କ୍ୟାପିଟାଲ ହସ୍‌ପିଟାଲରେ ସ୍ଥିତି ଯାଞ୍ଚ କଲେ ଜିଲ୍ଲାପାଳ

ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ କ୍ୟାପିଟାଲ ହସ୍ପିଟାଲର ସ୍ଥିତି ଯାଞ୍ଚ କରିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ଓ ରୋଗୀଙ୍କ ସହ କଥା ହୋଇ ସ୍ବାସ୍ଥ୍ୟସେବା ସଂପର୍କରେ ପଚାରି ବୁଝିଛନ୍ତି। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେ‌ଳେ ଜିଲ୍ଲାପାଳ ହସ୍‌ପିଟାଲରେ ପହଞ୍ଚିଥିଲେ। କାଜୁଆଲିଟିରେ ରୋଗୀଙ୍କ ସହ କଥା ହୋଇ ମତାମତ ସଂଗ୍ରହ କରିଥିଲେ। ସେଠାରୁ ପଞ୍ଜୀକରଣ ଗୃହ, ଶିଶୁ ବିଭାଗ, ଏସ୍‌ଏନ୍‌ସିୟୁ, ଫିଜିଓଥେରାପି ୟୁନିଟ୍‌, ଡାଏଲିସିସ୍‌, ସିଟି ସ୍କାନ୍‌, ପାକଶାଳା ଗସ୍ତ କରି ଅନୁଧ୍ୟାନ କରିବା ସହ ମେଡିକାଲ ପରିସର ବୁଲି ଦେଖିଥିଲେ। ଔଷଧ ବିତରଣ କେନ୍ଦ୍ରରେ ଧାଡ଼ିରେ ଛିଡ଼ା ହୋଇଥିବା ରୋଗୀଙ୍କ ସହ କଥା ହୋଇ ଔଷଧ ପାଉଛନ୍ତି କି ନାହିଁ ବୁଝିଥିଲେ। ତେବେ ସେ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ହସ୍‌ପିଟାଲ୍‌ ସୁପରିନ୍‌ଟେଣ୍ଡେଣ୍ଟ ଡା. ନାରାୟଣ ସେଠୀ କହିଥିଲେ, ଜିଲ୍ଲାପାଳ ହସ୍‌ପିଟାଲର ରୋଗୀସେବା ଅନୁଧ୍ୟାନ କରି ସ‌ନ୍ତୋଷବ୍ୟକ୍ତ କରିଛନ୍ତି। ପ୍ରକାଶ ଥାଉକି ଦୁଇ ଦିନ ପୂର୍ବେ ‘୫-ଟି’ ସଚିବଙ୍କ ଗସ୍ତ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ସଚିବଙ୍କ ଗସ୍ତ ପୂର୍ବରୁ ହସ୍‌ପିଟାଲ ପରିସରକୁ ଚକାଚକ କରାଯାଇଥିଲା।

ସମ୍ବନ୍ଧିତ ଖବର