ଖସୁଛି ରାଜଧାନୀ ପାରଦ : ଆହୁରି ୩ ଦିନ ଥରାଇବ

ଚଳିତବର୍ଷର ସର୍ବନିମ୍ନ ରେକର୍ଡ

ଭୁବନେଶ୍ବର : ରାତିରେ ରାସ୍ତାରେ ଯାଇ ହେଉନି। ହାଲକା ପବନ ବା‌ଜିଲେ ଦେହ ଥରିଉଠୁଛି। ବାଇକ୍‌ ଚାଳକଙ୍କ ହାତ ଥରୁଛି। ଗାଡ଼ିର ବେଗ ୪୦ କିମିରୁ ଅଧିକ ହେଉନି। ରାସ୍ତାରେ ଯିବା ଏକପ୍ରକାର ମୁସ୍କିଲ୍‌ ହୋଇପଡ଼ୁଛି। ଦୁଇ ଦିନ ହେଲା ଭୁବନେଶ୍ବରରେ ଏଭଳି ସ୍ଥିତି ଲାଗିରହିଛି। ରାତିର ପାରଦ ଲଗାତାର ଭାବେ ହ୍ରାସ ପାଉଥିବାରୁ ଏଭଳି ସମସ୍ୟା ଉପୁଜିଛି।

ଘରେ ବି ରହୁଥିବା ଲୋକଙ୍କ ଅବସ୍ଥା ବି ସମାନ। ରାତି ୮ଟା ପରେ ସେମାନେ ଆଉ ବାହାରକୁ ବାହାରିପାରୁ ନାହାନ୍ତି। ଯିଏ ଯେଉଁଠି ଥିଆନ୍ତୁ ନା କାହିଁକି ସମସ୍ତେ ଏକପ୍ରକାର ଘର ମୁହାଁ ହେଉଛନ୍ତି। ପୂର୍ବରୁ ରାତି ୧୦ଟା ବେଳକୁ ରାସ୍ତାରେ ଯାଇ ହେଉ ନଥିବା ବେଳେ ଏବେ ପ୍ରାୟତଃ ଲୋକଙ୍କୁ ଦେଖିବାକୁ ମିଳୁନି। କାଁ ଭାଁ ଗାଡ଼ି ଚଳାଚଳ କରୁଛି। ବସ୍ତି ଅଞ୍ଚଳ କଥା ନ କହିବା ଭଲ। ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକେ ରାତି ପର୍ଯ୍ୟନ୍ତ ନିଆଁ ଜାଳି ବସୁଛନ୍ତି। ପରିବାର ସହ ରାସ୍ତାପାର୍ଶ୍ବରେ ଶୋଉଥିବା ଲୋକେ ମଧ୍ୟ ଥଣ୍ଡାରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି।

ଚଳିତବର୍ଷ ପ୍ରଥମ ଥର ପାଇଁ ସହରରେ ଏଭଳି ଥଣ୍ଡା ହୋଇଛି। ଶନିବାର ରାତି ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହୁଥିବା ବେଳେ ଗତକାଲି ରାତିରେ ହଠାତ୍‌ ଖସି ଆସିଛି। ଆଜି ସକାଳୁ ବି ପ୍ରବଳ ଥଣ୍ଡା ଅନୁଭୂତ ହେଉଥିଲା। ସକାଳ ୯ଟା ପର୍ଯ୍ୟନ୍ତ ଥଣ୍ଡାର ପ୍ରକୋପ କମି ନଥିଲା। ଖରା ହେଉଥିଲେ ମଧ୍ୟ ଥଣ୍ଡା କମାଇବା ପାଇଁ ତାହା ପର୍ଯ୍ୟାପ୍ତ ନ ଥିଲା। ପୂର୍ବାହ୍ଣ ୧୧ଟା ପରେ ସ୍ଥିତିରେ କିଛିଟା ପରିବର୍ତନ ହୋଇଥିଲା। ଆଜି ରାତିରେ ବି ସାରା ସହରରେ ଥଣ୍ଡାର ପ୍ରକୋପ ଲାଗିରହିଛି। ଲୋକେ ନିଆଁ ଜାଳି ଘର ବାହାରେ ବସି ରହିଛନ୍ତି। ରାସ୍ତାପାର୍ଶ୍ବ ଓ ବସ୍ତି ଅଞ୍ଚଳରେ ରହୁଥିବା ଲୋକେ ଏବେ ସମସ୍ୟା ଭିତରେ ଘାଣ୍ଟି ହେଉଥିଲେ ମଧ୍ୟ ପ୍ରଶାସନର ସେଥିପ୍ରତି ଦୃଷ୍ଟି ନାହିଁ।
ଅନ୍ୟପକ୍ଷରେ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୩ ଦିନ ଏଭଳି ସ୍ଥିତି ଲାଗିରହିବ। ସର୍ବୋଚ୍ଚ ତାପମାତ୍ରା ୨୭ ଡିଗ୍ରି ଓ ସର୍ବନିମ୍ନ ୧୦ ଡିଗ୍ରି ରହିବ। ରାତି ସମୟରେ ସ୍ଥିତି ଅଧିକ ଖରାପ ହେବ। ଲୋକେ ବାହାରକୁ ବାହାରିବା ସମୟରେ ଶୀତବସ୍ତ୍ର ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର