ଜୀବନ ରଙ୍ଗ: ପ୍ଲେ-ଜୋନ୍‌ ଏବେ ଖେଳପଡ଼ିଆର ନୂଆ ଠିକଣା

ଦିନ ଥିଲା, ଭୁବନେଶ୍ବର‌ର କୁନିକୁନି ପିଲାମାନେ ଘର ପାଖ ପଡ଼ିଆରେ ଖେଳୁଥିଲେ। ବିଦ୍ୟାଳୟ ଛୁଟି ହେବା ପରେ ପରେ ପିଲାମାନେ ଘରେ ବହିବସ୍ତାନି ଫୋପାଡ଼ି ଦେଇ ଧାଇଁ ଯାଉଥିଲେ ଘର ପାଖ ଖେଳପଡ଼ିଆକୁ। ଦୌଡ଼କୁଦ ସହ ବିଭିନ୍ନ ଡିଆଁଡେଇଁ ଖେଳରେ ସଂଜ ବୁଡ଼ି ଯାଉଥିଲା। ଘରକୁ ଫେରିବା ବେଳକୁ ସର୍ବାଙ୍ଗ ଧୂଳିଧୂସର ହୋଇଯାଉଥିଲା। ହସଖୁସି ସାଙ୍ଗକୁ ରାଗରୁଷା ଓ ମୁହଁ ଫୁଲାଫୁଲି କଳିକଜିଆର ମଜା ବି ଥିଲା ନିଆରା। ପ୍ରାୟ ୯୦ ଦଶକ ପର୍ଯ୍ୟନ୍ତ ଭୁବନେଶ୍ବର ସହରର ଶିଶୁମାନଙ୍କର ଏଭଳି ଅନୁଭୂତି ଥିଲା। କିନ୍ତୁ ଧୀରେଧୀରେ ସବୁ କିଛି ବଦଳିଗଲା। ଆଧୁନିକତା ମାଡ଼ି ଆସିଲା ଦ୍ରୁତ ବେଗରେ। ଘରପାଖ ଖେଳପଡ଼ିଆ ହଜିଗଲା କିମ୍ବା ଆଲୋଡ଼ା ହୋଇଗଲା। ଗୋଟିଏ କଲୋନିର ପିଲାଙ୍କ ଭିତରେ ବଢ଼ିଗଲା ଦୂରତା। ଏବେ ସହରର ସମସ୍ତ ମଲ୍‌ ଓ ପାର୍କରେ ଗଢ଼ିଉଠିଛି ‌‘ଚିଲ୍‌ଡ୍ରେନ୍‌ ପ୍ଲେ ଜୋନ୍’। ଖେଳପଡ଼ିଆ ବଦଳିବା ସହ ଖେଳର କିସମ ବି ବଦଳି ଯାଇଛି। ଏହି ସବୁ ପଇସାଦିଆ ପ୍ଲେ-ଜୋନ୍‌ ପାଲଟିଛି ଖେଳପଡ଼ିଆର ନୂଆ ଠିକଣା। କେବଳ ପାର୍କ କିମ୍ବା ମଲ୍‌ରେ ନୁହେଁ, ସହରରେ ଆୟୋଜିତ ହେଉଥିବା ପ୍ରତିଟି ମେଳା ମହୋତ୍ସବ ଓ ତୋରଣରେ ଏହି ପ୍ଲେ ଜୋନ୍‌ ନିହାତି ଦେଖିବାକୁ ମିଳୁଛି। ତୋଷାଳି ମେଳା, ଶିଶିର ସରସ, ମହିଳା ବାଣିଜ୍ୟ ମେଳା ଆଦିରେ ‌ପିଲାମାନଙ୍କ ପାଇଁ ‌ପ୍ଲେ-ଜୋନ୍‌ ଦେଖିବାକୁ ମିଳୁଛି। ଏହି ପ୍ଲେ-ଜୋନ୍‌ ସଂସ୍କୃତିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

୧ ଘଣ୍ଟାକୁ ୬୦୦ ଟଙ୍କା

‌ଚିଲ୍‌ଡ୍ରେନ୍‌ ପ୍ଲେ ଜୋନ୍‌ଗୁଡ଼ିକରେ କୌଶଳ ବିକାଶ ଖେଳଗୁଡ଼ିକ ଛଡ଼ା ମସ୍ତିଷ୍କର ବିକାଶ ଓ ଶାରୀରିକ କସରତଭରା ଖେଳ ଖେଳିବା ଉପରେ ଅଧିକ ଗୁରୁତ୍ବ ଦିଆଯାଏ। ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌ରେ ଥିବା ଟରିଲ୍ୟାଣ୍ଡ ପ୍ଲେ-ଜୋନ୍‌ର ଅପରେସନ୍‌ ମୁଖ୍ୟ ବୈଭବ କେଡିଆ କହିଛନ୍ତି, ଏଠାରେ ଟ୍ରାମ୍ପୋଲାଇନ୍‌, ୱାଲ୍‌ କ୍ଲାଇବିଂ(କାନ୍ଥ ଚଢ଼ା), ଷ୍ଟେୟାର୍‌ସ୍‌ ଅପ୍‌ ଆଣ୍ଡ୍‌ ଜମ୍ପ୍‌ (ଶିଡି ଚଢ଼ା ଓ ଡିଆଁ) ଓ କ୍ରଲିଂ(ଗୁରୁଣ୍ଡିବା) ଆଦି ଖେଳ ସହ ସ୍ଲାଇଡ୍‌ସ୍‌, ବଲ୍‌ ପୁଲ୍‌, ରୋପ୍‌ ସ୍ବିଙ୍ଗ୍‌, ଟ୍ରୋଡ୍‌ଲର୍‌ କାର୍‌ ରାଇଡିଂ, ଫିସିଂ ଗେମ୍‌ ଓ ଆକ୍ଟିଭିଟି ଟେବୁଲ ଆଦି ବହୁ ଖେଳ ରହିଛି। ଏଠାରେ ପ୍ରବେଶ ଶୁଳ୍କ ବାବଦରେ ୧ ଘଣ୍ଟାକୁ ୬୦୦ ଟଙ୍କା ଦେବାକୁ ପଡ଼ିଥାଏ। ପିଲାଙ୍କ ସହ ଜଣେ ଅଭିଭାବକ ପ୍ଲେ-ଜୋନ୍‌ ମଧ୍ୟକୁ ଯିବାର ଅନୁମତି ରହିଛି। ଦ୍ବିତୀୟ ବ୍ୟକ୍ତି ଗଲେ ତାଙ୍କ ପାଇଁ କିଛି ଅଧିକ ଟଙ୍କା ଦେୟ ଦେବାକୁ ପଡ଼ିଥାଏ। ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ରାତି ୮ଟା ଯାଏ ଏଠାରେ ପ୍ରବେଶ ଅନୁମତି ରହିଛି। ପ୍ରତି ଘଣ୍ଟାରେ ୨୦ ଜଣ ପିଲାଙ୍କୁ ପ୍ରବେଶ ଅନୁମତି ଥାଏ। ତେବେ ପ୍ରତିଦିନ ଏଠାରେ ୧୫୦ରୁ ଅଧିକ ପିଲା ଆସୁଥିବା ବେଳେ ସପ୍ତାହାନ୍ତ ଓ ଛୁଟି ଦିନଗୁଡ଼ିକରେ ୨୫୦ରୁ ଅଧିକ ପିଲା ଆସିଥା’ନ୍ତି ବୋଲି ଶ୍ରୀ କେଡିଆ କହିଛନ୍ତି। ସେହିଭଳି ଉତ୍କଳ ଗ୍ୟାଲେରିଆ ମଲ୍‌ରେ ଥିବା ‘ଟାଇମ୍‌ ଜୋନ୍‌’ରେ ୱାକ୍‌ ଆଣ୍ଡ୍‌ ୱିନ୍‌, ଟେଡ୍‌ଏକ୍ସ ପାର୍କ, ଆଇସ୍‌ ମ୍ୟାନ୍‌, ସେଲ୍‌ ଫିସ୍‌ ଓ ହିଟ୍‌ ଦ କ୍ଲାଉନ୍‌ ଆଦି ବିଭିନ୍ନ ଖେଳ ରହିଛି।

୫ ବର୍ଗରେ ୧୫ରୁ ଅଧିକ ଖେଳ

ରାଜଧାନୀର ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌, ଉତ୍କଳ ଗ୍ୟାଲେରିଆ ଆଦି ବିଭିନ୍ନ ମଲ୍‌ରେ ରହିଛି ପ୍ଲେ-ଜୋନ୍‌। ଏଠାରେ ଛୁଆମାନଙ୍କ ପାଇଁ ରହିଛି ଭିନ୍ନଭିନ୍ନ ରକମର ଖେଳ। ବାପା ମା’ମାନେ ଜିନିଷ କିଣାକିଣି କରୁଥିବା ବେଳେ ଛୁଆମାନଙ୍କ ମନୋରଞ୍ଜନ ପାଇଁ ଏହି ପ୍ଲେ-ଜୋନ୍‌ ବେଶ୍‌ ଉପକାରୀ ହୋଇପାରିଛି। ପ୍ଲେ-ଜୋନ୍‌ଗୁଡ଼ିକ ମଧ୍ୟ ବିଭିନ୍ନ ବର୍ଗରେ ୧୫ରୁ ଅଧିକ ଖେଳ ଛୁଆମାନଙ୍କୁ ଯୋଗାଇ ଦେଉଛନ୍ତି। ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌ର ଦ୍ବିତୀୟ ମହଲାରେ ଥିବା ଟରିଲ୍ୟାଣ୍ଡ ପ୍ଲେ-ଜୋନ୍‌ରେ ରହିଛି ପିଲାଙ୍କ ପାଇଁ ୫ବର୍ଗର ଖେଳ। ମୋଟୋର ସ୍କିଲ୍‌ ଡେଭେଲପ୍‌ମେଣ୍ଟ୍‌, ପିଲାଙ୍କ ପ୍ରତିଟି ଅଙ୍ଗପ୍ରତ୍ୟଙ୍ଗ ବ୍ୟବହୃତ ଖେଳ, ଆଖି ଓ ହାତ ସମନ୍ବୟ ରକ୍ଷା ‌ଖେଳ, କଳ୍ପନା କୌଶଳ ବିକାଶ ଖେଳ ଓ ସକାରାତ୍ମକ ପରିବେଶ ସୃଷ୍ଟି କରୁଥିବା ଖେଳ ଇତ୍ୟାଦି। ଏହାଦ୍ବାରା ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ବାହାରକୁ ଆସିବା ସହ ସେମାନେ ନିଜ ପ୍ରତିଟି ଅଙ୍ଗପ୍ରତ୍ୟଙ୍ଗର ବ୍ୟବହାର ଓ କାର୍ଯ୍ୟକାରିତା ଜାଣିଥା’ନ୍ତି। ଏହାଦ୍ବାରା ପିଲାମାନଙ୍କ ଚିନ୍ତାଶକ୍ତି ଅଧିକ ପରିବ୍ୟାପ୍ତ ହୋଇପାରୁଛି।

ନାହିଁ ପୁଅ, ଝିଅ ତାରତମ୍ୟ

ଏହି ପ୍ଲେ‌-‌ଜୋନ୍‌ଗୁଡ଼ିକରେ ପୁଅ ଓ ଝିଅଙ୍କ ପାଇଁ ଅଲଗା ଅଲଗା ପ୍ରବେଶ କିମ୍ବା ଖେଳର ବ୍ୟବସ୍ଥା ନାହିଁ। ଏଠାରେ ପିଲାମାନଙ୍କୁ ସମସ୍ତ ପ୍ରକାର ଲିଙ୍ଗଗତ ବୈଷ୍ୟମତାରୁ ଦୂରେଇ ରଖାଯାଏ। ଏଠାରେ ପୁଅଝିଅ ଉଭୟ ମିଶି କିଚେନ୍‌ ସେଟ୍‌, ଡଲ୍‌ ହାଉସ୍ ଓ ଡକ୍ଟର ଡକ୍ଟର ଖେଳୁଥିବା ଦେଖିବାକୁ ମିଳେ। ଏକାଗ୍ରତା ବୃଦ୍ଧି ପାଇଁ ସମସ୍ତେ ମିଶି ଫିସିଂ ଗେମ୍‌ ଖେଳନ୍ତି। ଏଥିସହ ପୁଅଙ୍କ ସହ ଝିଅମାନେ ରୋପ୍‌ କ୍ଲାଇମ୍ବିଂ, ୱାଲ୍‌ କ୍ଲାଇମ୍ବିଂ, କ୍ରଲିଂ, ସ୍ଲାଇଡ୍‌ସ୍‌ ଆଦି ଖେଳ ଖେଳନ୍ତି। ପିଲାମାନେ ଏଠାକୁ ନିଜ ନିଜ ଅଭିଭାବକମାନଙ୍କ ସହ ଆସୁଥିବା ବେଳେ ସେମାନେ ‌ପ୍ଲେ-ଜୋନ୍‌ରେ ଥିବା ଅନ୍ୟ ପିଲାମାନଙ୍କୁ ଚିହ୍ନି ନଥାନ୍ତି। ଏଠାରେ ଏଭଳି ଏକ ସକାରାତ୍ମକ ପରିବେଶ ଯୋଗାଇ ଦିଆଯାଏ, ଯାହା ଫଳରେ ପିଲାମାନେ ବନ୍ଧୁତା କରିବା, ଅଜଣା ଲୋକଙ୍କ ସହ କଥା ‌ହେବାର କୌଶଳ ଶିକ୍ଷା ମଧ୍ୟ କରିଥା’ନ୍ତି।

ପାର୍କରେ ସଂଧ୍ୟା‌ରେ ଜମୁଛି ଖେଳ ଆସର

କେବଳ ମଲ୍‌ ନୁହେଁ, ସଂଧ୍ୟା ହେଲେ ପାର୍କରେ ପିଲାଙ୍କ କୋଳାହ‌ଳରେ ପରିବେଶ ଜୀବନ୍ତ ହୋଇଉଠେ। ରାଜଧାନୀର ପ୍ରାୟ ସମସ୍ତ ପାର୍କରେ ବିଭିନ୍ନ ବର୍ଗର ଲୋକମାନଙ୍କ ମନୋରଞ୍ଜନ ସହ ପିଲାଙ୍କ ମନୋରଞ୍ଜନର ମଧ୍ୟ ବ୍ୟବସ୍ଥା କରାଯାଇଛି। ସ୍ବିଙ୍ଗ୍‌ ଗେମ୍‌, ସି-ସ ଗେମ୍‌, ଟନେଲ୍‌, ଜଙ୍ଗଲ ଜିମ୍‌, ସ୍ପ୍ରିଙ୍ଗ୍‌ ହର୍ସ, ମଙ୍କି ବାର୍‌ସ୍‌ ଓ ସ୍ଲାଇଡ୍‌ ଆଦି ଖେଳକୁ ନେଇ ହୋଇଥିବା ପ୍ଲେ-ଜୋନ୍‌ ପିଲାମାନଙ୍କ ଆକର୍ଷଣର କେନ୍ଦ୍ର ହୋଇଛି। ସକାଳ ସମୟରେ ପିଲାମାନେ ସମୟ ପାଉ ନଥିବାରୁ ପ୍ରାୟ ସଂଧ୍ୟା ସମୟରେ ପାର୍କଗୁଡ଼ିକରେ ଭିଡ଼ ଦେଖିବାକୁ ମିଳେ। ଆଇଜି ପାର୍କ, ଫରେଷ୍ଟ ପାର୍କ, ବିଭିନ୍ନ ବିଡିଏ ପାର୍କ ଓ କଲୋନି ପାର୍କଗୁଡ଼ିକରେ ଧୀରେଧୀରେ ଏହି ଜୋନ୍‌ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର