ରାସ୍ତା‌ ମରାମତି ପାଇଁ ବ୍ୟବହାର ହେଲା ‌‌‌କୋଲ୍ଡ ମିଲିଂ କୌଶଳ

ଭୁବନେଶ୍ବର : ପ୍ରତିବର୍ଷ ରାଜଧାନୀରେ ରାସ୍ତା ମରାମତି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ରାସ୍ତାଗୁଡ଼ିକ କମ୍‌ ଦିନରେ ଖରାପ ହୋଇଯାଉଛି। ଏପରିକି ରାସ୍ତା ଉଚ୍ଚା ହୋଇଯାଉଥିବାବେଳେ ଏହା ଚକାଚକ୍ ଦିଶୁନି। କାମ ହେବାର କିଛି ଦିନ ପରେ ଯେଉଁ ଦଦରାକୁ ସେଇ ଦଦରା ହୋଇଯାଉଛି। ଏହାର ସମାଧାନ ପାଇଁ ରାଜଧାନୀରେ ପିଚୁ ରାସ୍ତା ମରାମତି ପାଇଁ କୋଲ୍ଡ ମିଲିଂ ଜ୍ଞାନକୌଶଳ ବ୍ୟବହାର ଆରମ୍ଭ ହୋଇଛି। ଜୟଦେବବିହାରରୁ କଳିଙ୍ଗ ଷ୍ଟାଡିୟମ ମଧ୍ୟରେ ଥିବା ୧୦୦ମିଟର ରାସ୍ତାରେ ଏହି ପ୍ରଣାଳୀ ପ୍ରଥମ କରି ବ୍ୟବହାର କରାଯାଇଛି। ୱିର୍ଟଜେନ୍ ମେସିନ୍‌ରେ ପିଚୁ ରାସ୍ତାର ଆସ୍ଫାଲ୍ଟ ଏବଂ କଙ୍କ୍ରିଟସ୍ତରକୁ ରାମ୍ପୁଡ଼ି ଉଠାଯାଇଛି। ଏହାକୁ ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରି ପୁଣି ରାସ୍ତାରେ ପକାଯିବ। ଏହାଦ୍ବାରା ରାସ୍ତା ମରାମତି ଖର୍ଚ୍ଚ କମିବ, ରାସ୍ତା ଉଚ୍ଚା ହେବନି, ରାସ୍ତା ଦୀର୍ଘସ୍ଥା‌ୟୀ ହେବ ବୋଲି ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଖୁବ୍‌ ଶୀଘ୍ର ରାଜଧାନୀର ୧୦ଟି ରାସ୍ତାରେ ଏହି କୌଶଳ ବ୍ୟବହାର କରି ରାସ୍ତା ମରାମତି କରାଯିବ। ଏହାପରେ ଅନ୍ୟ ଅଞ୍ଚଳରେ ଏହି କୌଶଳ ବ୍ୟବହାର ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର