ଭୁଲ ଓ ସମାଲୋଚନା ମଣିଷର ଲକ୍ଷ୍ୟକୁ ଅଧିକ ଦୃଢ଼ୀଭୂତ କରେ : ଅଭିଳା‌ଷ ଥାପ୍‌ଲିୟା

ଜୀବନ ରଙ୍ଗ

ଭୁବନେଶ୍ବର: ରେଡିଓ ଜକିରୁ କ୍ୟାରିୟର୍‌ ଆରମ୍ଭ କରି ବଲିଉଡ୍‌ରେ ପହଞ୍ଚି ପାରିଥିବା ହାସ୍ୟାଭିନେତା ଅଭିଳା‌ଷ ଥାପ୍‌ଲିୟା ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ବେଶ୍‌ ଜଣାଶୁଣା। ମଫଲର୍‌ମ୍ୟାନ୍‌ ଭାବେ ସେ ବେଶ୍‌ ପରିଚିତ। ରାଜନୈତିକ ବ୍ୟକ୍ତିମାନଙ୍କୁ ମିମିକ୍ରି କରି ସେ ଯୁବପିଢ଼ିଙ୍କ ଭିତରେ ପରିଚିତ ହୋଇପାରିଛନ୍ତି। ୟୁଟ୍ୟୁବ୍‌ରେ ସେ ମଧ୍ୟ ପ୍ରେରଣାପ୍ରଦାୟକ ଭିଡିଓ କରି ଯୁବବର୍ଗଙ୍କ ପସନ୍ଦ ପାଲଟିଛନ୍ତି। ମୁମ୍ବାଇରେ ରହୁଥିବା ଅଭିଳାଷ ଓଡ଼ିଆ ଝିଅ ଅନୁଭୂତିଙ୍କୁ ବିବାହ କରିଛନ୍ତି। ବଡ଼ କଥା ହେଉଛି, ଓଡ଼ିଶାର ସଂସ୍କୃତିକୁ ଭଲ ପାଉଥିବା ଅଭିଳାଷ ଘରେ ପଖାଳ ଖାଇବାକୁ ଭଲ ପାଆନ୍ତି। ନିକଟରେ ରିଲିଜ୍‌ ହୋଇଥିବା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ରକ୍ଷାବନ୍ଧନ’ରେ ସେ ଅଭିନୟ କରି ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି। ଭୁବନେଶ୍ବର ବୋକା କାଫେରେ ଅଭିଳାଷଙ୍କ ସହ ‘ସମ୍ବାଦ’ ପକ୍ଷରୁ ସ୍ବତନ୍ତ୍ର ସାକ୍ଷାତକାର…

ପ୍ର: ଶ୍ବଶୁର ଘର ଓଡ଼ିଶାରେ। ପତ୍ନୀ ବି ଓଡ଼ିଆ। ଓଡ଼ିଶାର ସଂସ୍କୃତି ବାବଦରେ ମତ କ’ଣ?
ଉ: ଓଡ଼ିଶାର ସଂସ୍କୃତି ବେଶ୍ ବଢ଼ିଆ। ମୋତେ ପଖାଳ ବହୁତ ଭଲ ଲାଗେ। ମୁମ୍ବାଇରେ ମୋ ଘରେ ମୋ ସ୍ତ୍ରୀ ସବୁଦିନ ପଖାଳ କରେ। ସେହିଭଳି ଓଡ଼ିଶାର ରସଗୋଲା ବି ଭଲ ଲାଗେ। ବଡ଼ କଥା ହେଉଛି ଭୁବନେଶ୍ବରରେ ଷ୍ଟ୍ରିଟ୍‌ ଫୁଡ୍ ବହୁତ ଭଲ ଓ ବହୁତ କମ୍‌ ଦାମ୍‌ରେ ମିଳେ।

ପ୍ର: ଭଏସ୍‌ କଳାକାରରୁ ବଲିଉଡ୍ ଅଭିନୟ ପର୍ଯ୍ୟନ୍ତ ଯାତ୍ରା କିଭଳି ଥିଲା?
ଉ- ବହୁତ କୌତୁହଳପ୍ରଦ ଏହି ଯାତ୍ରା। ଏମିତି ହେବ ବୋଲି କେବେ ଭାବି ନଥିଲି। ଆଗକୁ କ’ଣ ହେବ ମଧ୍ୟ ଭାବୁ ନାହିଁ।

ପ୍ର: ଭଏସ୍‌ କଳାକାର ଓ ଚଳଚ୍ଚିତ୍ର ଅଭିନୟ ମଧ୍ୟରୁ ଅଧିକ ଚ୍ୟାଲେଞ୍ଜ କେଉଁଠି?
ଉ- ରେଡିଓରୁ କାର୍ଟୁନ୍ ସୋ’ ପର୍ଯ୍ୟନ୍ତ ଭଏସ୍‌ ଦେଇଛି। ତେବେ ଅଭିନୟ ଅଧିକ ଚ୍ୟାଲେଞ୍ଜିଂ। ରେଡିଓରେ ଲୋକଙ୍କ ଆଗରେ ଆମେ ନଥାଉ। କିନ୍ତୁ ଅଭିନୟରେ କିଛି ବି ଭୁଲ୍‌ କଲେ ସ୍କ୍ରିନ୍‌ରେ ଧରା ପଡ଼ିଯାଏ। ତେଣୁ ଅଭିନୟ କଲା ବେଳେ ଅଧିକ ସତର୍କ ରହିବାକୁ ପଡ଼େ।

ପ୍ର: ଅକ୍ଷୟ କୁମାରଙ୍କ ସହ ଫିଲ୍ମରେ କାମ କରିବାର ଅନୁଭୂତି କେମିତି ଥିଲା?
ଉ- ଜଣେ ନବାଗତା ଭାବେ ଅକ୍ଷୟ କୁମାରଙ୍କ ଭଳି ଜଣେ ଏତେବଡ଼ ସୁପରଷ୍ଟାର୍‌ଙ୍କ ସହ କାମ କରିବା ବେଳେ ସେ କେବେ ନୂଆ ବୋଲି ଅନୁଭବ କରିବାକୁ ଦେଇନାହାନ୍ତି। ମିଶିକି ଖାଇବାଠାରୁ ଆରମ୍ଭ କରି କଥାବାର୍ତ୍ତା ହେବା ଓ ଆଗକୁ ବଢ଼ିବାକୁ ପ୍ରେରଣା ଦେବା ତାଙ୍କଠାରୁ ହିଁ ଶିଖିବାକୁ ପାଇଛି।

ପ୍ର: ଆପଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କ ମିମିକ୍ରି କରି ଚର୍ଚ୍ଚାକୁ ଆସିଛନ୍ତି। ଏଥିପାଇଁ ଉପୁଜିଥିବା ବିବାଦକୁ କିଭଳି ମୁକାବିଲା କଲେ?
ଉ- ମିମିକ୍ରି ଏକ କଳା ଓ ଏହା ଲୋକଙ୍କ ମନୋରଞ୍ଜନ କରେ। କେଜ୍ରିୱାଲଙ୍କୁ ମଫଲର୍‌ମ୍ୟାନ୍‌ ଭାବେ ଅଭିହିତ କରି ଭିଡିଓ କରିବା ପରେ କେତେଥର ଧମକ ଆସିଥିଲା। କିନ୍ତୁ ମୁଁ ଡରି ନଥିଲି।

ପ୍ର: ବଲିଉଡ୍‌ରେ ନେପୋଟିଜିମ୍ ରହିଛି?
ଉ- ନିଶ୍ଚୟ ରହିଛି। ଚଳଚ୍ଚିତ୍ର କାହିଁକି, ଏହା ସବୁ କ୍ଷେତ୍ର‌ରେ ରହିଛି। କିନ୍ତୁ ଠିକ୍‌ କାମ ନକଲେ, କେହି ତିଷ୍ଠି ପାରିବେନି। ତେଣୁ ତ ବହୁ ଷ୍ଟାର୍‌-କିଡ୍‌ ବିଫଳ ହୋଇଛନ୍ତି ଏବଂ ସଂଘର୍ଷ କରି ବହୁ ଯୋଗ୍ୟ ବ୍ୟକ୍ତି ସଫଳତା ପାଇଛନ୍ତି। ନିଜକୁ ପ୍ରମାଣିତ କରିବାକୁ ହେବ।

ପ୍ର: ଯୁବପିଢ଼ିଙ୍କୁ କ’ଣ ବାର୍ତ୍ତା ଦେବେ?
ଉ–ନିଜକୁ ପ୍ରମାଣିତ କରିବା ପାଇଁ ବହୁତ କ୍ଷେତ୍ର ରହିଛି। ନିଜ କାମ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ନୂଆ ନୂଆ କିଛି କରିବା ସମୟରେ ଭୁଲ୍ ହେବ ଏବଂ ସମାଲୋଚନାର ଶିକାର ହେବାକୁ ପଡ଼ିବ। କିନ୍ତୁ ଏଥିରେ ବିଚଳିତ ନ ହୋଇ ନିଜକୁ ସୁଧାରିବାକୁ ଚେଷ୍ଟା କରିବା ଆବଶ୍ୟକ। ଏ ସବୁ ମଣିଷର ଲକ୍ଷ୍ୟକୁ ଅଧିକ ଦୃଢ଼ୀଭୂତ କରିଥାଏ।

ସମ୍ବନ୍ଧିତ ଖବର