ବସ୍ତିରୁ କଲୋନି ସବୁଠି ଜଳବନ୍ଦୀ

ସାମାଜିକ ଗଣମାଧ୍ୟମରେ ଅସନ୍ତୋଷ ବ୍ୟକ୍ତ କଲେ ଲୋକେ

ଭୁବନେଶ୍ବର : ବସ୍ତିରୁ କଲୋନି ସବୁଠି ଆଜି ଲୋକେ ଜଳବନ୍ଦୀର ଶିକାର ହୋଇଛନ୍ତି। କେଉଁଠି ରାସ୍ତାରେ ପାଣିର ସୁଅ ଛୁଟିଛି ତ’ ଆଉ କେଉଁଠି ଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚରେ ଡ୍ରେନ୍ ପାଣି ପଶିଛି। ଘଣ୍ଟାଘଣ୍ଟା କାଳ ଜଳବନ୍ଦୀ ହୋଇ ଘରେ ରହିବା ଯୋଗୁଁ ଲୋକେ ସାମାଜିକ ଗଣମାଧ୍ୟମରେ ଆଜି ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିଜ ଅ଼ଞ୍ଚଳର ଜଳମଗ୍ନ ଦୃଶ୍ୟକୁ ଟ୍ବିଟର୍ ଓ ଫେସବୁକ୍‌ରେ ପୋଷ୍ଟ କରି ବିଏମ୍‌ସି ଓ ସରକାରଙ୍କୁ ତାଚ୍ଛଲ୍ୟ କରିଛନ୍ତି। କେବଳ ବାସପୋଯୋଗୀ ନୁହେଁ ବରଂ ପହଁରିବା ପାଇଁ ଆମ ରାଜଧାନୀ ଭାରତରେ ଶ୍ରେଷ୍ଠ ବୋଲି ସମାଲୋଚନା କରାଯାଇଛି। ଅପରପକ୍ଷରେ ୨୦ କୋଟି ଟଙ୍କାରେ ନୂଆପଲ୍ଲୀ, ଇସ୍କନ୍ ଓ ଏହାର ଆଖପାଖ ଅଞ୍ଚଳକୁ ଜଳବନ୍ଦୀରୁ ରକ୍ଷା କରିବା ପାଇଁ ବିଏମ୍‌ସି ଯେଉଁ କାମ କରିଥିଲା, ତା’ ଉପଯୋଗୀ ହୋଇନାହିଁ। ଇସ୍କନ୍ ସମ୍ମୁଖରେ ଘଣ୍ଟାଘଣ୍ଟା କାଳ ଅଣ୍ଟେ ଉଚ୍ଚର ପାଣି ଜମିରହିବାରୁ ଲୋକେ ବାଧ୍ୟ ହୋଇ ଗାଡ଼ି ଗଡ଼ାଇ ଗଡ଼ାଇ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ନୂଆପଲ୍ଲୀ ଅଟାକଳ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କର ଘରେ ଡ୍ରେନ୍ ପାଣି ପଶିଥିଲା। ବେହେରା ସାହିରେ ମଧ୍ୟ ଡ୍ରେନ୍ କାମ ସଂପୂର୍ଣ୍ଣ ଶେଷ ହୋଇଥିଲେ ସୁଦ୍ଧା ଦମୟନ୍ତୀ ଆପାର୍ଟମେଣ୍ଟ ପଛ ପାର୍ଶ୍ବରେ ଆହୁରି ୨ଶହ ମିଟର ଡ୍ରେନ୍ ତିଆରି କରିବା ପାଇଁ ଏକ ବେସରକାରୀ ଜାଗାରେ କାମ କରିବାକୁ ଥିବାରୁ ଏହା ବନ୍ଦ ହୋଇପଡ଼ିଛି। ଯେଉଁଥିପାଇଁ ଆଜି ବର୍ଷା ସମୟରେ ନୂଆପଲ୍ଲୀର କିଛି ଜାଗା ଜଳବନ୍ଦୀ ହୋଇଥିଲା। ଶେଷରେ ସ୍ଲାବ୍ ଖୋଲି ଜଳ ନିଷ୍କାସନ କରାଯାଇଥିଲା।

​ଡ୍ରେନ୍ ମାଟି ଡ୍ରେନ୍‌କୁ ଗଲା
ମୌସୁମୀ ଆ‌ସୁଛି ବୋଲି ବିଏମ୍‌ସି ବର୍ଷା ପୂର୍ବରୁ ଡ୍ରେନ୍‌ରୁ ମାଟି, ପଙ୍କ ଓ ଆବର୍ଜନା ଆଦି ସଫା କରିଥିଲା। ହେଲେ ରାସ୍ତା କଡ଼ରେ ଗଦେଇଥିଲା। ଠିକ୍ ସମୟରେ ଏସବୁ ମାଟି ଓ ପଙ୍କକୁ ନ ଉଠାଇବାରୁ ଆଜିର ବର୍ଷାରେ ପୁଣି ଡ୍ରେନ୍ ମାଟି ଡ୍ରେନ୍‌କୁ ଯାଇଥିବା ଦେଖିବାକୁ ମିଳିଛି। ବରମୁଣ୍ଡା ୫୦ନମ୍ବର ଵାର୍ଡର ଶିବ ମନ୍ଦିରରୁ ଜଗନ୍ନାଥ ମନ୍ଦିର ଗଳିରେ ଥିବା ଡ୍ରେନ୍‌କୁ ବିଏମ୍‌ସି ଗତ କିଛିଦିନ ତଳେ ସଫା କରିଥିଲା। ମାତ୍ର ମାଟି ନ ଉଠାଇବାରୁ ଲଗାତାର୍ ବର୍ଷାରେ ସମଗ୍ର ରାସ୍ତା ଜଳାର୍ଣ୍ଣବ ହୋଇ ଯାଇଥିଲା। ସବୁ ଅଳିଆ ଆବର୍ଜନା ପୁଣି ଡ୍ରେନ୍ ମୁହଁକୁ ଯାଇଥିଲା। ମୌସୁମୀ ଆରମ୍ଭରୁ ଏଭଳି ଅବ୍ୟବସ୍ଥା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି।

୩ ବର୍ଷ ହେଲା ଜଳବନ୍ଦୀ ହେଉଛନ୍ତି ଅର୍ଚ୍ଚନା ଏନକ୍ଲେଭ୍ ବାସିନ୍ଦା
ଦୀର୍ଘ ୩ ବର୍ଷ ହେବ ପଞ୍ଚସଖାନଗରସ୍ଥିତ ଅର୍ଚ୍ଚନା ଏନକ୍ଲେଭ୍‌ର ପ୍ରାୟ ୫୦ରୁ ଅଧିକ ପରିବାର ବର୍ଷା ହେଲେ ଜଳବନ୍ଦୀ ହେଉଛନ୍ତି। ବିଏମ୍‌ସିର ଜଳ ନିଷ୍କାସନକାରୀ ଦଳ ଏଠାରେ ପହଞ୍ଚୁ ନଥିବାରୁ ଲୋକେ ନିଜ ଉଦ୍ୟମରେ ଲୋକଙ୍କ ପାଚେରି ଭାଙ୍ଗି ଜଳ ନିଷ୍କାସନ କରୁଛନ୍ତି। ବର୍ଷାଦିନ ଗଲା ପରେ ପୁଣି ହାତରୁ ଟଙ୍କା ଖର୍ଚ୍ଚ କରି ଉକ୍ତ ପାଚେରି ନିର୍ମାଣ କରାଯାଉଛି। ଅାଜି ବି ଲୋକେ ସମାନ ଅବସ୍ଥା ଭୋଗିଥିଲେ। ସେହିଭଳି ଡୁମୁଡୁମା ୬୪ ଓ ୬୫ନମ୍ବର ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ବର୍ଷା ପାଣି ଆଜି ନଦୀ ସୁଅ ଭଳି ଭାସିଥିଲା। ଲୋକେ ନିଜ ଉଦ୍ୟମରେ ପାଣି ନିଷ୍କାସନ କରିଥିଲେ। ଏହା ବ୍ୟତୀତ ଅହଲ୍ୟାନଗର, ସୌଭାଗ୍ୟନଗର, ବରମୁଣ୍ଡା ନୀଳକଣ୍ଠେଶ୍ବର ମନ୍ଦିର ପଛପାର୍ଶ୍ବ, ନୂଆପଲ୍ଲୀ ବେହେରାସାହି ଆଦି ଅଞ୍ଚଳ ଜଳମଗ୍ନ ହୋଇଯିବାରୁ ଅଗ୍ନିଶମ କର୍ମଚାରୀ ଆସି ଜଳ ନିଷ୍କାସନ କରିଥିଲେ।

ବର୍ଷାରେ ଧୋଇଗଲା ପଣ୍ଡାକୁଦିଆ ରାସ୍ତା
ଦୀର୍ଘ ୩ ବର୍ଷ ହେବ ପଣ୍ଡାକୁଦିଆ ବସ୍ତିକୁ ଉଚ୍ଛେଦ ହୋଇ ଆସିଥିବା ଜଗନ୍ନାଥ ବସ୍ତି ବ୍ୟତୀତ ଏବେ ୫ରୁ ଅଧିକ ବସ୍ତିର ଲୋକେ ବସବାସ କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତା ଓ ମୁଖ୍ୟ ଡ୍ରେନ୍‌କୁ ଛୋଟ ଛୋଟ ଡ୍ରେନ୍ ସଂଯୋଗ କରାଯାଇନାହିଁ। ଯେଉଁଥିପାଇଁ ବର୍ଷା ଯୋଗୁଁ ଛୋଟ ଛୋଟ ଡ୍ରେନ୍‌ରୁ ଆସିଥିବା ପାଣି ସବୁ ରାସ୍ତାକୁ ଛଡ଼ାଯାଇଛି। କେବଳ ମାଟି ପକାଇ ଛାଡ଼ିଦେଇଥିବା ଏହି ରାସ୍ତା ବର୍ତ୍ତମାନ ଧୋଇଯିବା ଯୋଗୁଁ ଚାରିଆଡ଼େ ଖାଲଖମା ହୋଇଯାଇଛି। ଜଗନ୍ନାଥ ସାହି, ଭୋଇ ସାହି ଆଦି ଅଞ୍ଚଳରେ ମଧ୍ୟ ବର୍ଷା ପାଣି ପଶିବା ସହିତ ଲୋକଙ୍କ ଘରେ ପାଣି ଜମା ହୋଇଛି। ବାରମ୍ବାର ଅଭିଯୋଗ ପରେ ବି ଡ୍ରେନ୍ ଓ ରାସ୍ତା ସମସ୍ୟା ସୁଧୁରୁ ନଥିବାରୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବଢ଼ୁଛି।

ସମ୍ବନ୍ଧିତ ଖବର