ସୁନ୍ଦର, ସବୁଜ ଘାସ ଗାଲିଚା ଓ ଫୁଲ ତଥା ସୋ’ ଗଛର ଭଣ୍ଡାର, ପ୍ରେମୀଯୁଗଳଙ୍କ ଆଡ଼ା ଭଳି ଚିରାଚରିତ ସଂଜ୍ଞାଠାରୁ ବର୍ତ୍ତମାନର ପାର୍କଗୁଡ଼ିକ କାହିଁ କେତେ ଆଗରେ। ଖାଲି ଆମୋଦ ପ୍ରମୋଦ କି’ ଖୁସି ଗପ ପାଇଁ ନୁହେଁ, ଆଜିକା ସ୍ମାର୍ଟ ଯୁଗରେ ପାର୍କଗୁଡ଼ିକ ନିଜକୁ ଏକ ମିନି ଫିଟ୍ନେସ୍ ସେଣ୍ଟର୍ରେ ପରିଣତ କରି ଦେଇଛନ୍ତି। ଏବେ ଏଠାରେ ବିଭିନ୍ନ ଜିମ୍ନାଷ୍ଟିକ୍ ସଂରଜାମଠାରୁ ଆରମ୍ଭ କରି ଜୁମ୍ବା, ଏରୋବିକ୍, ଯୋଗାଭ୍ୟାସ କରିବା ପାଇଁ ଉଚିତ ପରିବେଶ ମିଳି ପାରୁଛି। ରାଜଧାନୀରେ ଥିବା ପ୍ରାୟ ପ୍ରତି ପାର୍କରେ ସକାଳ ଓ ସଂଧ୍ୟାରେ ଏଇଥିପାଇଁ ଟୋକାଙ୍କଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ସବୁବର୍ଗର ଲୋକଙ୍କ ଭିଡ଼ ଜମୁଛି। ତା’ ସାଙ୍ଗକୁ ପାର୍କ ବାହାରେ ହର୍ବାଲ ଜୁସ୍ ଓ ହର୍ବାଲ ସ୍ନାକ୍ସ ସ୍ବାସ୍ଥ୍ୟ ସଚେତନ ସହରିଆଙ୍କୁ ବେଶି ଆକର୍ଷିତ କରୁଛି। ସହରୀ ସଭ୍ୟତାରେ ପାର୍କ ଏବେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି। ପାର୍କକୁ ନେଇ ଏଥରକର ସ୍ବତନ୍ତ୍ର ଉପସ୍ଥାପନା...
ରିପୋର୍ଟ: ଦେବାଶିଷ ପଣ୍ଡା
ସୁସ୍ଥ କରୁଛି ଆକ୍ୟୁପ୍ରେସର୍ ଟ୍ରାକ୍
ସହରର ପ୍ରାୟ ସବୁ ପାର୍କରେ ସାଧାରଣ ପାଦଚଲା ଟ୍ରାକ୍ ସହ ଆକ୍ୟୁପ୍ରେସର୍ ଟ୍ରାକ୍ ସ୍ବାସ୍ଥ୍ୟ ସଚେତନ ସହରିଆଙ୍କୁ ନିତି ସକାଳେ ଓ ସଂଧ୍ୟାରେ ଏଠାକୁ ଟାଣି ଆଣୁଛି। ଏହି ଟ୍ରାକ୍ଗୁଡ଼ିକର ଲମ୍ବ ପୂର୍ବରୁ ଧାର୍ଯ୍ୟ କରାଯାଇଥିବାରୁ, ଲୋକେ ନିଜର ଫିଟ୍ନେସ୍ ଗୋଲ୍ ଅନୁଯାୟୀ ଏଥିରେ ନିର୍ଦ୍ଦିଷ୍ଟ ସମୟ ଓ ବାଟ ପର୍ଯ୍ୟନ୍ତ ଚଲାବୁଲା କରୁଛନ୍ତି। ଫରେଷ୍ଟ୍ ପାର୍କରେ ପ୍ରାତଃଭ୍ରମଣ କରୁଥିବା ବରିଷ୍ଠ ନାଗରିକ ଶିଶିର ଆଚାର୍ଯ୍ୟ ଏ ସଂପର୍କରେ କହନ୍ତି, ଫିଟ୍ ରହିବା ପାଇଁ ପ୍ରତିଦିନ ଚାଲିବା ଏକ ଭଲ ବ୍ୟାୟାମ। ରାସ୍ତାକଡ଼ରେ ଚାଲିବା ଅପେକ୍ଷା ପାର୍କର ସୁନ୍ଦର, ଶାନ୍ତ ପରିବେଶରେ ଚାଲିବା ସ୍ବାସ୍ଥ୍ୟପକ୍ଷେ ବେଶି ହିତକର ଓ ସୁରକ୍ଷିତ। ଶର୍ମିଳା ପଟ୍ଟନାୟକ କହନ୍ତି, ରାଜଧାନୀ ରାସ୍ତାକଡ଼ରେ ଚାଲିବା ଆଦୌ ସୁରକ୍ଷିତ ନୁହେଁ। କିନ୍ତୁ ପାର୍କରେ ସେ ସମସ୍ୟା ନାହିଁ। ଏଠାକାର ଶାନ୍ତ ପରିବେଶ ଦେହ ଓ ମନରେ ଏକ ସ୍ଫୂର୍ତ୍ତି ଆଣିଥାଏ। ଯୁବକ ସ୍ମୃତି ସ୍ବରାଜଙ୍କ କହିବାନୁସାରେ, ଏଠାରେ ଥିବା ମୋରମ୍ ଟ୍ରାକ୍ରେ ଚାଲିବା ଦ୍ବାରା ଗୋଡ଼ର ମାଂସପେଶୀ ସୁଦୃଢ଼ ହେବା ସହ ଭବିଷ୍ୟତରେ ଆଣ୍ଠୁଗଣ୍ଠି ବାତ ଭଳି ସମସ୍ୟା ଦେଖା ଦିଏନାହିଁ। ଏଣୁ ପ୍ରତିଦିନ ମୁଁ ଏ ଟ୍ରାକ୍ରେ ୧୦ କିଲୋମିଟର ପର୍ଯ୍ୟନ୍ତ ଚାଲେ।
ଯୋଗ ପାଇଁ ଉତ୍କୃଷ୍ଟ ସ୍ଥାନ
ଯୋଗାଭ୍ୟାସ ପାଇଁ ଶାନ୍ତ, କମନୀୟ ପରିବେଶର ଆବଶ୍ୟକ ହୋଇଥାଏ। ଏଥିପାଇଁ ପାର୍କଠାରୁ ଆଉ ଶ୍ରେଷ୍ଠ ଜାଗା କ’ଣ ବା ହୋଇପାରେ। ରାଜଧାନୀରେ ଥିବା ପ୍ରାୟ ୨ଶହରୁ ଊର୍ଧ୍ବ ପାର୍କରେ ପ୍ରତିଦିନ ଶହଶହ ସଂଖ୍ୟାରେ ଲୋକ ଯୋଗାଭ୍ୟାସ କରୁଛନ୍ତି। ପତଞ୍ଜଳି ସମେତ ବିଭିନ୍ନ ସଂସ୍ଥା ପକ୍ଷରୁ ଏଠାରେ ଲୋକଙ୍କୁ ମାଗଣାରେ ଯୋଗର ବିଭିନ୍ନ ମୁଦ୍ରା, ପ୍ରାଣାୟମ ସଂପର୍କରେ ଶିକ୍ଷା ଦିଆଯିବା ସହ ଅଭ୍ୟାସ କରାଯାଉଛି। ଫରେଷ୍ଟ ପାର୍କ ଯୋଗ ଶିବିରର ଯୋଗଗୁରୁ ରେବତୀ ବଲ୍ଲଭ ସାମନ୍ତରାୟଙ୍କ କହିବାନୁସାରେ, ଏଠାରେ ସପ୍ତାହ ସାରା ଭିନ୍ନଭିନ୍ନ ଯୋଗାଭ୍ୟାସ କରାଯାଉଛି। କଟିଚକ୍ର ଆସନ, ଅର୍ଦ୍ଧଚନ୍ଦ୍ରାସନ, କୋଣାସନ, ସୂର୍ଯ୍ୟ ନମସ୍କାର, ବିଶ୍ରାମ, ଭୂଜଙ୍ଗାସନ, ମକରାସନ ଓ ଶବାସନ ଆଦି ସଂପର୍କରେ ଶିକ୍ଷା ଦିଆଯାଉଛି। ପ୍ରତିଦିନ ୨୦ରୁ ୩୦ ଜଣ ଯୋଗ ଶିକ୍ଷା କରୁଛନ୍ତି। ପ୍ରାୟ ଦେଢ଼ ଘଣ୍ଟା ଧରି ପ୍ରତ୍ୟେକ ଦିନ ଏହି ଶିବିର ଅନୁଷ୍ଠିତ ହେଉଛି। ସେହିପରି ମଧୁସୂଦନ ପାର୍କରେ ସକାଳ ୫ଟାରୁ ବୟସ୍କ ଲୋକମାନେ ଯୋଗ କରୁଥିବା ଦେଖିବାକୁ ମିଳୁଛି।
ପ୍ରାତଃଭ୍ରମଣ ଓ ବ୍ୟାୟାମ ଭଳି ସୁଷମ, ସ୍ବାସ୍ଥ୍ୟକର ଖାଦ୍ୟ ଓ ପାନୀୟ ବି ଶରୀର ପାଇଁ ସେତିକି ଆବଶ୍ୟକ। ପାର୍କ ବାହାରେ ବିଭିନ୍ନ ହର୍ବାଲ ଜୁସ୍, ମାଣ୍ଡିଆ ପଣା, ପୁଦିନା, ତୁଳସୀ, ଗିଲୟେ, ବେଲ, ଲେମ୍ବୁ ମିଶ୍ରି, ନଣ୍ଡାବଗୁଲି ଆଦି ପାନୀୟ ଏବଂ ଯଅ ଇଟ୍ଲି, ଶାଗୁ ଉପମା, ଶାଗୁ ଡେସର୍ଟ, ମାଣ୍ଡିଆ ଇଟ୍ଲି, ମୁଗ ଚକୁଳି, ସିଝା ଅଣ୍ଡା ସାଲାଡ୍, ଚିକେନ୍ ସାଲାଡ୍, ପନିର୍ ସାଲାଡ୍ ଓ ଗଜା ମୁଗ, ବୁଟ ସାଲାଡ୍ ଆଦି ପସରା ମେଲାଇ ବସୁଥିବା ବେପାରୀ ଭାଇମାନେ ଲୋକଙ୍କ ଏହି ଆବଶ୍ୟକତାକୁ ପୂରଣ କରିଦେଇଥା’ନ୍ତି। ତେବେ ସହରିଆଙ୍କ ପସନ୍ଦର ସର୍ବାଗ୍ରେ ରହିଛି ମାଣ୍ଡିଆ ପଣା। ଫରେଷ୍ଟ ପାର୍କ ଆଗରେ ବ୍ୟବସାୟ କରୁଥିବା ଉମାଶଙ୍କର ମହାନ୍ତି କହିଛନ୍ତି, ଏସବୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ହୋଇଥିବାରୁ ସ୍ବାସ୍ଥ୍ୟ ସେଚତନ ସହରିଆମାନେ ଏଗୁଡ଼ିକୁ ବେଶି ପସନ୍ଦ କରୁଛନ୍ତି। ସେହିଭଳି ମଧୁସୂଦନ ପାର୍କ ବାହାରେ ମଧ୍ୟ ଗୁଦ୍ମାରି, ୱେଟ୍ ଗ୍ରାସ୍ ଜୁସ୍, ହଳଦୀ ଜୁସ୍, ଆମ୍ଲା ଲେମନ୍ ଜୁସ୍, ଗ୍ଲୁକୋଜ୍, ଭୁଷି ମିଶ୍ରି ଓ ବାଦାମ ମିଲ୍କ ଆଦି ଉପଲବ୍ଧ ହେଉଛି। ଏସବୁ ଦାମ୍ ୧୦ ଟଙ୍କା ଲେଖାଏଁ ରହିଛି।
ଜିମ୍ ଯିବା କିଛି ଲୋକଙ୍କ ପାଇଁ ସମ୍ଭବ ହେଉ ନଥିବାରୁ ପ୍ରାତଃ ଭ୍ରମଣ ସହ ପାର୍କର ଓପନ୍ ଜିମ୍ ଯୁବପିଢ଼ିଙ୍କୁ ବେଶ୍ ସୁହାଉଛି। ଡବଲ୍ ଷ୍ଟାଣ୍ଡିଂ ଟ୍ବିଷ୍ଟର୍, ୱାକର୍, ସିଙ୍ଗଲ ସର୍ଫ ବୋର୍ଡ, ଷ୍ଟ୍ରେଚ୍ର୍ ଭଳି ଜିମ୍ ସରଞ୍ଜାମ ଏବେ ପାର୍କରେ ଉପଲବ୍ଧ ହେଉଛି। ଯୁବପିଢ଼ି ଏହାର ପୂରା ଫାଇଦା ନେଇ ଶରୀର ବିକାଶ କରୁଛନ୍ତି। ଶୈଳେନ୍ଦ୍ର କୁମାର ଦାସ କହିଛନ୍ତି, ଏଠାରେ ଓଜନ ହ୍ରାସ କରିବା ସହ ମାଂସପେଶୀ ସୁଦୃଢ଼ କରିବା ପାଇଁ ଏହି ଓପନ୍ ଜିମ୍ ସହାୟକ ହେଉଛି। ପୋଖରୀପୁଟ ମଧୁସୂଦନ ପାର୍କରେ ସକାଳୁ ସକାଳୁ ସ୍କୁଲ ଓ କଲେଜ ପଢ଼ୁଆ ପିଲାମାନେ ଆସି ସ୍କେଟିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏଠାକୁ ପ୍ରତିଦିନ ୨୦/୨୫ପିଲା ଆସି ନିୟମିତ ଏହି ଅଭ୍ୟାସ କରନ୍ତି।
ନାଚ, ଗୀତ ସହ ଓଜନ ହ୍ରାସ
ବ୍ୟାୟାମ୍ ସହ ମନୋରଞ୍ଜନର ଏକ ବମ୍ପର୍ ପ୍ୟାକେଜ୍ ହେଉଛି ‘ଜୁମ୍ବା ଓ ଏରୋବିକ୍ସ’। ଫିଟ୍ନେସ୍ ଦୁନିଆରେ ଏହା ଏବେ ନୂଆ ଟ୍ରେଣ୍ଡ୍ ପାଲଟିଥିବା ବେଳେ ଯୁବଗୋଷ୍ଠୀ ଏଥିପ୍ରତି ବେଶି ଆକର୍ଷିତ। ରାଜଧାନୀର ପ୍ରାୟ ପାର୍କରେ ସକାଳୁ ସକାଳୁ ଏବେ ସ୍ପିଡ୍ ମ୍ୟୁଜିକ୍ ତାଳେତାଳେ ଯୁବକ/ଯୁବତୀମାନେ ନାଚୁଥିବା ଦେଖିବାକୁ ମିଳୁଛି। ଜୁମ୍ବା ଓ ଏରୋବିକ୍ସ ମାଧ୍ୟମରେ ପିଲାଠୁ ପ୍ରାପ୍ତବୟସ୍କ ପର୍ଯ୍ୟନ୍ତ ନାଚ, ଗୀତ ମାଧ୍ୟମରେ ନିଜ ଫିଟ୍ନେସ୍ ଲକ୍ଷ୍ୟ ପୂରଣ କରୁଛନ୍ତି। ଅନ୍ୟ ବ୍ୟାୟାମ କରିବା ଅପେକ୍ଷା ଏହାକୁ ଲୋକମାନେ ବେଶି ପସନ୍ଦ କରୁଛନ୍ତି। ଏବେ ଫରେଷ୍ଟ୍ ପାର୍କରେ ପ୍ରତ୍ୟେକ ଦିନ ବିଭିନ୍ନ ବୟସର ୬୦ରୁ ଊର୍ଧ୍ବ ଲୋକ ଏଥିରେ ସାମିଲ୍ ହେଉଥିବା ସଂଗଠିକା ଲୀଳାବତୀ ସାହୁ କହିଛନ୍ତି। ଏହା ଶରୀର ଓଜନ ହ୍ରାସ କରିବା କ୍ଷେତ୍ରରେ ବହୁତ ଶୀଘ୍ର ପ୍ରଭାବ ପକାଉଥିବା ମଧ୍ୟ ସେଠାରେ ଥିବା ଲୋକମାନେ ମତ ଦେଇଛନ୍ତି।