ମୁଦ୍ରା ସଂଗ୍ରହ ସହ ସମାଜସେବା ନିଶାରେ ଅନଙ୍ଗ

ବାପାଙ୍କ ପକେଟ୍‌ରୁ ପାଇଥିବା ତିନିଯୋଡ଼ା ଚାଇନା ମୁଦ୍ରା(ଲକି କଏନ୍‌) ମୋର ପୁରୁଣା ମୁଦ୍ରା ସଂଗ୍ରହ ପ୍ରତି ଦୁର୍ବଳତା ବଢ଼ାଇ ଦେଇଥିଲା। ସେତେବେଳ ମୁଁ ନବମ ଶ୍ରେଣୀରେ ପାଠ ପଢୁଥିଲି, ସେବେଠୁ ଆଜି ପର୍ଯ୍ୟନ୍ତ ଆମ ଦେଶ ସହ ବିଭିନ୍ନ ଦେଶର ମୁଦ୍ରା ସହ ନୋଟ୍‌ ସଂଗ୍ରହ କରିଚାଲିଛି। ମୁଦ୍ରା ସଂଗ୍ରହ ପାଇଁ କେବେ ଟଙ୍କାଟିଏ ଖର୍ଚ କରିନି କି ବିଦେଶ ଯାଇନି। ବିଭିନ୍ନ ସାଙ୍ଗ, ସାଥୀ, ବନ୍ଧୁବାନ୍ଧବଙ୍କ ସହାୟତାରେ ଏସବୁ ମୁଁ ସଂଗ୍ରହ କରିଛି। ଏକଥା କହନ୍ତି ଯୁବ ମୁଦ୍ରା ସଂଗ୍ରାହକ ଅନଙ୍ଗ କୁମାର ବେହେରା। ବାଲିପଦା, ଘଣ୍ଟେଶ୍ୱର, ଭଦ୍ରକ ଅଞ୍ଚଳର ଅନଙ୍ଗ ବର୍ତମାନ ବିଜେବି କଲେଜ ଏମ୍‌ଏସ୍‌ଡବ୍ଲୁ(ସମାଜସେବା) ଶେଷ ବର୍ଷର ଛାତ୍ର। ଅନଙ୍ଗ କେବଳ ଜଣେ ମୁଦ୍ରା ସଂଗ୍ରାହକ ନୁହନ୍ତି, ଜଣେ ସ୍ୱେଚ୍ଛାସେବୀ ମଧ୍ୟ। ଅଧାରୁ ସ୍କୁଲର ପାଠ ଛାଡ଼ିଥିବା ପିଲାଙ୍କ ପାଇଁ କାର୍ଯ୍ୟ କରିବା ସହ କମ୍‌ ବୟସରୁ ନିଶା କବଳରେ କବଳିତ ହେଉଥିବା ଅନେକ ବସ୍ତିପିଲାଙ୍କୁ ସେ ଭଲ ବାଟକୁ ଫେରାଇ ଆଣିଛନ୍ତି। ‘ଛୋଟି ସିଁ ଆଶା’ ନାମରେ ମଧ୍ୟ ନିଜର ଏକ ଅନୁଷ୍ଠାନ ତିଆରି କରିଛନ୍ତି।

ଅନଙ୍ଗଙ୍କ ନିକଟରେ ୧୮୧୮ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନି ଦ୍ୱାରା ନିର୍ମିତ ଅଧ ଅଣାର ମୁଦ୍ରା ରହିଛି। ଯେଉଁଥିରେ ବିରଳ ହନୁମାନ ଚିତ୍ର ରହିଛି। ଅନଙ୍ଗ କହନ୍ତି, ବର୍ତମାନ ବିବାଦ ଦେଖା ଦେଇଥିବା ହନୁମାନ ପଇସା କିନ୍ତୁ ଏହା ନୁହେଁ। ସେହିପରି ୧୯୧୪ ମସିହାର ବିରଳ ୧ ଟଙ୍କିଆ ରୁପା ମୁଦ୍ର ମଧ୍ୟ ସାଇତି ରଖିଛନ୍ତି। ପଞ୍ଚମ ଓ ଷଷ୍ଠ ଜର୍ଜଙ୍କ ସମୟର ୧ଟଙ୍କିଆ ରୁପା ମୁଦ୍ରା ମଧ୍ୟ ରଖିଛନ୍ତି। ମୁଦ୍ରା ବିଶେଷଜ୍ଞ ତଥା ମୁଦ୍ରା ପ୍ରେମୀ ଅନଙ୍ଗଙ୍କ ସଂଗ୍ରହ ଦେଖିବାକୁ ଭିଡ଼ା ଜମାନ୍ତି। ୧୯୭୦ ମସିହାର ପିତ୍ତଳ ମୁଦ୍ରା ଠାରୁ ଆରମ୍ଭ କରି ଭାରତର ଆଲୁମିନିୟମ, ତମ୍ବା ଆଦି ବହୁ ପୁରାତନ ମୁଦ୍ରା ଅନଙ୍ଗ ସଂଗ୍ରହ କରିଛନ୍ତି। କେବଳ ଆମ ଦେଶର ନୁହେଁ ବହୁ ବିଦେଶୀ ମୁଦ୍ର ମଧ୍ୟ ଅନଙ୍ଗ ରଖିଛନ୍ତି। ବିଦେଶୀ ମୁଦ୍ରା ମଧ୍ୟରେ ଅନଙ୍ଗଙ୍କ ନିକଟରେ ୧୩୬୯ ମସିହାର ସର୍ବ ପୁରାତନ ମୁଦ୍ରା ରହିଛି। ଯାହାକି କେଉଁ ଦେଶର ମୁଦ୍ରା ବର୍ତମାନ ଚିହ୍ନଟ କରିବା କଷ୍ଟକର ହୋଇପଡ଼ୁଛି। ଇଂଲଣ୍ଡର ୧ ପାଉଣ୍ଡ, ଦୁଇ ପାଉଣ୍ଡ ଯେଉଁଥିରେ କି ଏଲିଜାବେଥ୍‌ଙ୍କ ନାମ ରହିଛି । ଆମେରିକା, ଚୀନ୍‌, ଫିଲିଫାଇନ୍‌ସ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ନୋଡାନ୍‌ ପରି ଶହେରୁ ଅଧିକ ଦେଶର ପୁରାତନ ମୁଦ୍ରା ତାଙ୍କ ନିକଟରେ ରହିଛି। ଭୁଟାନ୍‌ର ୧୯୭୯ ମସିହାର ୧ ନିଗ୍ଲିଟାରିୟନ ମୁଦ୍ରା ତାଙ୍କ ନିକଟରେ ରହିଛି, ଯେଉଁଥିରେ ଶଙ୍ଖ, ଗଦା, ପଦ୍ମ ଆଦି ଚିତ୍ର ରହିଛି। ନେପାଳର ବହୁ ପୁରାତନ ମୁଦ୍ରା ତାଙ୍କ ନିକଟରେ ରହିଛି ଯେଉଁଥିରେ କି ବିଭିନ୍ନ ପୁରାତନ ଶାସ୍ତ୍ରର ବିଭିନ୍ନ ଯନ୍ତ୍ର ସଦୃଶ ଚିତ୍ର ରହିଛି। ମୁଦ୍ରା ସଂଗ୍ରହ ସହ ସମାଜସେବା ଅନଙ୍ଗଙ୍କୁ ଭିନ୍ନ ଏକ ପରିଚୟ ଦେଇଛି। ନିଜ ଅନୁଷ୍ଠାନ ସହ ସେ ଜାତୀୟ ଯୁବ ପ୍ରକଳ୍ପ, ସଲାମ୍‌ ଜୀବନ, ପିପୁଲ୍‌ ଫର୍‌ ସେବା ଆଦି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ମିଶି ସମାଜର ଉନ୍ନତିମୂଳକ କାର୍ଯ୍ୟ ମଧ୍ୟ କରନ୍ତି। ଅନଙ୍ଗ କହନ୍ତି ମୋ ପାଖରେ ଥିବା ମୁଦ୍ରା ଯଦି କୌଣସି ସଂଗ୍ରହାଳୟରେ ନଥାଏ। ଆଉ ଯଦି ସେମାନେ ଏହି ନେବାକୁ ଚାହାନ୍ତି, ମୁଁ ଖୁସିର ସହ ଦାନ କରିବି। ସମାଜର ଉନ୍ନତିମୂଳକ କାର୍ଯ୍ୟ କରିବା ସହ ଅନେକ ବିରଳ ମୁଦ୍ରା ସଂଗ୍ରହ କରିବା ମୋର ଲକ୍ଷ୍ୟ ରହିଛି।
ରିପୋର୍ଟ: ରିତେନ୍ଦ୍ର

ସମ୍ବନ୍ଧିତ ଖବର