ପତ୍ନୀଙ୍କୁ ହତ୍ୟା କରି ୩ ଶହ ଖଣ୍ଡ କରିବା ମାମଲା: ‌କୋର୍ଟ ରୁମ୍‌ରେ କାନ୍ଦିଲେ କର୍ଣ୍ଣେଲ

ଭୁବନେଶ୍ୱର: ସ୍ତ୍ରୀକୁ ହତ୍ୟା କରିବା ପରେ ଅପରାଧ ଲୁଚାଇବା ପାଇଁ ଶରୀରକୁ ହାଣି ୩୦୦ଖଣ୍ଡ କରି ହାଣିବା ଭଳି ଘଟଣା ଓଡ଼ିଶା ଇତିହାସରେ ବିରଳ। ୨୦୧୩ ମସିହାରେ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଭିଆଇଥିବା ଅବସରପ୍ରାପ୍ତ କର୍ଣ୍ଣେଲ ଡାକ୍ତର ସୋମନାଥ ପରିଡ଼ାଙ୍କୁ ଆଜି ଖୋର୍ଧା ଜିଲ୍ଲା ଓ ଦୌରାଜଜ୍‌ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଭଳି ଏକ ଜଘନ୍ୟ ଅପରାଧ ପାଇଁ ସେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ବୋଲି କୋର୍ଟ ଆଦେଶ ଦେଇଛନ୍ତି। ତେବେ କୋର୍ଟ ରାୟ ଶୁଣାଇବା ବେଳେ କର୍ଣ୍ଣେଲଙ୍କ ଆଖି ଛଳଛଳ ହୋଇଯାଇଥିଲା। ବିଚାରପତି ରାୟ ଶୁଣାଇବା ପୂର୍ବରୁ ତାଙ୍କୁ କଠୋର୍‌ ଦଣ୍ଡ ହେବ ବୋଲି ସେ ଆଭାସ ପାଇ ସାରିଥିଲେ। ତେଣୁ ସେ ଜଜ୍‌ଙ୍କୁ ଦଣ୍ଡ କୋହଳ କରିବା ପାଇଁ ଗୁହାରି କରିଥିଲେ।

ଘଟଣା ଥିଲା ଏମିତି…
ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ୨୦୧୩ ମସିହା‌‌ରେ ଘଟିଥିଲା। ସେନାରେ ଡାକ୍ତର ପଦରୁ ଅବସର ଗ୍ରହଣ କରିଥିବା କର୍ଣ୍ଣେଲ ସୋମନାଥ ପରିଡ଼ା, ପତ୍ନୀ ଉଷାଶ୍ରୀଙ୍କ ସହ ନୂଆପଲ୍ଲୀ ଆଇଆରସି ଭିଲେଜ୍‌ସ୍ଥିତ ଘରେ ରହୁଥିଲେ। ତେବେ ପାରିବାରିକ ବବାଦକୁ କେନ୍ଦ୍ର କରି ଜୁନ୍‌ ୩ ତାରିଖରେ ପତ୍ନୀ ଉଷାଶ୍ରୀଙ୍କୁ ହତ୍ୟା କରିଥିଲେ କର୍ଣ୍ଣେଲ। ଘଟଣାକୁ ଲୁଚାଇବା ପାଇଁ ସେ କରତ, ଛୁରି, କଇଁଚି, ଆରି ଆଦି ଅସ୍ତ୍ରର ବ୍ୟବହାର କରି ଉଷାଶ୍ରୀଙ୍କ ଶବକୁ ୩୦୦ ଖଣ୍ଡ କରି କାଟି ଦେଇଥିଲେ। ଖାଲି ସେତିକି ନୁହେଁ, ମାଂସ ଖଣ୍ଡଗୁଡ଼ିକରେ କେମିକାଲ ଗୋଳାଇ ସେଗୁଡ଼ିକୁ ଷ୍ଟିଲ ଡବା ଓ ଦୁଇଟି ବଡ଼ ବାକ୍ସରେ ସାଇତି ରଖିଥିଲେ। ପାଖରେ କେହି ସଂପର୍କୀୟ ନଥିବାରୁ ଏହି ଘଟଣା ପଦାକୁ ବି ଆସି ନଥିଲା। ତେବେ ଦୁବାଇରେ ରହୁଥିବା କର୍ଣ୍ଣେଲଙ୍କ ଝିଅ ଲେଖା ପରିଡ଼ା ସେହି ମାସ ୨୧ ତାରିଖରେ ଫୋନ୍‌ ଯୋଗେ ମା’ଙ୍କ ସହ କଥା ହେବାକୁ ଜିଦି କରିବାରୁ କର୍ଣ୍ଣେଲ ରାଗି ଯାଇଥିଲେ। ଏହାକୁ ନେଇ ଲେଖାଙ୍କ ସନ୍ଦେହ ହୋଇଥିଲା। ଖାରବେଳନଗର‌ରେ ରହୁଥିବା ମାମୁଁ ରଂଜନଙ୍କୁ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ଲାଗି ଘରକୁ ପଠାଇଥିଲେ। ରଂଜନ ତାଙ୍କ ପୁତୁରାଙ୍କ ସହ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ପହଞ୍ଚିଥିଲେ ହେଁ କର୍ଣ୍ଣେଲ ତାଙ୍କୁ ଘରେ ପୂରାଇ ଦେଇନଥିଲେ। ଘରୁ ପ୍ରବଳ ଦୁର୍ଗନ୍ଧ ଆସୁଥିବାରୁ ରଂଜନଙ୍କ ସନ୍ଦେହ ହୋଇଥିଲା। ପରେ ସେ ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସର ଏକ ଟିମ୍‌ ଛାନ୍‌ଭିନ୍‌ କରିବା ପରେ ଉଷାଶ୍ରୀଙ୍କ ଖଣ୍ଡବିଖଣ୍ଡିତ ଶରୀରର ଅଂଶ ଡବାରୁ ପାଇଥିଲା। ଜୁନ୍‌ ୨୨ ତାରିଖରେ କର୍ଣ୍ଣେଲଙ୍କୁ ଗିରଫ କରାଯାଇଥିଲା। ଅକ୍ଟୋବର ୨୪ରେ ପୁଲିସ ଏହି ଘଟଣାର ଚାର୍ଜସିଟ୍‌ ଦାଖଲା କରିଥିଲା। ସେବେଠାରୁ ‌କର୍ଣ୍ଣେଲ ଝାରପଡ଼ା ଜେଲ୍‌ରେ ଥିଲେ।

ଆଉ ବା କେତେ ଦିନ ବଞ୍ଚିବି…
ପୂର୍ବରୁ କର୍ଣ୍ଣେଲ ନିଜ ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦଣ୍ଡବିଧାନ ହେଉଛି ବୋଲି ସେ ଜାଣି ସାରିଥିଲେ। ଆଜି ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଦଣ୍ଡ କମ୍‌ କରିବା ପାଇଁ ଜଜ୍‌ଙ୍କୁ ଗୁହାରି କରିଥିଲେ। ‘ଦେଶ ସେବାରେ ନିୟୋଜିତ ଥିଲି। ସେନାରେ ଡାକ୍ତର ଥିବା ବେଳେ ବା ଚାକିରି କାଳରେ ଦୁର୍ନୀତି କରିନାହିଁ କିମ୍ବା ଅପରାଧକୁ ପ୍ରଶ୍ରୟ ଦେଇ ନାହିଁ। ବୟସ ୮୧ ହେଲାଣି। ଆ‌ଉ ବା କେତେଦିନ ବଞ୍ଚିବି! ଏଣୁ ଦଣ୍ଡ କମ୍‌ କରାଯାଉ ବୋଲି କହିବା ବେଳେ ସେ କାନ୍ଦି ପକାଇଥିଲେ।

ଫାଶୀ ପାଇଁ ପ୍ରାର୍ଥନା କରିଥିଲେ ପ୍ରତିପକ୍ଷ ଓକିଲ
ମଣିଷକୁ ମାରି ଖଣ୍ଡ ଖଣ୍ଡ କରିବା ତାହା ପୁଣି ନିଜ ପତ୍ନୀଙ୍କୁ; ଏଭଳି ଏକ ଅପରାଧ ରାଜ୍ୟ ଇତିହାସରେ ବିରଳ ଥିଲା। ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ କଠୋରରୁ କଠୋର ଦଣ୍ଡ ବିଧାନ ଉଦ୍ଦେଶ୍ୟରେ ସରକାରୀ ଓକିଲ ଶରଦ ଚନ୍ଦ୍ର ସାମନ୍ତ ତଥ୍ୟ ପ୍ରମାଣ ଯୋଗାଡ଼ରେ ଲାଗି ପଡ଼ିଥିଲେ। ଘଟଣାର ପ୍ରାୟ ୭ ବର୍ଷ ପରେ ଆଜି ଦଣ୍ଡ ବିଧାନ ହୋଇଛି। ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ରେ ରହିବା ପାଇଁ ଆଦେଶ ହୋଇଛି। କିନ୍ତୁ ଏଭଳି ଏକ ଜଘନ୍ୟ ଅପରାଧ ପାଇଁ ଫାଶୀ ମିଳୁ ବୋଲି ସରକାରଙ୍କ ପକ୍ଷରୁ କୋର୍ଟରେ ପ୍ରାର୍ଥନା କରାଯାଇଥିଲା। ଆବଶ୍ୟକ ପଡ଼ିଲେ, ଆଗକୁ ଏନେଇ ଉପର କୋର୍ଟରେ ମଧ୍ୟ ଅନୁରୂପ ଆବେଦନ କରାଯିବ ବୋଲି କହିଛନ୍ତି ଶ୍ରୀ ସାମନ୍ତ। ଅନ୍ୟପଟେ ଏହି ଦଣ୍ଡବିଧାନ କମ୍‌ କରିବା ପାଇଁ ଉପର କୋର୍ଟକୁ ଯିବାକୁ ଅଭିଯୁକ୍ତଙ୍କ ଓକିଲ ଯୋଜନା କରିଛନ୍ତି।

କାହିଁକି ହତ୍ୟା କଲେ
ପତି-ପତ୍ନୀ ନୂଆପଲ୍ଲୀ‌ ଆଇଆରସି ଭିଲେଜ୍‌ ଘରେ ରହୁଥିଲେ। ଦୁବାଇରେ ରହୁଥିଲା ଝିଅ ଲେଖା। ଘଟଣା ପୂର୍ବରୁ କିଛି ଦିନ ତଳେ ଝିଅକୁ ମୋଟା ଅଙ୍କର ପଇସା ମାଗିଥିଲେ କର୍ଣ୍ଣେଲ। ଏ ନେଇ ଝିଅ ମା’ଙ୍କ ସହ ମନ୍ତ୍ରଣା କରିଥିଲା। ବାସ୍ତବରେ ପଇସା ଦରକାର କି ନାହିଁ ଝିଅ ମା’ଙ୍କଠାରୁ ବୁଝିଥିଲା। ପଇସା ଦରକାର ନାହିଁ ବୋଲି ମା’ କହିଥିଲେ। ଏଣୁ ଲେଖା ପଇସା ଦେଇନଥିଲା। ଏ ନେଇ କର୍ଣ୍ଣେଲ ଝିଅ ଉପରେ ରାଗିବା ସହ ମା’ ତଥା ତାଙ୍କ ପତ୍ନୀ ଉଷାଶ୍ରୀଙ୍କ ଉପରେ ମଧ୍ୟ ରାଗି ଯାଇଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ରହିଥିଲା। ଘଟଣାର କିଛି ଦିନ ପରେ ଝିଅ ଘରକୁ ଆସିଥିଲା। ହେଲେ କର୍ଣ୍ଣେଲ ତାଙ୍କୁ ଘରୁ ବାହାର କରି ଦେଇଥିଲେ। ଏହାକୁ ନେଇ ତିନିଜଣଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା। ପୁଣି ଝିଅ ଘରେ ଆସି ରହିଥିଲେ। ଝିଅ ଫେରିଯିବା ପରେ କର୍ଣ୍ଣେଲ ଉଷାଶ୍ରୀଙ୍କ ଉପରେ ରାଗ ଶୁଝାଇବା ପାଇଁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ୩ ତାରିଖ ଦିନ ଏକ ପିତ୍ତଳ ଟର୍ଚ୍ଚରେ ପତ୍ନୀଙ୍କୁ ପିଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଶରୀରକୁ କାଟି ଛୋଟ ଛୋଟ ଖଣ୍ଡରେ ପରିଣତ କରିବା ସହ ପତ୍ନୀ ଆତ୍ମହତ୍ୟା କରିଥିବା କହିଥିଲେ।

ସମ୍ବନ୍ଧିତ ଖବର