କ୍ୟାମ୍ପସରେ ନାହିଁ ଛାତ୍ର ସଂସଦ: ହୋଇପାରୁନି ପ୍ରତିଯୋଗିତା, ଉତ୍ସବ

ଛାତ୍ରଛାତ୍ରୀଙ୍କଠାରୁ ନାମଲେଖା ବେଳେ ନିଆଯାଇଛି ଅର୍ଥ, ଉଚ୍ଚଶିକ୍ଷା ବିଭାଗର ହସ୍ତକ୍ଷେପ ଲୋଡ଼ିଲେ କଲେଜ କର୍ତୃପକ୍ଷ

ଭୁବନେଶ୍ବର: ୨୦୧୮-୧୯ ଶିକ୍ଷାବର୍ଷରେ ଯୁକ୍ତ୩ କଲେଜ/ବିଶ୍ବବିଦ୍ୟାଳୟଗୁଡ଼ିକରେ ଗଠନ ହୋଇପାରିଲାନି ଛାତ୍ର ସଂସଦ। ନିର୍ବାଚନ ପ୍ରକ୍ରିୟା ଚାଲିଥିଲା ବେଳେ ବାତ୍ୟା ‘ତିତିଲ୍‌’ ଭୟରେ ସାରା ରାଜ୍ୟରେ ନିର୍ବାଚନକୁ ବାତିଲ୍‌ କଲା ଉଚ୍ଚଶିକ୍ଷା ବିଭାଗ। ହେଲେ ୨/୩ଟି ଜିଲ୍ଲାକୁ ଛାଡ଼ି ଆଉ କୌଣସି ଜିଲ୍ଲାରେ ବାତ୍ୟାର ପ୍ରଭାବ ପଡ଼ିଥିଲା। କିନ୍ତୁ ଏବେ ତାହାର ପ୍ରଭାବ କ୍ୟାମ୍ପସଗୁଡ଼ିକରେ ପ୍ରତିଫଳିତ ହେଉଛି। କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ଗଠନ ହୋଇ ନଥିବାରୁ କ୍ୟାମ୍ପସରେ କୌଣସି ପ୍ରକାର ପ୍ରତି‌ଯୋଗିତା ହୋଇପାରୁ ନାହିଁ। ନାମଲେଖା ବେଳେ କଲେଜ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କଠାରୁ ଏବାବଦରେ ଟଙ୍କା ନେଇଥି‌ଲେ ମଧ୍ୟ ପ୍ରତିଯୋଗିତା କରୁ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। କଲେଜ କର୍ତୃପକ୍ଷ ସବୁ କିଛି ଜାଣିଥିଲେ ମଧ୍ୟ ନାଚାର। କୌଣସି ପଦକ୍ଷେପ ନେଇପାରୁ ନାହାନ୍ତି। ପ୍ରତିଯୋଗିତା ବାବଦରେ କଲେଜରେ ଫଣ୍ଡ୍‌ ଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଏପର୍ଯ୍ୟନ୍ତ କୌଣସି ନିର୍ଦେଶନାମା କିମ୍ବା ଗାଇଡ୍‌ଲାଇନ୍‌ ଜାରି କରି ନାହିଁ। ଯେଉଁଥିପାଇଁ ଅର୍ଥ ଖର୍ଚ୍ଚ କରାଯାଇପାରୁ ନଥିବା ଜଣାପଡ଼ିଛି।

ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରତି ଶିକ୍ଷାବର୍ଷର ଡିସେମ୍ବର ଓ ଜାନୁଆରି ମାସରେ ବିଭିନ୍ନ ପ୍ରତିଯୋଗିତା କରାଯାଏ। ଛାତ୍ର ସଂସଦ ପକ୍ଷରୁ ବକ୍ତୃତା, ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା କରାଯାଉଥିବା ବେଳେ ନାଟ୍ୟ ସଂସଦ ପକ୍ଷରୁ ସଙ୍ଗୀତ, ନୃତ୍ୟ, ନାଟକ, କ୍ରୀଡ଼ା‌ ସଂସଦ ପକ୍ଷରୁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରିବାର ନିୟମ ରହିଛି। ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ବିଭିନ୍ନ ସଂସଦ ପକ୍ଷରୁ ଉତ୍ସବ ଆୟୋଜନ କରାଯାଇ ପୁରସ୍କାର ପ୍ରଦାନ କରାଯାଏ। ଛାତ୍ର ସଂସଦରେ ପ୍ରତିନିଧିମାନେ ଆବେଦନ କରିବା ପରେ କଲେଜ କର୍ତୃପକ୍ଷ ଏବାବଦରେ ଥିବା ଅର୍ଥ ପ୍ରଦାନ କରିଥାନ୍ତି। ଏଥର କିନ୍ତୁ ଜାନୁଆରି ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ପ୍ରତିଯୋଗିତାର ନାଁ ଗନ୍ଧ ନାହିଁ। କେବେ ହେବ ସେନେଇ କଲେଜ/ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟରେ କୌଣସି ଖବର ନାହିଁ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିଛନ୍ତି ପ୍ରତିଯୋଗିତା ଓ ଉତ୍ସବ କରିବାକୁ ବିଶ୍ବବିଦ୍ୟାଳୟ ଫଣ୍ଡ୍‌ରେ ଅର୍ଥ ରହିଛି। କିନ୍ତୁ ତାହାକୁ କିଭଳି ଖର୍ଚ୍ଚ କରାଯିବ ସେନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ଦିଆଯାଇ ନାହିଁ। ନିର୍ବାଚନ ବାତିଲ୍‌ ହେବା ପରେ ଉଚ୍ଚଶିକ୍ଷା ବିଭାଗ ଏନେଇ ଚିନ୍ତା କରି ନାହିଁ। ପରାମର୍ଶ ବି ଦେଇନି। ତେଣୁ ଆମେ ଅର୍ଥ ଖର୍ଚ୍ଚ କରିପାରୁନୁ। ଛାତ୍ରୀମାନେ ଆସି ବିଭିନ୍ନ ପ୍ରତିଯୋଗିତା ସମ୍ପର୍କରେ ପଚାରୁଥିଲେ ମଧ୍ୟ ଆମେ ନାଚାର। ବିଭାଗ ପକ୍ଷରୁ ନିର୍ଦେଶ କିମ୍ବା ବିଜ୍ଞପ୍ତି ପ୍ରକାଶ ପରେ ପଦ‌କ୍ଷେପ ନେବୁ। ଛାତ୍ର ସଙ୍ଗଠନଗୁଡ଼ିକ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବିଭିପି ପକ୍ଷରୁ କୁହାଯାଇଛି ଯେ ପିଲାଙ୍କଠାରୁ ଅର୍ଥ ଆଦାୟ କରି ଶୋଷଣ କରାଯାଇଛି। ଫେବ୍ରୁଆରି ମାସରୁ ଯୁକ୍ତ୩ ଓ ପିଜି ପିଲାଙ୍କ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ତେଣୁ ହାତରେ ଆଉ ସମୟ ନାହିଁ। ଏବେବି ପ୍ରତିଯୋଗିତା କରାଗଲେ ବହୁ ମେଧାବୀ ଛାତ୍ରଛାତ୍ରୀ ବଞ୍ଚିତ ହେବେ। ଭାଗନେଇପାରିବେ ନାହିଁ। ଉଚ୍ଚଶିକ୍ଷା ବିଭାଗ ଏଦିଗରେ ତୁରନ୍ତ ପଦକ୍ଷେପ ନେଉ। ନ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ। ସେପଟେ ରାଜଗାଙ୍ଗପୁର କଲେଜ ଅଧ୍ୟକ୍ଷ ଆଜି ଏନେଇ ଉଚ୍ଚଶିକ୍ଷା ବିଭାଗର ହସ୍ତକ୍ଷେପ ଲୋଡ଼ିଛନ୍ତି। ବାର୍ଷିକ ଉତ୍ସବ ଓ କ୍ରୀଡ଼ା ଉତ୍ସବ ଆୟୋଜନ ପାଇଁ କମିଟି ଗଠନ କରିବାକୁ ଅଧ୍ୟକ୍ଷଙ୍କୁ ଦାୟିତ୍ବ ଦେବା, ଅର୍ଥ ଉଠାଇବା ପାଇଁ କମିଟିର ସଦସ୍ୟମାନଙ୍କୁ କ୍ଷମତା ପ୍ରଦାନ କରିବାକୁ ଅନୁମତି ମଗାଯାଇଛି।

ସମ୍ବନ୍ଧିତ ଖବର