୧୫ରୁ ୩୧ ତାରିଖ ମଧ୍ୟରେ ବସିବ ଡିସିଡିଏଫ୍‌ସି ବୈଠକ: କଲେଜ ହେବ ସ୍ମାର୍ଟ

ଭୁବନେଶ୍ବର: ସ୍କୁଲ ପରେ ଏବେ କଲେଜଗୁଡ଼ିକର ନବକଳେବର ହେବ। ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ରୂପରେଖ ବଦଳାଇବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। କଲେଜଗୁଡ଼ିକର ଭିତ୍ତିଭୂମି ସୁଧାର କରିବା ସହ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରି, ଅତ୍ୟାଧୁନିକ ଲାବରେଟୋରି, କମ୍ପ୍ୟୁଟର ରୁମ୍ ଆଦି ସୁବିଧା କରାଯିବ। ମରାମତି, ପୁନରୁଦ୍ଧାର, ନୂତନ ନିର୍ମାଣ କାର୍ଯ୍ୟ ହାତକୁ ନିଆଯିବ।

ଭିତ୍ତିଭୂମି ବିକାଶ ନିମନ୍ତେ ସାଂସଦ ପାଣ୍ଠି, ବିଧାୟକ ପାଣ୍ଠି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି, କେବିକେ ପାଣ୍ଠି, ଡିଏମଏଫ ଓ ଓଏମବିଏଡିସି ପାଣ୍ଠିରୁ ଅର୍ଥ ଖର୍ଚ୍ଚ ହେବ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରତି ଜିଲ୍ଲା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଲେଜ ଉନ୍ନୟନ ସୁବିଧା କମିଟି(ଡିସିଡିଏଫସି) ଗଠନ ହେବା ସହ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ମଧ୍ୟ ଏହି ବୈଠକରେ ଉପସ୍ଥିତ ରହି ବିଶଦ୍‌ ଆଲୋଚନା କରିଛନ୍ତି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ କଲେଜଗୁଡ଼ିକୁ ସ୍ମାର୍ଟ କରିବାକୁ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହୋଇଥିବା କମିଟି ଆସନ୍ତା ୧୫ରୁ ୩୧ତାରିଖ ମଧ୍ୟରେ ନିଶ୍ଚିତ ଭାବେ ଥରେ ବୈଠକ କରିବେ। ଜିଲ୍ଲାରେ ବହୁ ସଂଖ୍ୟାରେ କଲେଜ ରହିଥିବାରୁ ଫଳପ୍ରଦ ବୈଠକ ପାଇଁ ସମସ୍ୟା ଥିବା କଲେଜକୁ ଚିହ୍ନଟ କରି ତା’ର କର୍ତ୍ତୃପକ୍ଷଙ୍କୁ ଡାକି ସେହି ପ୍ରସଙ୍ଗରେ ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଛି। କଲେଜର ଅଧ୍ୟକ୍ଷମାନଙ୍କୁ ଡାକି ଆଲୋଚନା କରିବେ। ଜମି ସମସ୍ୟା ଥିବା କଲେଜଗୁଡ଼ିକ ଉପରେ ପ୍ରଥମ ପର୍ଯ୍ୟାୟରେ ଆଲୋଚନା କରିବାକୁ କୁହାଯାଇଛି।

କଲେଜ ପରିସରରେ ନିୟମିତ ବ୍ୟବଧାନରେ ବୃକ୍ଷରୋପଣ, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ, ସ୍ୱେଚ୍ଛାକୃତ କାର୍ଯ୍ୟ ଆଦି ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କଲେଜ କ୍ୟାମ୍ପସରେ ନିଶା କାରବାର ଓ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଯେପରି ନହୁଏ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଏସ୍‌ପିମାନଙ୍କୁ କୁହାଯାଇଛି। ପୁରାତନ ଛାତ୍ରଛାତ୍ରୀଙ୍କୁ କଲେଜ ସହ ଯୋଡ଼ି ସେମାନଙ୍କଠାରୁ ପାଣ୍ଠି ସଂଗ୍ରହ କରାଯିବ। ଯେତିକି ଅର୍ଥ ସଂଗ୍ରହ ହେବ, ତା’ର ଦ୍ୱିଗୁଣ ଅର୍ଥ ସରକାର ସମ୍ପୃକ୍ତ କଲେଜକୁ ଯୋଗାଇଦେବେ ବୋଲି ପୂର୍ବ ହୋଇଥିବା ନିଷ୍ପତ୍ତି ପ୍ରତି ଗୁରୁତ୍ବାରୋପ କରାଯାଇଛି।

ଏହି ସ୍ମାର୍ଟ କଲେଜ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତି ଜିଲ୍ଲାରେ ଗଢ଼ା ହୋଇଥିବା କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିଛନ୍ତି। କମିଟିରେ ଏସ୍‌ପି, ଉପଜିଲ୍ଲାପାଳ, ଜିଲ୍ଲାର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷ, ଆରଡି, ଆର ଆଣ୍ଡ ବି, ଜିଇଡି, ପିଏଚଡି ଆଦି ବିଭାଗର ଡିଭିଜନ ମୁଖ୍ୟ(ଜିଲ୍ଲାପାଳ ନିର୍ଦ୍ଧାରଣ କରିବେ)ଙ୍କୁ ସଦସ୍ୟ ଭାବେ ଏହି କମିଟିରେ ସାମିଲ କରାଯିବ। ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ କିମ୍ବା ଉପ ନିର୍ଦ୍ଦେଶକ କମିଟିର ଆବାହକ ରହିବେ। ଅତିରିକ୍ତ ଜିଲ୍ଲାପାଳ କମିଟିର ସଂଯୋଜକ ସଦସ୍ୟ ରହିବେ।

ସମ୍ବନ୍ଧିତ ଖବର