ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଛାତ୍ର ସଂସଦର ବାର୍ଷିକୋତ୍ସବ

ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଉପରେ ଗୁରୁତ୍ବ

ଭୁବନେଶ୍ବର: ଡ. ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ଛାତ୍ର ସଂସଦର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆୟୁଷ ନିର୍ଦେଶକ ଅଶ୍ବିନୀ କୁମାର ଯୋଗଦେଇ କହିଲେ, ଡ. ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜ ଦେଶର ଏକ ପୁରାତନ ମେଡିକାଲ କଲେଜ। ଏହି କଲେଜ କିଭଳି ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ, ସେଥିପାଇଁ ପ୍ରଚେଷ୍ଟା ହେବା ଦରକାର। ଏଥିପାଇଁ ଛାତ୍ରଛାତ୍ରୀମାନଙ୍କଠାରୁ ଆରମ୍ଭ କରି ଅଧ୍ୟାପକ/କର୍ମଚାରୀମାନଙ୍କୁ ଶୃଙ୍ଖଳା ଓ ପ୍ରତିବଦ୍ଧତା ଦେଖାଇବାକୁ ହେବ। ଏହାଛଡ଼ା ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ବାଦ୍‌ ଅନ୍ୟ ବିଷୟ ଉପରେ ଶିକ୍ଷାଲାଭ କରିବା ଜରୁରୀ। ବୈଷୟିକ ଯୁଗରେ ଛାତ୍ରଛାତ୍ରୀମାନେ ଇଣ୍ଟରନେଟ୍ ସହାୟତା ନେଇପାରିବେ। ସେହିପରି ଗବେଷଣା ଓ ଡକ୍ୟୁମେଣ୍ଟସନ୍‌ ଉପରେ ମଧ୍ୟ ଗୁରୁତ୍ବ ଦେବାକୁ ହେବ ବୋଲି ଶ୍ରୀ କୁମାର କହିଥିଲେ। କଲେଜର ଅଧ୍ୟକ୍ଷ ଡା. ସୁଧୀର ଦାଶ କହିଲେ, ଲାଇଫ୍ ଷ୍ଟାଇଲ ରୋଗ ପାଇଁ ହୋମିଓପ୍ୟାଥି ବେଶ ଫଳପ୍ରଦ ହୋଇପାରିଛି। ହୋମିଓପ୍ୟାଥି ଔଷଧ ମଧ୍ୟ କମ୍ ଦାମ୍‌ରେ ଉପଲବ୍ଧ ହେଉଛି। ତେଣୁ ଏହି ଔଷଧର କିଭଳି ଅଧିକରୁ ଅଧିକ ପ୍ରଚାରପ୍ରସାର ହୋଇପାରିବ, ତାହା ଉପରେ ଗୁରୁତ୍ବ ଦିଆଯିବା ଜରୁରୀ। ଏହି ଅବସରରେ ଛାତ୍ର ସଂସଦର ସଭାପତି ଏସ. ସ୍ବାତୀ କଲେଜର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ୨୦୦ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସର ନିର୍ମାଣ ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଉପଲବ୍ଧ କରିବା ନେଇ ବାର୍ଷିକ ବିବରଣୀରେ ମତ ରଖିଥିଲେ। ଏହି ଅବସରରେ କଲେଜର ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ସଂସଦ ସଂପାଦକ ଶୋଭାମୟୀ ଦାସ ଉପସ୍ଥିତ ଥିଲେ। ଶେଷରେ ସଂସଦର ଉପଦେଷ୍ଟା ଡା. ଜେ.କେ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର