ସ୍ତ୍ରୀକୁ ହତ୍ୟା କରି ୩୦୦ଖଣ୍ଡ କରିବା ମାମଲା : କାହିଁକି ଅଗ୍ରାହ୍ୟ ହେଲା ଫାଶୀ ଯୁକ୍ତି

ଭୁବନେଶ୍ବର : କେବଳ ରାଜଧାନୀ ନୁହେଁ, ଓଡ଼ିଶା ସହ ପୂରା ଦେଶରେ ଚହଳ ସୃଷ୍ଟି କରିଥିଲା ଅବସରପ୍ରାପ୍ତ କର୍ଣ୍ଣେଲ ସୋମନାଥ ପରିଡ଼ା ନିଜ ସ୍ତ୍ରୀ ଉଷଶ୍ରୀ ପରିଡ଼ାଙ୍କୁ ହତ୍ୟା କରିବା ପରେ ୩୦୦ ଖଣ୍ଡ କରିବା ଘଟଣା। ଖାଲି ସେତିକି ନୁହେଁ, ଉଷାଶ୍ରୀଙ୍କ ଶରୀରର ଖଣ୍ଡଗୁଡ଼ିକୁ ୨୨ଟି ଟିଫିନ୍ ବାକ୍ସରେ ପୂରାଇ ପ୍ରାୟ ୧୭ଦିନ ପର୍ଯ୍ୟନ୍ତ ନିଜେ ରହୁଥିବା ଘର ଭିତରେ ରଖିବା। ପ୍ରାୟ ସାଢ଼େ ୬ବର୍ଷ ଧରି ମାମଲାର ଶୁଣାଣି ଚାଲିଲା। ବୀଭତ୍ସ, ଜଘନ୍ୟର ସବୁ ସୀମା ଟପି ଯାଇଥିଲା ବୋଲି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଥିଲା। ଏଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ଫାଶୀ ମିଳୁ ବୋଲି ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଦାବି ଉଠିଥିଲା। ଏହି ମାମଲାର ପରିସମାପ୍ତି କ’ଣ ହେବ, ତା’ ଉପରେ ଥିଲା ସମସ୍ତଙ୍କ ନଜର। ପୁଲିସର ବଳିଷ୍ଠ ପ୍ରମାଣ, ପାରିପାର୍ଶ୍ବିକ ପ୍ରମାଣ, ସାକ୍ଷ୍ୟଙ୍କ ବୟାନ, ସରକାରୀ ଓକିଲଙ୍କ ଦୃଢ଼ ଯୁକ୍ତି ଉପସ୍ଥାପନକୁ ଭିତ୍ତି କରି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସ୍ବାମୀ ଅବସରପ୍ରାପ୍ତ ସେନା କର୍ଣ୍ଣେଲ ଡାକ୍ତର ସୋମନାଥ ପରିଡ଼ାଙ୍କୁ ଆଜୀବନ କାରାଦାଣ୍ଡ ଶୁଣାଇଥିଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍। ଏହି ମାମଲା ଦେଶର ଏକ ବିରଳରୁ ବିରଳତମ ମାମଲା ବୋଲି ସରକାରୀ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ। ତେଣୁ ଅଭିଯୁକ୍ତ ସୋମନାଥଙ୍କୁ ରାଜଦଣ୍ଡ ବା ଫାଶୀ ଦଣ୍ଡ ଦେବା ପାଇଁ ସରକାରୀ ଓକିଲ ଦୃଢ଼ ଯୁକ୍ତି ବାଢ଼ିଥିଲେ। କିନ୍ତୁ କେତୋଟି କାରଣ ଦର୍ଶାଇ ଜିଲ୍ଲା ଦୌରାଜଜ୍‌ ଫାଶୀ ଦଣ୍ଡ ଯୁକ୍ତି ଆବେଦନକୁ ଅଗ୍ରାହ୍ୟ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଦଣ୍ଡାଦେଶ ରାୟର ନକଲ ‘ସମ୍ବାଦ’ ହାତରେ ଲାଗିଛି। କାହିଁକି ଓ କେମିତି ଫାଶୀ ଯୁକ୍ତି ଅଗ୍ରାହ୍ୟ ହେଲା, ତାକୁ ନେଇ ସ୍ବତନ୍ତ୍ର ରିପୋର୍ଟ…‌

ଦଣ୍ଡାଦେଶ ପୂର୍ବରୁ କ’ଣ କହିଥିଲେ ସୋମନାଥ?
ଏହି ମାମଲାରେ ଅବସରପ୍ରାପ୍ତ ସେନା କର୍ଣ୍ଣେଲ ସୋମନାଥ ପରିଡ଼ା ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କର ମତ ରଖିବା ପାଇଁ କହିଥିଲେ ଜଜ୍। ସୋମନାଥ କହିଥିଲେ, ତାଙ୍କୁ ଏବେ ୭୭ ବର୍ଷ ହୋଇ ସାରିଲାଣି। ପ୍ରାୟ ୭ ବର୍ଷ ଜେଲରେ କଟାଇ ସାରିଲେଣି। ସମାଜ ପାଇଁ ଅନେକ ସେବା କରିସାରିଛି। ଏବେ ବି ଜେଲ୍ ଭିତରେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଦକ୍ଷତା ରହିଛି। ତେଣୁ ଦଣ୍ଡ କୋହଳ କରାଯାଉ।

କ’ଣ ଥିଲା ବିଚାରପତିଙ୍କ ରାୟ?
ସରକାରୀ ଓକିଲଙ୍କ ଯୁକ୍ତି ଶୁଣି ସାରିବା ପରେ ବିଚାରପତି ତାଙ୍କ ରାୟ ଶୁଣାଇଥିଲେ। ରାୟରେ ବଚ୍ଚନ ସିଂ ଭର୍ସେସ୍ ଷ୍ଟେଟ୍ ଅଫ୍ ପଞ୍ଜାବର ଉଦାହରଣ ଦେଇଥିଲେ। ଅଭିଯୁକ୍ତ ସ୍ତ୍ରୀ ଉଷାଶ୍ରୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ବୀଭତ୍ସ ଭାବେ କାଟିଥିଲେ। କିନ୍ତୁ ହତ୍ୟା ଘଟଣା ବୀଭତ୍ସ ନ ଥିଲା। ଏକ ପିତ୍ତଳ ଟର୍ଚରେ ମୁଣ୍ଡକୁ ବାଡ଼େଇ ସେ ଉଷାଶ୍ରୀଙ୍କୁ ହତ୍ୟା କରିଥିଲେ। ଅଭିଯୁକ୍ତଙ୍କ ବୟସ ଓ ସମାଜସେବା ପ୍ରସଙ୍ଗ ବି ଉଠିଥିଲା। ଏହା ବିରଳରୁ ବିରଳତମ ଘଟଣା ନୁହେଁ ବୋଲି ଜଜ୍ ବିବେଚନା କରିବା ସହ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ।

ଫାଶୀ ପାଇଁ କ’ଣ ଯୁକ୍ତି ବାଢ଼ିଥିଲେ ସରକାରୀ ଓକିଲ?
ସରକାରୀ ଓକିଲ ରଶ୍ମିରଞ୍ଜନ ବ୍ରହ୍ମା ଯୁକ୍ତି ଉପସ୍ଥାପନ କରିଥିଲେ ଏହା ଏକ ବିରଳରୁ ଅତି ବିରଳ ବା ବିରଳତମ ଘଟଣା। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସୋମନାଥ ବୀଭତ୍ସ ଭାବେ ଗୋଟିଏ ପରେ ଗୋଟିଏ ଅଙ୍ଗ କାଟିଥିଲେ। ଏହି ଅଙ୍ଗକୁ ଟିଫିନ୍ ବାକ୍ସରେ ପୂରାଇ ରଖିଥିଲେ। ହତ୍ୟାକାଣ୍ଡ ଘଟାଇ ପ୍ରମାଣ ନଷ୍ଟ ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ। ଆଇପିସି ଦଫା-୩୦୨ରେ ସୋମନାଥଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ।

ରାୟ ତର୍ଜମା ପରେ ନିଷ୍ପତ୍ତି ନେବୁ
ଆସନ୍ତା ସପ୍ତାହରେ ରାୟର ନକଲ ତର୍ଜମା କରିବୁ। ଯଦି ଏହି ମାମଲାରେ ଫାଶୀ ହୋଇପାରିବ ବୋଲି ଆମକୁ ହୃଦବୋଧ ହୁଏ, ତା’ ହେଲେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି ସରକାରୀ ଓକିଲ ଶରତ ଚନ୍ଦ୍ର ସାମନ୍ତ କହିଛନ୍ତି।

ଉପର କୋର୍ଟକୁ ଯିବୁ
ସୋମନାଥଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିବା ଲାଗି ଆମେ ଉପର କୋର୍ଟକୁ ଯିବୁ। ଆଇପିସି ଦଫା-୩୦୨ (ହତ୍ୟାକାଣ୍ଡ)ରୁ ଦୋଷମୁକ୍ତ କରିବା ପାଇଁ ତଳ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରିବୁ। ଆଇପିସି ଦଫା-୩୦୪ (୧) (ହତ୍ୟା ପାଇଁ ଉଦ୍ଦେଶ୍ୟ ନ ଥିଲା)ରେ ଶୁଣାଣି ପାଇଁ ଉପର କୋର୍ଟରେ ଆବେଦନ କରିବୁ ବୋଲି କହିଛନ୍ତି ପ୍ରତିପକ୍ଷ ଓକିଲ ସୌର ଚନ୍ଦ୍ର ମହାପାତ୍ର।

ହତ୍ୟା ବୀଭତ୍ସ ନ ଥିଲା
ଏହି ହତ୍ୟା ଜଘନ୍ୟ ନ ଥିଲା ବୋଲି କୋର୍ଟ ହୃଦବୋଧ କରିଥିଲେ। ହତ୍ୟା ପରେ ବୀଭତ୍ସ ଭାବେ ମୃତଦେହକୁ ଖଣ୍ଡଖଣ୍ଡ କରି କଟା ଯାଇଥିଲା। ତେଣୁ କୋର୍ଟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ।

ସମ୍ବନ୍ଧିତ ଖବର