ଭୁବନେଶ୍ବର : ଗତ ଦୁଇ ବର୍ଷ ହେଲା ମହାମାରୀ କରୋନା କାରଣରୁ ରାଜଧାନୀରେ ଫିକା ପଡ଼ିଯାଇଥିଲା ରଙ୍ଗର ପର୍ବ ହୋଲି। କିନ୍ତୁ ଚଳିତ ବର୍ଷ କଟକଣା ବଳବତ୍ତର ରହିଥିଲେ ବି ରାଜଧାନୀବାସୀ ଅବିର ଖେଳରୁ ମଜା ଉଠାଇବାର ମଉକା ପାଇଛନ୍ତି। ସର୍ବସାଧାରଣ ସ୍ଥାନରେ ରଙ୍ଗ ଖେଳ ଉପରେ ନିଷେଧାଦେଶ ଜାରି ହୋଇଥିଲେ ବି ଘରେ ଘରେ ରଙ୍ଗ ଖେଳକୁ ଅନୁମତି ମିଳିଛି। ତେଣୁ ରାଜରାସ୍ତାରେ କଟକଣା ରହିଲେ ମଧ୍ୟ କଲୋନିଗୁଡ଼ିକରେ ଲୋକେ ଅବିର ବୋଳି ହେବାର ସୁଯୋଗ ହାତଛଡ଼ା କରିବେ ନାହିଁ। ତେଣୁ ଗତ ଦୁଇ ଦିନ ହେଲା ରଙ୍ଗବଜାରରେ ଭିଡ଼ ଜମିବାରେ ଲାଗିଛି। ରାଜଧାନୀର ବିଭିନ୍ନ ରଙ୍ଗବଜାରରେ ଲାଗିଛି ଗହଳଚହଳ।

Advertisment

publive-image

ଚଳିତ ବର୍ଷ ପୁଲିସ ପ୍ରଶାସନ ଓ ବିଏମ୍‌ସି ତରଫରୁ ରଙ୍ଗ ବିକ୍ରି କରିବାକୁ ଅନୁମତି ଦିଆଯାଇନି। ତଥାପି ରାଜଧାନୀରେ ବିଭିନ୍ନ ଛକରେ, ବଜାରରେ ଖୋଲିଛି ରଙ୍ଗହାଟ। ବିଭିନ୍ନ ସ୍ବୀକୃତିପ୍ରାକ୍ତ ଦୋକାନୀ ନିଜର ନିତିଦିନିଆ ବ୍ୟବସାୟକୁ ବନ୍ଦ କରି ଅବିର ବା ରଙ୍ଗ ଦୋକାନ ଖୋଲିଛନ୍ତି। ବରମୁଣ୍ଡା, ମାଉସୀମା ଛକ, ନୂଆପଲ୍ଲୀ, ରାଜମହଲ, ଏକ ନମ୍ବର ହାଟ ଆଦି ସ୍ଥାନରେ ରଙ୍ଗ ଓ ଅନ୍ୟାନ୍ୟ ହୋଲି ଖେଳ ସାମଗ୍ରୀ ଦୋକାନ ଖୋଲିଛି। ସେସବୁ ରଙ୍ଗ ବଜାରରେ ଗତ ଦୁଇ ଦିନ ହେଲା ଭିଡ଼ ଜମୁଛି। ଭଳିକି ଭଳି ରଙ୍ଗର ମାସ୍କ, ପିଚିକାରୀ ଓ ଅବିର କିଣିବାକୁ ଲୋକଙ୍କ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳିଛି। କରୋନା କଟକଣା ଗତ ଦୁଇ ବର୍ଷ ହେଲା ରଙ୍ଗ ଦୋକାନୀଙ୍କୁ ନିରାଶ କରିଥିଲା। କିନ୍ତୁ ଚଳିତ ବର୍ଷ ଦୋକାନୀମାନେ ବେଶ୍‌ ଖୁସି ଅଛନ୍ତି। ଏଥର ସ୍ଥିତିରେ କିଛିଟା କୋହଳ ଥିବାରୁ ଭଲ ବେପାର ହେଉଛି।