପୁରା କଦଳୀ ମିଳିବା ଅସମ୍ଭବ ହୋଇପଡ଼ିବ। ଏଥର ପ୍ରଚୁର ଆମ୍ବ ଧରିଥିବାରୁ ଦେଶୀ ଆମ୍ବ ପାଇଁ ଶସ୍ତା ହେବ ବୋଲି ଆଶା କରାଯାଉଥିଲା। ମାତ୍ର ଏଥର ପ୍ରଚୁର ଆମ୍ବ ଗଛ କ୍ଷୟକ୍ଷତି ହୋଇଥିବା ବେଳେ କୌଣସି ଗୋଟିଏ ବି ଗଛରେ ‘ଫନି’ ଆମ୍ବ ରଖେଇ ଦେଇନାହିଁ। ତେଣୁ ଆମ୍ବ ବି ଖୁବ୍‌ ମହଙ୍ଗା ହେବ।

ସମ୍ବନ୍ଧିତ ଖବର