ବାଲିଅନ୍ତା: ଜୟଦେବ ପୀଠର ସ୍ବଚ୍ଛତା ଓ ଅନ୍ୟାନ୍ୟ ବିକାଶମୂଳକ କାମରେ ମନରେଗା ଯୋଜନା କାର୍ଯ୍ୟକାରୀ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଗୁରୁତ୍ବ ଦେଇଛନ୍ତି। ଆଜି କେନ୍ଦୁବିଲ୍ବ ଜୟଦେବ ପୀଠରେ ପହଞ୍ଚି ସେ ବ୍ଲକ୍ ପ୍ରଶାସନ ଓ ସ୍ଥାନୀୟ ପଞ୍ଚାୟତକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଆଜି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ସେ ଏହି ପୀଠ ପରିସରର ଅସ୍ବଚ୍ଛ ସ୍ଥିତି ଦେଖି ବିରକ୍ତ ହୋଇଥିଲେ। କାଳବୈଶାଖୀ ଝଡ଼ ବର୍ଷାରେ ଭାଙ୍ଗି ପଡ଼ିଥିବା ଗଛ ଡାଳ ଚାରିଆଡ଼େ ଗଦା ହୋଇପଡ଼ିଥିଲା।
ଏହାସହିତ ପରିସରସାରା ଅନାବନା ଗଛଲତା ଭର୍ତ୍ତି ହୋଇ ପରିବେଶ ଅସୁନ୍ଦର ଦେଖାଯାଉଥିଲା। ତେଣୁ ମନରେଗା ଯୋଜନାରେ ଏସବୁ ସଫେଇ କାର୍ଯ୍ୟ କରାଇବାକୁ ସେ ସ୍ଥାନୀୟ ପଞ୍ଚାୟତ ଜନପ୍ରତିନିଧି ଏବଂ ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ କହିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପୀଠର ଯମୁନା ଓ ପଦ୍ମାବତୀ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ବର୍ଷା ଦିନ ପୂର୍ବରୁ ଶେଷ କରିବାକୁ ତାଗିଦ୍ କରିଥିଲେ। ଆଜି ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦଶକ ଦିଗନ୍ତ କୁମାର ରାଉତରାୟ, ବାଲିଅନ୍ତା ବିଡିଓ, ଜୟଦେବ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଭୋଇ ଓ ସମିତି ସଭ୍ୟ ଭାବଗ୍ରାହୀ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ।