ଖରା ହେଉ କି ଶୀତ..., ଧୂଳିରୁ ରକ୍ଷା ପାଇଁ ହେଉ କି କରୋନା ଭୂତାଣୁଠାରୁ; ଷ୍ଟୋଲ ଏବେ ମହିଳାଙ୍କ ଅତି ଜରୁରୀ ବସ୍ତ୍ର ପାଲଟିଛି। ଧୀରେଧୀରେ ଏହା ଫ୍ୟାସନ୍ରେ ପରିଣତ ହୋଇଗଲାଣି। କୁର୍ତି, ଜିନ୍ସ୍ ଟପ୍, ୱାନ୍ପିସ୍, ଟୁ-ପିସ୍, ସ୍କଟ୍ ଓ ଗାଉନ୍ ସବୁଥିରେ ଏବେ ମହିଳା ଓ ଯୁବତୀମାନେ ଷ୍ଟୋଲ୍ ପକାଉଥିବା ଦେଖିବାକୁ ମିଳୁଛି। ଏଣୁ ଷ୍ଟୋଲ୍ ଏବେ ଆଉ ସାଧାସିଧା ଓଢ଼ଣି ହୋଇ ରହିନାହିଁ। ଫେବ୍ରିକ୍ଠାରୁ ଆରମ୍ଭ କରି ଡିଜାଇନ୍, ପ୍ରିଣ୍ଟ୍ ଓ ଆକାରରେ ଏହା ନିଜକୁ ଫ୍ୟାସନେବୁଲ କରିଚାଲିଛି। ରାଜଧାନୀର ମଲ୍ଠାରୁ ଆରମ୍ଭ କରି ଫୁଟ୍ପାଥ୍ ପର୍ଯ୍ୟନ୍ତ ସବୁଠି ଏବେ ଷ୍ଟାଇଲିସ୍ ଷ୍ଟୋଲ୍ ପସରା। ମାର୍କେଟ୍ ବିଲ୍ଡିଂର ଷ୍ଟୋଲ ବ୍ୟବସାୟୀ ଘନଶ୍ୟାମ ଜେନା କହିଛନ୍ତି, ଏବେ ବଜାରରେ କଟନଠାରୁ ଆରମ୍ଭ କରି ପଲିକଟନ, ଉଲ୍ ବ୍ଲେଣ୍ଡ୍, ସଲିଡ୍ କଟନ ସାତିନ୍ ବ୍ଲେଣ୍ଡ୍, ସିଫନ୍ ଓ ରାୟନ୍ ଆଦି ବିଭିନ୍ନ ଫେବ୍ରିକ୍ର ଷ୍ଟୋଲ ଉପଲବ୍ଧ ହେଉଛି।
ଏଥିସହ ହାତବୁଣା, ଷ୍ଟ୍ରିପ୍ଡ୍, ଚେକ୍, ଫ୍ଲୋରାଲ୍, ଆନିମଲ୍ ପ୍ରିଣ୍ଟ୍ ଓ ବିଭିନ୍ନ ପ୍ରିଣ୍ଟ୍ର ଷ୍ଟୋଲ ମଧ୍ୟ ଉପଲବ୍ଧ ରହିଛି। ମାତ୍ର ଏବେ ମହିଳାଙ୍କ ମଧ୍ୟରେ ଆନିମଲ୍ ପ୍ରିଣ୍ଟ୍ ଅଧିକ ଚାହିଦାରେ ରହିଛି ବୋଲି ଶ୍ରୀ ଜେନା କହିଛନ୍ତି। ଏଥିସହ ପେଣ୍ଡେଣ୍ଟ୍ ଷ୍ଟୋଲ ଓ ଫର୍ ଷ୍ଟୋଲ, ମହିଳା ଓ ଯୁବତୀଙ୍କ ପସନ୍ଦର ସର୍ବାଗ୍ରେ ରହିଛି। ପେଣ୍ଡେଣ୍ଟ୍ ଷ୍ଟୋଲ୍ରେ ବିଭିନ୍ନ ପ୍ରକାର କ୍ରିଷ୍ଟାଲ, ମାଳି ଓ ଲକେଟ୍ ବେକ ପାଖରେ ଗୁନ୍ଥା ହୋଇ ରହିଥାଏ। ଏହି ଷ୍ଟୋଲ ପକାଇଲେ, ମହିଳାଙ୍କୁ ବେକରେ ଆଉ ଅଲଗା କିଛି ଗହଣା ପିନ୍ଧିବାର ଆବଶ୍ୟକ ପଡ଼େ ନାହିଁ। ଏହା ଲଙ୍ଗ୍ ସ୍କଟ୍ ଓ ଟପ୍ ସହ ଜିନ୍-ଟପ୍ ଓ ୱାନ୍-ପିସ୍ରେ ଅଧିକ ଭଲ ମାନିଥାଏ। ଏହି ଷ୍ଟୋଲର ଦାମ୍ ୩୫୦ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସାଧାରଣତଃ ଏହି ଷ୍ଟୋଲ ବିଭିନ୍ନ ଅନ୍ଲାଇନ୍ ସପିଂ ଆପ୍ରେ ଉପଲବ୍ଧ। ସେହିଭଳି ଶୀତ ଦିନେ ଫର୍-ଷ୍ଟୋଲ୍ର ଚାହିଦା ଅଧିକ ରହିଥାଏ।