କ୍ୟାପିଟାଲ ହସ୍ପିଟାଲରେ ହେବ କୋଲ୍‌ଡ ଚେନ୍ ଷ୍ଟୋର;ସମସ୍ତ ପ୍ରକାର ଟିକାକୁ ସଂରକ୍ଷିତ ରଖାଯିବ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ କୋଲ୍‌ଡ ଚେନ୍ ଷ୍ଟୋର। ଏହି ଷ୍ଟୋରରେ ସମସ୍ତ ଟିକାକୁ ସଂରକ୍ଷିତ ରଖାଯିବ। ଫଳରେ ରାଜଧାନୀରେ ଥିବା ବିଭିନ୍ନ ସ୍ବାସ୍ଥ୍ୟାନୁଷ୍ଠାନକୁ ଠିକ୍ ସମୟରେ ଓ କୋଲ୍‌ଡ ଚେନ୍ ନିୟମ ଅନୁସାରେ ଟିକା ଉପଲବ୍ଧ ହୋଇପାରିବ। ଏଥିପାଇଁ ହସ୍ପିଟାଲରେ ଆବଶ୍ୟକ ଜାଗା ଚିହ୍ନଟ ହୋଇସାରିଥିବା ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲକୁ ବାଦ୍ ଦେଲେ ରାଜଧାନୀରେ ୪ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବା ସିଏଚ୍‌ସି ଓ ୨୨ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ପିଏଚ୍‌ସି ରହିଛି। ଏସବୁ ସ୍ବାସ୍ଥ୍ୟାନୁଷ୍ଠାରେ ମା’ ଓ ଶିଶୁମାନଙ୍କୁ ସରକାରଙ୍କ ପକ୍ଷରୁ ଚାଲୁଥିବା ଟିକାକରଣ ଅଭିଯାନ ଅନୁସାରେ ଟିକା ଦିଆଯାଉଛି। ତେଣୁ ଟିକାକରଣକୁ ଠିକ୍‌ ଭାବେ ପରିଚାଳନା କରିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏହି କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୩ ହଜାର ବର୍ଗଫୁଟ୍‌ରେ ନିର୍ମାଣ ହେବାକୁ ଥିବା ଏହି ସ୍ବତନ୍ତ୍ର ବିଲ୍ଡିଂରେ ଟିକାକରଣ କେନ୍ଦ୍ର ବାଦ୍ ୱାର୍କସପ୍, କମ୍ପ୍ୟୁଟର ରୁମ୍ ଇତ୍ୟାଦି ରହିବ। ଏହିଠାରୁ ରାଜଧାନୀର ସମସ୍ତ ସ୍ବାସ୍ଥ୍ୟାନୁଷ୍ଠାନକୁ ଟିକା ଯୋଗାଣ କରାଯିବ। ଫଳରେ ଟିକାକରଣକୁ ନେଇ କୌଣସି ସମସ୍ୟା ଉପୁଜିବ ନାହିଁ। ହସ୍ପିଟାଲ ପରିସରରେ ଥିବା ରୋପାର୍ସ ବିଲ୍ଡିଂ ନିକଟରେ ଏହାକୁ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଷ୍ଟୋର୍‌ ନିର୍ମାଣ ପାଇଁ ଖୁବଶୀଘ୍ର ଟେଣ୍ଡର୍‌ କରାଯିବ। ଏଥିପାଇଁ ପ୍ରାୟ ୧ କୋଟି ଟଙ୍କା ଖର୍ଚ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର