ଲସି ଓ ଥଣ୍ଡା ପାନୀୟ ଯାଞ୍ଚ, ୮ ଲସି ଓ ଜୁସ୍, ୪ ଥଣ୍ଡା ପାନୀୟ ନମୁନା ସଂଗ୍ରହ

ଭୁବନେଶ୍ବର: ଖରା‌ ବଢ଼ି ଚାଲିଥିବା ବେଳେ ରାଜଧାନୀରେ ଲସି ଓ ଜୁସ୍ ଦୋକାନଙ୍କ ସଂଖ୍ୟା ବଢ଼ି ଚାଲିଛି। ତେବେ ଏହି ଖାଦ୍ୟ ପ୍ରକୃତରେ କେତେ ସୁରକ୍ଷିତ ତାହାର ଯାଞ୍ଚ ଆରମ୍ଭ ହୋଇଛି। ଖାଦ୍ୟ ସୁରକ୍ଷା ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଲସି, ଜୁସ୍ ଓ ଥଣ୍ଡା ପାନୀୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ସୂଚନା ଅନୁସାରେ, ରାଜଧାନୀର ୟୁନିଟ୍ ୧ ଓ ୨, କଳ୍ପନା ଛକ, ସହିଦ ନଗର ଓ ଅନ୍ୟାନ୍ୟ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ଅଧିକାରୀ ନମୁନା ସଂଗ୍ରହ କରିଛନ୍ତି। ଲସି ଓ ଜୁସ୍‌ର ୮ଟି ନମୁନା ସଂଗ୍ରହ କରାଯାଇଛି। ଏହାସହ ବିଭିନ୍ନ ଥଣ୍ଡା ପାନୀୟ କମ୍ପାନିର ୪ଟି ନମୁନା ସଂଗୃହୀତ ହୋଇଛି। ଗତ କିଛିଦିନ ମଧ୍ୟ‌ରେ ରାଜଧାନୀରେ ଏହି ନମୁନା ସଂଗୃହୀତ ହୋଇଥିବା ଜଣାପଡ଼ିଛି। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କହିବା ମୁତାବକ, ଖରାଦିନ ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବହୁ ସଂଖ୍ୟାରେ ଲସି ଓ ଜୁସ୍ ଦୋକାନ ଖୋଲିଛି। ଏସବୁର ମାନ ଯାଞ୍ଚ କରାଯାଉଛି। ଏ ପର୍ଯ୍ୟନ୍ତ ଯେତୋଟି ନମୁନା ସଂଗ୍ରହ ହୋଇ ପରୀକ୍ଷା ହୋଇଛି ତହିଁରେ କୌଣସି ସମସ୍ୟା ନ ଥିବା ନଜରକୁ ଆସିଛି। ଏହାସହ ଥଣ୍ଡା ପାନୀୟରେ ମଧ୍ୟ କୌଣସି ସମସ୍ୟା ଦେଖିବାକୁ ମିଳିନାହିଁ। ତେବେ ଖରାଦିନ ଶେଷ ପର୍ଯ୍ୟନ୍ତ ଏହି ଯାଞ୍ଚ ଜାରି ରହିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଉଲ୍ଲେଖ ଯେ, ରାଜଧାନୀରେ ଅପମିଶ୍ରଣ ଓ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ଖବର ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇଆସୁଛି। ଅଧିକାଂଶ ହୋଟେଲରେ ନିମ୍ନମାନର ଲଙ୍କାଗୁଣ୍ଡଠାରୁ ଆରମ୍ଭ କରି ମସଲା, ହଳଦୀ ଖାଦ୍ୟରେ ମିଶାଉଛନ୍ତି। ଏପରିକି ଛେନାରେ ଅଧିକ ମାତ୍ରାରେ ଷ୍ଟାର୍ଚ ବା ମଣ୍ଡଦ ଦିଆଯାଉଥିବା କିଛି ମାସ ପୂର୍ବରୁ ଖାଦ୍ୟ ସୁରକ୍ଷା ପକ୍ଷରୁ ହୋଇଥିବା ପରୀକ୍ଷାରେ ନଜରକୁ ଆସିଥିଲା। ତେବେ ଅପମିଶ୍ରଣ ଖାଦ୍ୟ ବିକ୍ରି କରିବା ପାଇଁ କଠୋର ଦଣ୍ଡ ବିଧାନ କରିବା ଦିଗରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କ୍ଷମତା ସୀମିତ ରହିଛି। ଅପମିଶ୍ରଣ ଖାଦ୍ୟ ବିକ୍ରି କରୁଥିବା ନଜରକୁ ଆସିଲେ ସେମାନଙ୍କୁ କେବଳ କାରଣ ଦର୍ଶାଅ ନୋଟିସ୍ ଜାରି ଛାଡ଼ି ଦିଆଯାଉଛି।

ସମ୍ବନ୍ଧିତ ଖବର