ବସ୍‌ରୁ କଏନ୍‌ ଜବତ ଘଟଣା: ଆଉ ୧୩ ବସ୍ତା କଏନ୍‌ ଜବତ

ଭୁବନେଶ୍ବର: ମଙ୍ଗଳବାର କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡର ନିବାରଣ ବିଭାଗ ବିନା ଇ-ୱେ ବିଲ୍‌ରେ କୋଲକାତାରୁ ଆସୁଥିବା ଦୁଇଟି ବସ୍‌କୁ ଅଟକ ପରେ କଏନ୍‌ ଚାଲାଣର ଗୁମର ଖୋଲିଛି। ବୁଧବାର ବସ୍‌କୁ ଯାଞ୍ଚ ବେଳେ ସେଥିରୁ ଆଉ ୧୩ବସ୍ତା କଏନ୍‌ ମିଳିଥିଲା। ଏବେ ସୁଧା ବସ୍‌ରୁ ସମୁଦାୟ ୪୮ ବସ୍ତା କଏନ୍‌ ଜବତ ହୋଇଛି। ଜବତ ହୋଇଥିବା କଏନ୍‌ ୩ଲକ୍ଷ ଟଙ୍କାରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଏହାକୁ ଆରବିଆଇକୁ ହସ୍ତାନ୍ତର କରାଯିବ। ଅନ୍ୟପଟେ ଏଭଳି ବସ୍‌ ଜରିଆରେ ଅନେକ ଜିନିଷ କୋଲକାତାରୁ ଚାଲାଣ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଠକେଇ ହେଉଥିବା କଥା ପଦାକୁ ଆସିଛି। ଏହା ଉପରେ ନଜର ରଖିବା ସହ ଲଗାତାର ଚଢ଼ଉ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏତେ ଗୁଡ଼ାଏ ଖୁଚରା ପଇସା କାହିଁକି ଆସୁଥିଲା, ସେ ନେଇ ପ୍ରଶ୍ନ ଉଠିଛି। ବସ୍‌ ଚାଳକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଦୀର୍ଘ ୬ ମାସ ହେବ ଏଭଳି କଏନ୍‌ କୋଲକାତାରୁ ଚାଲାଣ ହେଉଛି। ଆଉ ପ୍ରତି ୪-୫ ଦିନରେ ଏମିତି ବସ୍‌ରେ କଏନ୍‌ ଆଣନ୍ତି। ଖୁଚୁରା ଥରେ ପହଞ୍ଚି ଗଲା ପରେ ଏଠାରେ ତାଙ୍କ ଏଜେଣ୍ଟ ଆସି ନେଇ ଯାଆନ୍ତି। କେବଳ ଚାଲାଣ ବାବଦକୁ କିଛି କମିସନ୍‌ ମିଳିଥାଏ ବୋଲି କହିଛନ୍ତି। ଏହି କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏନେଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର