ରାଜଧାନୀରେ ପଢ଼ିବେ! ହଷ୍ଟେଲ୍‌ ପାଇଁ ହଟହଟା

ବିଜେବି, ରମାଦେବୀରେ ସୀମିତ ହଷ୍ଟେଲ ସିଟ୍‌, ଶୋଷଣର ଶିକାର ହେଉଛନ୍ତି ଉପାନ୍ତ ପିଲା

ଭୁବନେଶ୍ବର: ଚାଲିଛି ନାମଲେଖା ଋତୁ। ଯୁକ୍ତ୨ ଓ ଯୁକ୍ତ୩ ସମେତ ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅଭିଭାବକଙ୍କ ଭିଡ଼ ଜମୁଛି। ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ଆଖିରେ ଆଖିଏ ସ୍ବପ୍ନ ନେଇ ଭୁବନେଶ୍ବରରେ ପଢ଼ିବା ପାଇଁ ଧାଇଁ ଆସୁଛନ୍ତି। ଭଲ ମାର୍କ ରହିଥିବାରୁ ବିଜେବି, ରମାଦେବୀ, ବେସିକ୍‌ ସାଇନ୍ସ, ମହର୍ଷି, ରାଜଧାନୀ ପରି କଲେଜରେ ସେମାନଙ୍କୁ ସିଟ୍‌ ମିଳି ଯାଉଛି। ‌ହେଲେ ରହିବା ପାଇଁ ହଷ୍ଟେଲ୍‌ ମିଳୁନି। ହାତଗଣିତ ୩ରୁ ୪ଟିକୁ ଛାଡ଼ି ଦେଲେ ସହରର ପ୍ରମୁଖ କଲେଜରେ ହଷ୍ଟେଲ ସୁବିଧା ଉପଲବ୍ଧ ନାହିଁ। ଯେଉଁଠି ବି ରହିଛି, ସେଠାରେ ସମସ୍ତଙ୍କୁ ଥଇଥାନ କରିବା ସମ୍ଭବପର ହେଉନାହିଁ। ମାର୍କ ଅନୁଯାୟୀ ହଷ୍ଟେଲ ସୁବିଧା ଯୋଗାଇ ଦିଆଯାଉଥିବାରୁ ରାଜ୍ୟର ଉପାନ୍ତ, ଆଭ୍ୟନ୍ତରୀଣ ଅଞ୍ଚଳରୁ ଆସୁଥିବା ‌ମେଧାବୀଙ୍କୁ ହଟହଟା ହେବାକୁ ପଡ଼ୁଛି। ଏଦୁଆର ସେଦୁଆର ବୁଲି ହଷ୍ଟେଲ ଖୋଜୁଛନ୍ତି।

ଯେଉଁ କଲେଜରେ ନାମ ଲେଖାଉଛନ୍ତି, ତାହା ଆଖପାଖରେ ଶସ୍ତାରେ ହଷ୍ଟେଲ କି ଭଡ଼ା ଘର ମିଳୁନି। କେଉଁଠି ବେଡ୍‌ ପିଛା ଦୁଇ ହଜାର ତ ଆଉ କେଉଁଠି ସିଙ୍ଗଲ୍‌ ଘର ଭଡ଼ା ୫ ହଜାର। ତାହା ବି ପୁଣି କ୍ବଚିତ୍‌ ମିଳୁଛି। ଯଦି କାହାକୁ ମିଳି ଯାଉଛି, ତେବେ ମାଲିକଙ୍କ ପାଟିରୁ ଯେତିକି ଟଙ୍କା ବାହାରୁଛି, ଛାତ୍ରଛାତ୍ରୀ ସେତିକି ଦେବାକୁ ବାଧ୍ୟ। ନହେଲେ ହଷ୍ଟେଲ ନାହିଁ। ଅଭିଭାବକମାନେ ବି ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କାନମୁଣ୍ଡା ଆଉଁସି ମାଲିକ ଯେତେ ଟଙ୍କା କହୁଛନ୍ତି, ସେତିକି ଦେଉଛନ୍ତି। ଏଭଳି ସମସ୍ୟା ଚଳିତବର୍ଷ କିମ୍ବା ଦୁଇ ତିନି ବର୍ଷର ନୁହେଁ। ଦୀର୍ଘବର୍ଷ ହେଲା ଭୁବନେଶ୍ବର ସହରରେ ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି। କ୍ୟାମ୍ପସରେ ଅଧିକ ହଷ୍ଟେଲ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ନାହିଁ କିମ୍ବା ମାଲିକଙ୍କ ଦ୍ବାରା ଦିଆଯାଉଥିବା ଘର ଭଡ଼ା ଉପ‌ରେ ରୋକ୍‌ ଲଗା ଯାଉନି। ଯୁକ୍ତ୨ ଓ ଯୁକ୍ତ୩ ଶିକ୍ଷାଦାନ ପାଇଁ ସହରରେ ଥିବା ସେଲ୍ଫ ଫାଇନାନ୍ସି˚ କଲେଜ ବ୍ୟତୀତ ୧୫ରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ରହିଛି। ସେଥିମଧ୍ୟରୁ ବିଜେବି, ରମାଦେବୀ, ଶ୍ରୀସତ୍ୟସାଇ ମହିଳା କଲେଜ ବ୍ୟତୀତ ଆଉ କୌଣସି କଲେଜରେ ସେଭଳି ହଷ୍ଟେଲ ନାହିଁ। ଏହାର ଫାଇଦା ନେଉଛନ୍ତି ସେଲ୍ଫ ଫାଇନାନ୍ସି˚ କଲେଜ। ଛାତ୍ରଛାତ୍ରୀଙ୍କ ରହିବା, ଖାଇବା ପାଇଁ ହଷ୍ଟେଲ ସୁବିଧା କରି ପ୍ରତିବର୍ଷ ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ଛାତ୍ରଛାତ୍ରୀଙ୍କ ନାମଲେଖା କରୁଛନ୍ତି। ଲକ୍ଷାଧିକ ଟଙ୍କା ବି ରୋଜଗାର କରୁଛନ୍ତି। କ୍ୟାମ୍ପସ୍‌ରେ ରହିବା ଓ ସୁରକ୍ଷା ବ୍ୟବସ୍ଥା ରହୁଥିବାରୁ ଅଭିଭାବକ ବି ସେଲ୍ଫ ଫାଇନାନ୍ସିଂ କଲେଜକୁ ପ୍ରାଥମିକତା ଦେଉଛନ୍ତି।

ବିଜେବି ସ୍ବୟ˚ଶାସିତ ମହାବିଦ୍ୟାଳୟ ଓ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ ସୁବିଧା ଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ। ଉକ୍ତ ଦୁଇ କଲେଜରେ ୭ହଜାରରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ମାତ୍ର ୧୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଲାଗି ହଷ୍ଟେଲ ସୁବିଧା ରହିଛି। ବିଜେବି ଜୁନିଅର କଲେଜ‌ରେ ଛାତ୍ରଙ୍କ ପାଇଁ ୧୩୦ ଓ ଛାତ୍ରୀଙ୍କ ଲାଗି ୧୪୦ ହଷ୍ଟେଲ ସିଟ୍‌ ରହିଛି ବୋଲି କଲେଜ ଅଧ୍ୟକ୍ଷ ବିଷ୍ଣୁ ଚରଣ ଦାସ ସୂଚନା ଦେଇଛନ୍ତି। ସ୍ବୟଂଶାସିତ କଲେଜରେ କେବଳ ଛାତ୍ରୀଙ୍କ ପାଇଁ ୩୨୦ ସିଟ୍‌ ରହିଥିବା ଜଣାପଡ଼ିଛି। ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଭୟ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରୀଙ୍କ ଲାଗି ଶହେ ଲେଖାଏଁ ହଷ୍ଟେଲ ସିଟ୍‌ ରହିଛି। ୨୫୦୦ ଛାତ୍ରୀ ପଢ଼ୁଥିବା ବେଳେ ସେମାନଙ୍କ ପାଇଁ ମାତ୍ର ୨୦୦ ସିଟ୍‌ ସମୁଦ୍ରକୁ ଶଙ୍ଖେ ପରି। ଏବର୍ଷ ୨୫ଜଣ ଭିନ୍ନକ୍ଷମ ଛାତ୍ରୀ ନାମ ଲେଖାଇ ଥିବାରୁ ସେମାନଙ୍କ ଲାଗି ୨୫ଟି ସିଟ୍‌ ସଂରକ୍ଷିତ ରହିବା ସ୍ବାଭାବିକ। ବାକି ୭୫ଟି ସିଟ୍‌ରେ କିଭଳି ଏତେସଂଖ୍ୟକ ଛାତ୍ରୀଙ୍କୁ ରଖାଯିବ, ତାହାକୁ ନେଇ କର୍ତୃପକ୍ଷଙ୍କ ଚିନ୍ତା ବଢ଼ୁଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଭିନ୍ନକ୍ଷମଙ୍କ ଲାଗି ଏକ ସ୍ବତନ୍ତ୍ର ହଷ୍ଟେଲ ହୋଇଥିଲେ ମଧ୍ୟ ସେଥିରେ ଯୁକ୍ତ୨ ଭିନ୍ନକ୍ଷମ ଛାତ୍ରୀଙ୍କୁ ରହିବାକୁ ଅନୁମତି ଦିଆଯାଉନାହିଁ। ବିଶ୍ବବିଦ୍ୟାଳୟ ଅଧୀନରେ ସ୍ନାତକ ଓ ସ୍ନାତକୋତ୍ତରରେ ୪ ହଜାରରୁ ଅଧିକ ଛାତ୍ରୀ ପଢ଼ୁଥିବା ବେଳେ ହଷ୍ଟେଲ ସଂଖ୍ୟା ବହୁତ କମ୍‌।

ରାଜା ମଧୁସୂଦନ ଦେବ ଡିଗ୍ରି କଲେଜରେ ଛାତ୍ରୀଙ୍କ ପାଇଁ ୩୦ ଓ ଛାତ୍ରଙ୍କ ପାଇଁ ୨୫ ଶଯ୍ୟା ବିଶିଷ୍ଟ ହଷ୍ଟେଲ ରହିଛି ବୋଲି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ କହିଛନ୍ତି। ରାଜଧାନୀ କଲେଜରେ ଛାତ୍ରୀଙ୍କ ଲାଗି ୬୦ଟି ଶଯ୍ୟା ବିଶିଷ୍ଟ ହ‌ଷ୍ଟେଲ୍‌ ରହିଛି। ଯେଉଁଠାରେ ସ୍ନାତକ, ସ୍ନାତକୋତ୍ତର ଛାତ୍ରୀଙ୍କ ରହିବା ପାଇଁ ସୁବିଧା ହୋଇଛି। ପିଲା ନ ହେଲେ ଯୁକ୍ତ ୨ ଛାତ୍ରୀଙ୍କ ରହିବା ସୁବିଧା ଦିଆଯାଉଛି ବୋଲି କଲେଜ ଅଧ୍ୟକ୍ଷା ସସ୍ମିତା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଶ୍ରୀ ସତ୍ୟସାଇ ମହିଳା କଲେଜରେ ବି ଅଳ୍ପ କିଛି ପିଲାଙ୍କ ଲାଗି ହଷ୍ଟେଲ ସୁବିଧା ଉପଲବ୍ଧ ରହିଥିବା‌ ଜଣାପଡ଼ିଛି। ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମରେ ୬ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିଲେ ମଧ୍ୟ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ନାହିଁ। ୧୪ଟି ହଷ୍ଟେଲରେ ପ୍ରାୟ ଅଢ଼େଇ ହଜାର ଛାତ୍ରଛାତ୍ରୀ ରହିବା ଲାଗି ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର