‘ଓଡ଼ିଆ ଭାଷାକୁ ବିକଶିତ କରିବା ପାଇଁ ସହଯୋଗ ଲୋଡ଼ା’: ସୋଆ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିମର୍ଶ

ଭୁବନେଶ୍ୱର: ଓଡ଼ିଆ ୬ଷ୍ଠ ଭାରତୀୟ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଏହି ଭାଷାକୁ ବିକଶିତ କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ା ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିମର୍ଶ’ରେ ବକ୍ତାମାନେ ମତ ଦେଇଛନ୍ତି। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସୋଆ କ୍ୟାମ୍ପସ୍‌-୨ ପ୍ରେକ୍ଷାଳୟରେ ଆାୟୋଜିତ ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦ୍‌ଘାଟନ କରି କହିଥିଲେ, ଓଡ଼ିଶାର ଦୁଇ ମହାନ କବି ଗଙ୍ଗାଧର ମେହେର ଓ ଭୀମ ଭୋଇଙ୍କ କବିତାରେ ଗଭୀର ଦାର୍ଶନିକ ତତ୍ତ୍ବ ରହିଛି। ଏହି ମହାନ କୃତି ଉପରେ ଅଧ୍ୟୟନ ଓ ଗବେଷଣାର ଆବଶ୍ୟକତା ରହିଛି। ଓଡ଼ିଆ ଭାଷାକୁ ଅଧିକ ବିକଶିତ କରିବା ପାଇଁ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରିଛନ୍ତି। ସାହିତ୍ୟିକ ତଥା ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ମହତ୍ତ୍ବ ଉପରେ ଆଲୋକପାତ କରିଥି‌ଲେ। ସଂସ୍କୃତି ବିଶେଷଜ୍ଞ ପ୍ରଫେସର ଜଗନ୍ନାଥ ଦାସ କହିଥିଲେ, ଓଡ଼ିଆ ଭାଷା ବିକାଶ କଥା ଚିନ୍ତା କରିବା କେବଳ ଲେଖକ, ଶିକ୍ଷକଙ୍କର ଦାୟିତ୍ବ ନୁହେଁ। ଏହା ସମସ୍ତଙ୍କର ଅବଦାନରୁ ହିଁ ବଳିଷ୍ଠ ଓ ରୁଦ୍ଧିମନ୍ତ ହେବ।

ଦୈନିକ ସମ୍ବାଦପତ୍ର ‘ସକାଳ’ର ସମ୍ପାଦକ ଉମାକାନ୍ତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅତୀତକୁ ହୃଦୟରେ ରଖି ଆଧୁନିକତା ଭିତରେ ଭାଷାକୁ ବଳିଷ୍ଠ କରିବାକୁ ହେବ ବୋଲି କହିଥିଲେ। ଆୟୋଜିତ ଜଗନ୍ନାଥ ସଂସ୍କୃତି ବିମର୍ଶ ଶୀର୍ଷକ ପ୍ରଥମ ଅଧିବେଶନରେ ସୁରେନ୍ଦ୍ରନାଥ ଦାସ ଅଧ୍ୟକ୍ଷତା କରିଥିଲେ। ଆଲୋଚକ ଭାବରେ ଶ୍ରୀକ୍ଷେତ୍ର କଳା ଅଭିନୟ ବିଷୟରେ ଅଜୟ କୁମାର ମିଶ୍ର ଆଲୋଚନା‌ କରିଥିବା ବେଳେ ଶ୍ରୀଜଗନ୍ନାଥ ଚେତନା-ଦର୍ଶନ ଓ ବାସ୍ତବତା ବିଷୟରେ ଅସିତ ମହାନ୍ତି, ଓଡ଼ିଆ ସାହିତ୍ୟ ସର୍ଜନାରେ ଶ୍ରୀଜଗନ୍ନାଥ ଚେତନା ବିଷୟରେ ବାବାଜୀ ପଟ୍ଟନାୟକ ଆଲୋଚନା କରିଥିଲେ। ପ୍ରାଚୀନ ଓଡ଼ିଆ ସାହିତ୍ୟ ବିମର୍ଶ ଶୀର୍ଷକ ଦ୍ବିତୀୟ ଅଧିବେଶନରେ ନିତ୍ୟାନନ୍ଦ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ରଞ୍ଜିତ କୁମାର ପରିଡ଼ା, ପ୍ରଦୀପ୍ତ କୁମାର ପଣ୍ଡା, ଇନ୍ଦ୍ରମଣି ସାହୁ ସାରଳା ଦାସ, ବଳରାମ ଦାସ ଓ ଜଗନ୍ନାଥ ଦାସଙ୍କ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ତୃତୀୟ ଅଧିବେଶନରେ ‘ମଧ୍ୟକାଳୀନ ସାହିତ୍ୟ ବିମର୍ଶ’ରେ ବାଳକୃଷ୍ଣ ଶତପଥୀ ଅଧ୍ୟକ୍ଷତା କରିଥିଲେ। କୃଷ୍ଣଚନ୍ଦ୍ର ପ୍ରଧାନ, କାହ୍ନୁଚରଣ ପାଢ଼ୀ, ଜ୍ଞାନୀ ଦେବାଶିଷ ମିଶ୍ର ଆଲୋଚନା କରିଥିଲେ। ଶେଷ ଅଧିବେଶନରେ ନଟବର ଶତପଥୀଙ୍କ ଅଧ୍ୟକ୍ଷତାରେ ‘ମଧ୍ୟକାଳୀନ ସାହିତ୍ୟ ବିମର୍ଶ, ପୁରାଣ ସାହିତ୍ୟ ପରମ୍ପରା’ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ କମ୍ବୁପାଣି ସାମନ୍ତ, ଅଜୟ ପଟ୍ଟନାୟକ, ବିଜୟଲକ୍ଷ୍ମୀ ଦାସ ଆଲୋଚନା କରିଥିଲେ। ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ସେଣ୍ଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଣ୍ଟ କଲ୍‌ଚର୍ ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ)ର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର