ଭୁବନେଶ୍ୱର: ଏ ମୁଣ୍ଡଫଟା ଖରା ଓ ଅସହ୍ୟ ଗରମ ସମୟରେ ମନ ଟିକେ ଥଣ୍ଡା ପାନୀୟ ଖୋଜୁଛି। ତେଣୁ ରାଜଧାନୀରେ ଥଣ୍ଡା ପାନୀୟର ଚାହିଦା ବଢୁଛି। ଏହାକୁ ଦୃଷ୍ଟିରେ ରଖି ପସରା ମେଲିଛି ବିଭିନ୍ନ ଥଣ୍ଡା ପାନୀୟ। କେଉଁଠି ମାଟିହାଣ୍ଡିରେ ଲସି ମିଳୁଛି ତ ଆଉ କେଉଁଠି ଗୁଡ଼ ବେଲ ପଣା, ଆଖୁରସ, ଲେମ୍ବୁ ମିଶ୍ରି ପାଣି, ପୁଦିନା ପାଣି, ଆମ୍ବ ସର୍ବତ ଓ ନଣ୍ଡା ବଗୁଲି ବିକ୍ରି ହେଉଛି। ସେହିଭଳି ଖରାଦିନିଆ ଫଳର ବି ଚାହିଦା ବଢ଼ିଛି। ତାଳସଜଠାରୁ ନେଇ ତରଭୁଜ, ଅଙ୍ଗୁର, ସପୁରି ଆଦି ରାସ୍ତାକଡ଼ରେ ଛାଇଯାଇଛି।

Advertisment

ମହମହ ମାଟିପାତ୍ର ଲସି
ମାଟିହାଣ୍ଡିରେ ସୁସ୍ବାଦୁ ଲସି ପ୍ରସ୍ତୁତ କରି ମାଟିପାତ୍ରରେ ଲୋକଙ୍କୁ ପରସୁଛନ୍ତି। ସେଥିରେ ଛେନା, ରାବିଡ଼ି, କାଜୁ ପିସ୍ତା ପେଷ୍ଟ୍ ମିଶା ଓ ଚକଲେଟ୍‌ ଗୁଣ୍ଡ ଛିଞ୍ଚା ମହମହ ବାସୁଥିବା ମୋଟା ବସାଦହିକୁ ଚାମଚରେ ଖାଇବା ପରେ ପେଟ ଓ ମନ ଥଣ୍ଡା। ଏହି ସ୍ବାଦିଷ୍ଟ ଲସି ପ୍ରସ୍ତୁତକାରୀଙ୍କ ନାଁ ହେଉଛି ଗଣେଶ ସାହୁ। କଳ୍ପନା ଛକରେ ଅଛି ତାଙ୍କ ଲସି ଦୋକାନ, ନାଁ- ମା’ ମଙ୍ଗଳା ଲସି। ତାଙ୍କ ମାଟିହାଣ୍ଡି ଲସି ପିଇବାକୁ ଲୋକଙ୍କର ଲମ୍ବାଧାଡ଼ି। ଗୋଟିଏ ଗ୍ଲାସ୍‌ ପିଇଲେ ପେଟ ଫୁଲ୍‌। ସେଥିରେ ପାର୍ସଲ ସଂଖ୍ୟା ଅଧିକ। ଅନ୍‌ଲାଇନ୍ ସଂସ୍ଥା ବି ଗଣେଶଙ୍କଠୁ ଲସି ନେଇ ଲୋକଙ୍କ ଘରେ ପହ‌ଞ୍ଚାଉଛନ୍ତି। ମାଟିପାତ୍ର ଲସିର ଦାମ୍‌ ୬୦ ଟଙ୍କା। କାଚ ଗ୍ଲାସରେ ୫୦ ଟଙ୍କା। ରାଜଧାନୀରେ ଆହୁରି ଏକାଧିକ ମାଟିପାତ୍ର ଲସି ଦୋକାନ ରହିଛି। ଏ ଖରାରେ ସମସ୍ତଙ୍କର ବେପାର ଫୁଲ୍‌ ଦମ୍‌ରେ ଛୁଟିଛି।

ସରସ ଆଖୁରସ
ବର୍ଷତମାମ ରାଜଧାନୀର ରାସ୍ତାକଡ଼ରେ ଆଖୁରସ ବ୍ୟବସାୟ ଚାଲିଥାଏ। କିନ୍ତୁ ଏ ଖରାରେ ଚାହିଦା ଦ୍ବିଗୁଣିତ ହୋଇ ଯାଇଛି। ବ୍ୟବସାୟୀ ମଧ୍ୟ ବେଶ୍‌ ଭଲ କମାଉଛନ୍ତି। ବର୍ତ୍ତମାନ ନୟାଗଡ଼ରୁ ଆଖୁ ଆସି ରାଜଧାନୀର ଖୁଚୁରା ବେପାରୀଙ୍କ ପାଖେ ପହଞ୍ଚି ଯାଉଛି। ସତ୍‌ସଙ୍ଗ ବିହାର ଛକରେ ରମାକାନ୍ତ ସାହୁଙ୍କ ଆଖୁରସ ଠେଲା। ଘର ବାଲେଶ୍ବର, ୧୮ ବର୍ଷ ହେଲା ରାଜଧାନୀରେ ବ୍ୟବସାୟ କରିଆସୁଛନ୍ତି। ପୁଦିନା, ଅଦା, ଲେମ୍ବୁ ଓ ବିଟ୍‌ଲୁଣ ମିଶେଇ ଆଖୁରସ ଦିଅନ୍ତି। ଏକ ଗ୍ଲାସ୍‌ ଖାଲି ଆଖୁରସର ଦାମ୍‌ ୨୫ ଟଙ୍କା ତ ବରଫ ପଡ଼ିଲେ ୨୦ ଟଙ୍କା I ରମାକାନ୍ତ କହନ୍ତି, ଖରାରେ ଗ୍ରାହକ ସକାଳ ଆଉ ସନ୍ଧ୍ୟାରେ ଆସୁଛନ୍ତି। ଖରା ବଢ଼ିଲେ ଭଲ ବେପାର ଜମୁଛି। ହେଲେ ଅଧିକ ଖରା ହେଲେ ଠିଆହୋଇ ବେପାର କରିବା କଷ୍ଟ ହୋଇଯାଉଛି।

ଖଟାମିଠା ଆମ୍ବ ସର୍ବତ
ଏବେ ଆମ୍ବ ଆସି ଯାଇଥିବାରୁ ଆମ୍ବ ସର୍ବତ ମଧ୍ୟ ଅନେକ ସ୍ଥାନରେ ବିକ୍ରି ହେଉଛି। ତା’ ଭିତରୁ ଗୋଟିଏ ହେଉଛି ଫାୟାର ଷ୍ଟେସନ୍‌ ପାଖ ଜୟଜଗନ୍ନାଥ ସର୍ବତ ଦୋକାନ। ଆମ୍ବ ସର୍ବତ ପିଇବାକୁ ପ୍ରତିଦିନ ସକାଳ ୧୦ଟା ହେଲେ ଲୋକଙ୍କ ଭିଡ଼ ଜମୁଛି। ଦୋକାନୀ ସୁରଜ ସ୍ବୟଙ୍କର ୧୨ ବର୍ଷ ହେଲା ଉତ୍ତରପ୍ରଦେଶରୁ ଆସି ଏଡି ଦୋକାନ ଖୋଲିଛନ୍ତି। ତାଙ୍କ ସର୍ବତର ଦାମ୍‌ ଗ୍ଲାସ୍ ପିଛା ୨୦ ଟଙ୍କା। ତେବେ ସେ କହିଲେ, ମାର୍କେଟକୁ ବର୍ତ୍ତମାନ କମ୍‌ ଆମ୍ବ ଆସୁଥିବାରୁ ବେପାର ଟିକେ ମାନ୍ଦା ଚାଲିଛି। ଆମ୍ବ ଆସିଗଲେ ବେପାର ଆହୁରି ଜମିବ।

ଚିର ସବୁଜ ଲେମ୍ବୁ ସର୍ବତ
ଓଡ଼ିଆ ଘରମାନଙ୍କରେ ଲେମ୍ବୁ ସର୍ବତର ପ୍ରଚଳନ କମି ଯାଉଥିବାବେଳେ ବଜାରରେ କିନ୍ତୁ ଚାହିଦା ବଢ଼ି ଚାଲିଛି। କିଛି ଲୋକ ଅନ୍ୟ ଥଣ୍ଡା ପାନୀୟ ବଦଳରେ ଏହାକୁ ପିଇବାକୁ ଚାହୁଛନ୍ତି। ଖରାକୁ ଦୃଷ୍ଟିରେ ରଖି ରାଜଧାନୀରେ ପସରା ମେଲିଛି ଲେମ୍ବୁ ପାଣିର ଦୋକାନ। ସେଥିରେ ପୁଦିନା ପତ୍ର, ଆମ୍ବଅଦା, କଞ୍ଚାଲଙ୍କା, ଜଲ୍‌ଜିରା, ପାନମଧୁରି ମିଶାଇ ଦୋକାନୀମାନେ ଆଉ ଟିକେ ସୁଆଦିଆ କରି ଦେଉଛନ୍ତି। ମାର୍କେଟ ବିଲ୍‌ଡିଂ ନିକଟରେ ଲେମ୍ବୁ ସର୍ବତ ବିକୁଥିବା ଜୟଦେବ ମହାନ୍ତି କହନ୍ତି, ପ୍ରତିଦିନ ତାଙ୍କର ପାଖାପାଖି ୨୦୦ ଗ୍ଲାସ୍‌ ଲେମ୍ବୁ ସର୍ବତ ବିକ୍ରି ହେଉଛି। ଗ୍ଲାସ୍‌ର ଦାମ୍‌ ୧୦ ଟଙ୍କା ହୋଇଥିବାରୁ ଲୋକଙ୍କ ପକେଟ୍‌କୁ ଏହା ସୁହାଉଛି। ମଧ୍ୟାହ୍ନରେ ବେଶି ଭିଡ଼ ଜମୁଛି।

ସ୍ବାସ୍ଥ୍ୟପ୍ରଦ ବେଲପଣା
ସିଆର୍‌ପି ଛକରେ ସନ୍ତୋଷ ସାହୁଙ୍କ ଓଁ ମା’ ରାମ ଚଣ୍ଡି ବେଲପଣା ଦୋକାନ। ସେଠି ଦୁଇ ପ୍ରକାର ବେଲପଣା ମିଳୁଛି। ଚିନି ବେଲପଣା ଓ ଗୁଡ଼ ବେଲପଣା। ସେଥିରେ ବରଫ, ଛେନା, ନଡ଼ିଆ, ଗୋଲମରିଚ ଗୁଣ୍ଡ ଓ ବିଟ୍‌ଲୁଣ ପକେଇ ସୁସ୍ୱାଦୁ ପଣା ଗ୍ରାହକଙ୍କୁ ଯୋଗେଇ ଦେଇଥାନ୍ତି। ଚିନିପଣାର ମୂଲ୍ୟ ୩୦ ଟଙ୍କା ଆଉ ଗୁଡ଼ପଣାର ମୂଲ୍ୟ ୪୦ ଟଙ୍କା। ତାଙ୍କ କହିବା ଅନୁସାରେ ଲୋକେ ଗୁଡ଼ପଣାକୁ ବେଶି ପସନ୍ଦ କରୁଛନ୍ତି। ସକାଳ ୮ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ତାଙ୍କୁ ଫୂର୍ସତ ମିଳୁନି। ତାଙ୍କଠାରୁ ଖବର ମିଳିଲା ଯେ ଅନୁଗୁଳ, ଢେଙ୍କାନାଳ ଜିଲ୍ଲାମାନଙ୍କରୁ ରାଜଧାନୀକୁ ବେଲ ଆସୁଛି। ସେହିଭଳି ଝାରପଡ଼ା ଜେଲ୍‌ ସମ୍ମୁଖରେ ପିଣ୍ଟୁଭାଇଙ୍କ ବେଲପଣା ମଧ୍ୟ ଭାରି ପ୍ରସିଦ୍ଧ।

ତାତିକୁ କାଟୁଛି ତରଭୁଜ
ଖରାକୁ ନଜରରେ ରଖି ସହରରେ ତରଭୁଜର ବିକ୍ରି ବଢ଼ି ଚାଲିଛି। ପ୍ରଦର୍ଶନୀ ପଡ଼ିଆ ସମ୍ମୁଖରେ ଦିଲୀପ ମହାନ୍ତଙ୍କ ଦୋକାନରେ ତରଭୁଜ କେଜି ୩୦ ଟଙ୍କା ଥିବାବେଳେ ଗୋଟେ ପିସ୍‌କୁ ୧୦ଟଙ୍କା। ପ୍ରଥମେ ଦିନକୁ ୧ କ୍ବିଣ୍ଟାଲ୍‌ ଭିତରେ ବିକ୍ରି ହେଉଥିବାବେଳେ ଏବେ ତାହା ୪ କ୍ବିଣ୍ଟାଲ୍‌କୁ ଛୁଇଁ ଗଲାଣି। ସେ ଢ଼େଙ୍କାନାଳ, ବାଲେଶ୍ବରରୁ ତରଭୁଜ ଆଣୁଛନ୍ତି ବୋଲି କୁହନ୍ତି। ସେମିତି ଷ୍ଟୁଆର୍ଟ ଛକରେ ତାଳସଜ ବିକ୍ରି କରୁଛନ୍ତି ଗିରିଜା ନାଏକ। ୨୦ ଟଙ୍କାରେ ୫ ପିସ୍‌ ତାଳସଜ ଦେଉଛନ୍ତି।

ଦେହକୁ କେତେ ଉପକାରୀ?
‘‘ମୃଦୁ ପାନୀୟ ସ୍ୱାସ୍ଥ୍ୟପ୍ରତି ହାନିକାରକ। ତାପମାତ୍ରା ବୃଦ୍ଧି କାରଣରୁ ଲୋକମାନେ ଏବେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରୁଛନ୍ତି। ସେଗୁଡିକ ସାମୟିକ ଭାବେ ଭଲଲାଗେ, କିନ୍ତୁ ନିତିଦିନ ପିଇଲେ ଦେହରେ ବିଭିନ୍ନ ରୋଗ ଦେଖା ଦେଇଥାଏ। କାରଣ ବଜାରରେ ମିଳୁଥିବା ସବୁ ଜୁସ୍‌ରେ ଅଧିକ ଏସିଡ୍‌ ଓ ସୁଗାର୍‌ ରହିଛି। ତାକୁ ପିଇଲେ ଅସ୍ଥି ଓ ଗଣ୍ଠି ଉପରେ ମୁଖ୍ୟତଃ ପ୍ରଭାବ ପକାଉଛି। କ୍ୟାଲସିୟମ୍‌ ଓ ଫସ୍‌ଫରସ୍‌ର ଅନୁପାତକୁ ବିଗାଡ଼ି ଦେଉଛି। ଚିନିର ପରିମାଣ ଅଧିକ ଥିବାରୁ କୋଲେଷ୍ଟ୍ରଲ ବଢ଼ିବା ସହ ଶରୀରରେ ମେଦବହୁଳତା ଓ ଡାଇବେଟିସ ରୋଗ ଦେଖାଦେବାର ଆଶଙ୍କା ରହିଛି। ଲସି ମଧ୍ୟ ଲୋକ ପସନ୍ଦ କରୁଛନ୍ତି। କିନ୍ତୁ ଅନେକ ଲୋକ ବ୍ୟବହାର କରୁଥିବା ବରଫକୁ ପରିଚ୍ଛନ୍ନ ଭାବେ ତିଆରି କରା ଯାଉନି। ଫଳରେ ଟାଇଫଏଡ୍‌ ଓ ଡାଇରିଆର ଆଶଙ୍କା ରହେ।’’
- ଡାକ୍ତର ମୋତିର୍ମୟ ଗିରି, କ୍ୟାପିଟାଲ୍‌ ହସ୍ପିଟାଲ