ଭୁବନେଶ୍ବର: ଦିନ ଥିଲା, ଘର କେବଳ ଏକ ଆଶ୍ରୟସ୍ଥଳ ଥିଲା। କେବଳ କେତୋଟି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଛାଡ଼ିଦେଲେ ଘରେ ଆଉ କିଛି ଦିଶୁ ନଥିଲା। ମାତ୍ର ଆଧୁନିକତାର ପ୍ରଭାବ ଓ ବାସ୍ତୁଶାସ୍ତ୍ର ଅନୁସାରେ ଘରର ଚିତ୍ର ଏବେ ବଦଳି ଗଲାଣି। ଘରକୁ ସୁନ୍ଦର ସାଜସଜ୍ଜା କରିବା ଉପରେ ଲୋକେ ବେଶି ଗୁରୁତ୍ବ ଦେଉଛନ୍ତି। ବାହାରଠାରୁ ଭିତର ପର୍ଯ୍ୟନ୍ତ ଘରକୁ ଏକ ନିଆରା ଅନୁଭବ ଦେବା ପାଇଁ ଚେଷ୍ଟା କରୁଛନ୍ତି। ଆଉ ଲୋକଙ୍କ ଏ ଚାହିଦା ପୂରଣ କରିବା ପାଇଁ ପ୍ରତିବର୍ଷ ନୂଆ ନୂଆ ଜିନିଷର ବଜାର ପ୍ରବେଶ ହେଉଛି। ପ୍ଲାଷ୍ଟିକ୍ କିମ୍ବା ରାସାୟନିକ ରଙ୍ଗ ବ୍ୟବହାର ହୋଇଥିବା ସାମଗ୍ରୀ ଲୋକ ପସନ୍ଦ କରୁ ନଥିବାରୁ ଏବେ ହସ୍ତତନ୍ତ ସାମଗ୍ରୀ ଓ ବିଭିନ୍ନ ପ୍ରକାର ପ୍ଲାଣ୍ଟ ବେଶ୍ ଆଦୃତ ହୋଇଛି। ଲୋକଙ୍କ ପସନ୍ଦ ସହ ପରିବର୍ତ୍ତନ ହେଉଥିବା ଗୃହ ସାଜସଜ୍ଜା ଉପକରଣ ନେଇ ଏଥରର ସ୍ବତନ୍ତ୍ର ଉପସ୍ଥାପନା...
ସୌଭାଗ୍ୟ ବୃଦ୍ଧି ପାଇଁ ‘ବୋନ୍ସାଇ ପ୍ଲାଣ୍ଟ’
/sambad/media/post_attachments/wp-content/uploads/2022/09/୩୮.jpg)
ଘରକୁ ସୁନ୍ଦର କରିବା ସହ ନିର୍ମଳ ବାତାବରଣ ସୃଷ୍ଟି କରିବା ପାଇଁ ସହରିଆଙ୍କ ମଧ୍ୟରେ ‘ବୋନ୍ସାଇ ପ୍ଲାଣ୍ଟ’ର ଚାହିହା ବଢ଼ିଛି। ବହୁ ଲୋକ ନିଜ ଘର, କାର୍ଯ୍ୟାଳୟ ଓ ବିଭିନ୍ନ ପୂଜା ମଣ୍ଡପ ଆଦିର ସାଜସଜା ପାଇଁ ଏହାର ବ୍ୟବହାର କରୁଛନ୍ତି। ବୋନ୍ସାଇ ଏକ ଜାପାନୀ ଶବ୍ଦ, ଯାହାର ଅର୍ଥ ଏକ କ୍ଷୁଦ୍ରବୃକ୍ଷ। ବାସ୍ତୁବିତ୍ଙ୍କ କହିବା ଅନୁସାରେ, ଏହି ବୃକ୍ଷ ଘରକୁ ସକାରାତ୍ମକ ଉର୍ଜାରେ ଭରିଦିଏ। ନିଜେ ଏହି ବୃକ୍ଷ କିଣିବା ଅପେକ୍ଷା ଆଉ କାହା ଦ୍ବାରା ଉପହାରରେ ମିଳିଲେ, ସୌଭାଗ୍ୟ ବୃଦ୍ଧି ହୁଏ ବୋଲି ବିଶ୍ବାସ ରହିଛି। ଏହାର ମୂଲ୍ୟ ୬୦୦ଟଙ୍କାରୁ ଆରମ୍ଭ ହେଉଛି। ପ୍ରିୟଦର୍ଶିନୀ ମାର୍କେଟ୍ସ୍ଥିତ ନର୍ସରିର ବ୍ୟବସାୟୀ ରାମନାଥ ମିଶ୍ର କହିଛନ୍ତି, ଚଳିତବର୍ଷ ଏହାର ଭଲ ବ୍ୟବସାୟ ହୋଇଛି। ଘର ଭିତରେ ଓ ସମ୍ମୁଖରେ ସଜାଇବାକୁ ଲୋକମାନେ ଏହାକୁ ଅଧିକ ନେଉଥିବା ଜଣାପଡ଼ିଛି। ଜନ୍ମ ଦିନ କିମ୍ବା ବିବାହ ବାର୍ଷିକୀରେ ଏହାକୁ ଉପହାର ଭାବେ ଦେବା ଏବେ ସହରିଆଙ୍କ ଟ୍ରେଣ୍ଡ ପାଲଟିଛି।
କୁ-ଦୃଷ୍ଟି ଉପରେ ନଜର ରଖୁଛି ‘ଏଭିଲ୍ ଆଇ ଟ୍ରି’ ଷ୍ଟାଚ୍ୟୁ
/sambad/media/post_attachments/wp-content/uploads/2022/09/39-7.jpg)
ବିଜ୍ଞାନ ସମାଜକୁ ଯେତେ ପ୍ରଭାବିତ କଲେ ମଧ୍ୟ ଶାସ୍ତ୍ର ପ୍ରତି ମଣିଷର ସବୁବେଳେ ସ୍ବତନ୍ତ୍ର ସମ୍ମାନ ରହିଛି। ବିଶେଷକରି ବାସ୍ତୁଶାସ୍ତ୍ର ଆଜିକା ସହରୀ ସଭ୍ୟତାରେ ଅଧିକ ଲୋକପ୍ରିୟତା ହାସଲ କରିଛି। ଏଣୁ ଗୃହରେ ଶାନ୍ତି ପ୍ରତିଷ୍ଠା ପାଇଁ ଗୌତମବୁଦ୍ଧଙ୍କ ମୂର୍ତ୍ତି, ବିଭିନ୍ନ ପ୍ରାକୃତିକ ଦୃଶ୍ୟର ଵାଲପେପର୍ ପ୍ରଭୃତି ବ୍ୟବହାର କରୁଛନ୍ତି। ତେବେ କୁ-ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ‘ଏଭିଲ୍ ଆଇ ଟ୍ରି’ ଷ୍ଟାଚ୍ୟୁର ସ୍ବତନ୍ତ୍ର ଚାହିଦା ରହିଛି। ଏହାକୁ ଘରର ପ୍ରବେଶ ପଥ ବା ସମ୍ମୁଖ ସ୍ଥାନରେ ରଖିଲେ ଘର ଉପରେ ଥିବା ସମସ୍ତ ପ୍ରକାର ଖରାପ ଦୃଷ୍ଟିରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି। ଏଣୁ ରାଜଧାନୀର ପ୍ରତିଟି ଘର ଓ କାର୍ଯ୍ୟାଳୟ ବା ଦୋକାନରେ ଏହି ‘ଏଭିଲ୍ ଆଇ ଟ୍ରି’ ଷ୍ଟାଚ୍ୟୁ ଥିବା ଦେଖିବାକୁ ମିଳୁଛି। ଆକାର ଅନୁସାରେ ଏହାର ଦାମ୍ ରହିଛି। ୨୬୯ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କା ପର୍ଯ୍ୟନ୍ତ ଅନ୍ଲାଇନ୍ ବା ଅଫ୍ଲାଇନ୍ରେ ଏହା ଉପଲବ୍ଧ। ଏବେ ବଜାରରେ ଏହାର ଚାହିଦା ବଢ଼ିଛି ବୋଲି ଗାନ୍ଧୀ ମାର୍କେଟ୍ର ବ୍ୟବସାୟୀ ରକି ବାରିକ କହିଛନ୍ତି।
ଏବେ ବି ଚାନ୍ଦୁଆର ଚାହିଦା
/sambad/media/post_attachments/wp-content/uploads/2022/09/40-7.jpg)
ଓଡ଼ିଶା ବୁଣାକାରମାନଙ୍କ ମନଲୋଭା ହସ୍ତତନ୍ତ, ବଜାରରେ ଏବେ ମଧ୍ୟ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ହସ୍ତତନ୍ତରେ ପ୍ରକୃତିର ବ୍ୟାଖା, ଆଦିବାସୀ କଳା, ବିଭିନ୍ନ ବୃକ୍ଷ, ପକ୍ଷୀ, ଭଗବାନଙ୍କ ଚିତ୍ର ଆଦିର ଡିଜାଇନ୍ଯୁକ୍ତ ଚାନ୍ଦୁଆ, ଵାଲ୍ପେପର୍, ଫଟୋଫ୍ରେମ୍ ଆଦିକୁ ଲୋକମାନେ ବେଶି ପସନ୍ଦ କରୁଛନ୍ତି। ବିଭିନ୍ନ ମେଳାରେ ଏଭଳି ସାମଗ୍ରୀ କମ୍ ଦାମ୍ରେ ମିଳୁଥିବା ବେଳେ ଭୁବନେଶ୍ବରରେ କେତେକ ସ୍ଥାୟୀ ଦୋକାନ ମଧ୍ୟ ରହିଛି। ଏ ସବୁର ଦାମ୍ ୩୦୦ଟଙ୍କାରୁ ଆରମ୍ଭ କରି ଡିଜାଇନ୍ ଓ ଆକାର ଅନୁଯାୟୀ ୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଏକାମ୍ର ହାଟରେ ଦୋକାନ ଦେଇଥିବା ପିପିଲି ଚାନ୍ଦୁଆ ବ୍ୟବସାୟୀ ଫୁଲ ପ୍ରଧାନଙ୍କ ମତରେ କରୋନା ପରେ ହସ୍ତତନ୍ତ ସାମଗ୍ରୀ ଭୁବନେଶ୍ବରରେ ଭଲ ବ୍ୟବସାୟ ହେଉଛି। ବିଶେଷକରି ବିଭିନ୍ନ ପ୍ରଦର୍ଶନୀରେ ଏ ସବୁର ଅଧିକ ଚାହିଦା ରହିଥିବା ବେଳେ ଏକାମ୍ର ହାଟରେ ଏହା ଅଧିକ ବିକ୍ରି ହେଉଛି।
ପଶୁପକ୍ଷୀ ମାଳ ଓ ନଡ଼ିଆ କତାରେ ପ୍ରସ୍ତୁତ ସାମଗ୍ରୀ
ଘର ବାରଣ୍ଡା ଓ ଠାକୁର ଘରକୁ ସଜେଇବା ପାଇଁ ଏବେ କାଠ ତିଆରି ଶୁଆ, ବିଭିନ୍ନ ପ୍ରକାରର ପକ୍ଷୀ, ଛୋଟ ଛୋଟ ହାତୀ ମାଳ ସହ ନଡ଼ିଆ କତା ତିଆରି ଘରସଜ୍ଜା ସାମଗ୍ରୀ ଯଥା ହାତୀ, ଥୁଣ୍ଟା ଗଛ, ହରିଣ, ଘର, ଆଦିବାସୀ କଣ୍ଢେଇ ଆଦିକୁ ଲୋକେ ପସନ୍ଦ କରୁଛନ୍ତି। ଖୋଲା ବଜାର ସହ ଅନଲାଇନ୍ରେ ମଧ୍ୟ ଏହାର ଚାହିଦା ବଢ଼ିଛି। ପକ୍ଷୀ ମାଳର ଲମ୍ବା ଅନୁସାରେ ଏହାର ଦାମ ରହିଛି। ୧୦୦ରୁ ଆରମ୍ଭ କରି ୭୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ଏଥିସହ ମାଟି ତିଆରି କଣ୍ଢେଇ, ବାଦ୍ୟଯନ୍ତ୍ର, ଫଳ ଓ ଫଳଝୁଡ଼ି, ଘୋଡ଼ା, ହାତୀ, ମୟୂର, ଛୁଆମାନଙ୍କ ପାଇଁ ମାଟି ତିଆରି ବାଇଗଣ, କଖାରୁ, ଟମାଟୋ ଓ ଭ୍ୟାନିଟି ବ୍ୟାଗ୍ ଆଦି ବିଭିନ୍ନ ପ୍ରକାରର ପରିବା ଓ ଆସବାବପତ୍ରକୁ ନେଇ ପ୍ରସ୍ତୁତ କୁମ୍ପି ଏବେ ଛୋଟ ପିଲାଙ୍କ ଚାହିଦାରେ ରହିଛି। ଏଥିସହ ଏବେ ବୃନ୍ଦାବତୀ ଷ୍ଟାଣ୍ଡ୍ କ୍ରେଜ୍ରେ ରହିଛି। ମାଟି ଓ ମାର୍ବଲ ତିଆରି ବିଭିନ୍ନ ଡିଜାଇନ୍ର ବୃନ୍ଦାବତୀ ଷ୍ଟାଣ୍ଡ ଏବେ ଲୋକମାନେ ଘର ଦୁଆରେ ରଖି ତୁଳସୀ ଗଛ ଲଗାଇବାକୁ ପସନ୍ଦ କରୁଥିବା ବେଳେ ବିଭିନ୍ନ ଆବାସିକ କଲୋନି, ହଷ୍ଟେଲ, ଅଫିସ୍ ଓ ଆପାର୍ଟମେଣ୍ଟରେ ଦେଖିବାକୁ ମିଳୁଛି।