ପ୍ରେମିକ ପିଛାରେ କଲେଜ ପାଣ୍ଠି: ସାଢ଼େ ୯୭ ଲକ୍ଷ ହଡ଼ପ

ମହିଳା କର୍ମଚାରୀ ଗିରଫ

ଭୁବନେଶ୍ବର: କଲେଜ ପାଣ୍ଠିକୁ ହଡ଼ପ କରି ପ୍ରେମିକ ପିଛାରେ ଉଡ଼ାଇଥିବା ଅଭିଯୋଗରେ ଆଜି ତମାଣ୍ଡୋ ଥାନା ପୁଲିସ ଉକ୍ତ କଲେଜର ଜଣେ ମହିଳା କର୍ମଚାରୀଙ୍କୁ ଗିରଫ କରିଛି। ସେ ହେଲେ ତମାଣ୍ଡୋ ନିକଟସ୍ଥ ଏକ ଘରୋଇ ବିଶ୍ବବିଦ୍ୟାଳୟର ସହକାରୀ ଆକାଉଣ୍ଟାଣ୍ଟ ପାୟଲ୍‌ ମହାପାତ୍ର। ପାୟଲ୍‌ ପ୍ରାୟ ୯୭ଲକ୍ଷ ୫୩ହଜାର ୯ଶହ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।

ଆକାଉଣ୍ଟ ବିଭାଗର ଜିଏମ୍ କ୍ଷୀରୋଦ କୁମାର ଶତପଥୀଙ୍କ ଅଭିଯୋଗ ଅନୁଯାୟୀ ଆସିଷ୍ଟାଣ୍ଟ୍ ଆକାଉଣ୍ଟ୍ ପାୟଲ୍‌ ଛାତ୍ରଛାତ୍ରୀଙ୍କଠାରୁ ଟ୍ୟୁସନ୍ ଓ ହଷ୍ଟେଲ ଫି’ ଆଦାୟ କରୁଥିଲେ। ଅଡିଟ୍‌ ବେଳେ ଜଣାପଡ଼ିଥିଲା ଯେ ୨୦୨୧ ମସିହାରେ ପାୟଲ୍‌ ପିଲାଙ୍କଠାରୁ ଆଦାୟ କରିଥିବା ଫି’ ଅଫିସ ଆକାଉଣ୍ଟରେ ଜମା କରିନଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପାୟଲଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲା। ସେ ତାଙ୍କ ପ୍ରେମିକ ବିକାଶ କୁମାରଙ୍କୁ ୯୭ଲକ୍ଷରୁ ଅଧିକ ଟଙ୍କା ଦେଇଥିବା ଜଣାପଡ଼ିଥିଲା। ସୂଚନାଯୋଗ୍ୟ, ପ୍ରେମିକ ବିକାଶ ଉକ୍ତ କଲେଜରେ ପଢ଼ୁଥିବା ବେଳେ ହିଁ ପାୟଲ୍‌ଙ୍କୁ ଭଲ ପାଇ ବସିଥିଲେ ଓ ସେମାନଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ବିକାଶ କଲେଜରୁ ପାସ୍ ଆଉଟ୍ ହୋଇସାରିଛନ୍ତି।

ସମ୍ବନ୍ଧିତ ଖବର