ଜିବନ ରଙ୍ଗ: ବାହାଘରରେ ଭିଡିଓ ଜମାନା

ଭୁବନେଶ୍ବର: ବିବାହ ସମସ୍ତଙ୍କ ଜୀବନ ପାଇଁ ଏକ ରଙ୍ଗିନ ସ୍ବପ୍ନ। ଏହି ସ୍ବପ୍ନ ଓ ଉତ୍ସବକୁ ମନଭରି ଉପଭୋଗ କରିବାକୁ କିଏ ବା ନ ଚାହେ! ଏହି ଉତ୍ସବର ପ୍ରତିଟି କ୍ଷଣ ଓ ଅନୁଭୂତି, ଜୀବନକାଳ ପାଇଁ ଏକ ଅଭୁଲା ସ୍ମୃତି। ଦିନ ଥିଲା, ଏହି ସ୍ମୃତିକୁ ସାଇତିବା ପାଇଁ ମନକୁ ବାଦ୍‌ ଦେଲେ ଆଉ କିଛି ସାଧନ ନଥିଲା। ତେବେ ପରେ ବେଶ୍‌ କିଛି ଦିନ ଚାଲିଲା କ୍ୟାମେରାର ଯୁଗ। କ୍ୟାମରୋ ଲେନ୍‌ସ ଓ ରିଲ୍‌ରୁ ପ୍ରସ୍ତୁତ ଫଟୋ ସବୁକୁ ଫଟୋ ଆଲବମ୍‌ରେ ସଜେଇ ରଖିବା ସମୟ କିନ୍ତୁ ଏବେ ଆଉ ପ୍ରାୟ ନାହିଁ। ଆସିଯାଇଛି ଭିଡିଓ ସୁଟିଂର ଜମାନା।

ପ୍ରେମ ବିବାହ ହେଉ ବା ଆରେଞ୍ଜଡ୍‌ ବିବାହ, ଏବେ ସବୁଠି ଭିଡିଓ ସୁଟିଂର ରାଜ୍‌ ଚାଲିଛି। ପୂର୍ବରୁ ବିବାହ ପ୍ରସଙ୍ଗ ଆସିଲେ ପାରମ୍ପରିକ ରୀତିନୀତି ସହ ଜଡ଼ିତ ବ୍ୟକ୍ତିବିଶେଷ, ସମ୍ପ୍ରଦାୟ ବା ଗୋଷ୍ଠୀକୁ ଆଗ ଲୋଡ଼ା ପଡ଼ୁଥିଲା। କିନ୍ତୁ ଏବେ ଆଗ ଖୋଜା ହେଉଛି ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥା। ଏଭଳି ସଂସ୍ଥା ପ୍ରଥମେ ଭିଡିଓ ସୁଟିଂ କଥା ବୁଝିବ। ଏଥିପାଇଁ ସ୍କ୍ରିପ୍ଟ ରାଇଟର୍‌, ଦକ୍ଷ କ୍ୟାମେରାମ୍ୟାନ୍‌, ଫଟୋଗ୍ରାଫର୍‌, ସିନେମାଟୋଗ୍ରାଫର୍‌ ଓ ଫଟୋ ଏଡିଟର୍‌ଙ୍କୁ ଖୋଜାପଡ଼ୁଛି। ଏବେ ବିବା‌ହ ପରେ ପୋଷ୍ଟ ୱେଡିଂ ଫଟୋ ସୁଟ୍‌ ମଧ୍ୟ ହେଲାଣି। ବିବାହ ପରର ଅର୍ଥାତ୍ ପୋଷ୍ଟ ୱେଡିଂ ଭିଡିଓ ସୁଟ୍‌ ମଧ୍ୟ ହେଲାଣି। କଥା ଏଇଠି ଅଟକି ନାହିଁ। ଏବେ ସନ୍ତାନ ଜନ୍ମ ହେବା ପୂର୍ବରୁ ‘ମମି ଟୁ ବି’ ଏବଂ ‘ଡ୍ୟାଡି ଟୁ ବି’ ଭିଡିଓ ସୁଟ୍‌‌ ଟ୍ରେଣ୍ଡ୍‌ ଆରମ୍ଭ ହୋଇଯାଇଛି। ଭିଡିଓ ସୁଟ୍‌ ଜମାନାକୁ ନେଇ ଏଥରର ସ୍ବତନ୍ତ୍ର ଉପସ୍ଥାପନା…

ବଢ଼ୁଛି ପ୍ରି-ୱେଡିଂ ଭିଡିଓ ସୁଟିଂ

Times of India

ଏବେ ପ୍ରି-ୱେଡିଂ ବା ବିବାହ ପୂର୍ବର ଫଟୋସୁଟ୍‌ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବଢ଼ିଛି। ବଡ଼ କଥା ହେଉଛି, ଆଜିକାଲି ଏହି ଭିଡିଓ ନିମନ୍ତ୍ରଣ କାର୍ଡ ଭଳି କାମ କରୁଛି ମଧ୍ୟ। ପ୍ରି-ୱେଡିଂ ଫଟୋ ବା ଭିଡିଓ ସୁଟ୍‌ ପାଇଁ ଟ୍ରାଭେଲ ଖର୍ଚ୍ଚ ସହ ୬୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲେ ବି ଏହି ବ୍ୟୟବହୁଳ କାର୍ଯ୍ୟକ୍ରମ ପ୍ରତି ଯୁବପିଢ଼ିଙ୍କ କ୍ରେଜ୍‌ ରହିଛି। ପ୍ରାୟ ୪/୫ ମିନିଟିର କ୍ଷୁଦ୍ର ଚଳଚ୍ଚିତ୍ର ଭଳି ହେଉଥିବା ଏହି ପ୍ରି-ୱେଡିଂ ଭିଡିଓ ବେଶ୍ ମନଛୁଆଁ ବି ହେଉଛି। ସମୁଦ୍ର କୂଳ, ପାହାଡ଼, ପର୍ବତ, ଝରଣା, ଜଳପ୍ରପାତ, ପାର୍କ, ପର୍ଯ୍ୟଟନସ୍ଥଳ ଓ ମନ୍ଦିର ଭଳି ଆକର୍ଷଣୀୟ ସ୍ଥାନରେ ହେଉଛି ଏସବୁ ଭିଡିଓ। ଫଟୋ ଓ ଭିଡିଓ ସୁଟ୍‌ ପାଇଁ କ୍ୟାମେରାମ୍ୟାନ୍‌ଙ୍କ ସହ ନିର୍ଦ୍ଦେଶକ ବି ପ୍ରଚ୍ଛଦପଟ୍ଟରେ ରହୁଛନ୍ତି। ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଯୁବକ ଯୁବତୀଙ୍କୁ ଚଳଚ୍ଚିତ୍ରର ନା‌ୟକ ନାୟିକାଙ୍କ ଭଳି ସଜେଇ ପାରୁଛନ୍ତି କ୍ୟାମେରାମ୍ୟାନ୍‌। ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍‌ ଓ ଗୀତ ବି ଆହୁରି ମନଲୋଭା ହୋଇପାରୁଛି। ଏଥିପାଇଁ ପାରମ୍ପରିକ ବା ଫ୍ୟାସ୍‌ନେବୁଲ୍‌ ପୋଷାକ ମଧ୍ୟ ଭଡ଼ାରେ ମିଳିବାର ବ୍ୟବସ୍ଥା ରହିଛି। ପୋଷାକ ପାଇଁ ଦିନକୁ ୨ରୁ ୬ ହଜାର ଟଙ୍କା ଭଡ଼ା ପଡ଼ୁଛି। ଏହି ଭିଡିଓରେ ବି ରହୁଛି ପୁଅ, ଝିଅଙ୍କ ହଳଦୀ, ମେହେନ୍ଦୀ ପ୍ରଥାର କାର୍ଯ୍ୟକ୍ରମ ସହ ବିବାହର ସ୍ଥାନ, ତାରିଖ ଓ ସମୟ ସମ୍ପର୍କରେ ସମସ୍ତ ସୂଚନା। ତେଣୁ ସମ୍ପର୍କୀୟଙ୍କୁ ଏହି ଭିଡିଓଟି ପଠାଇଦେଲେ, ତାହା ନିମନ୍ତ୍ରଣ କାର୍ଡ ଭଳି କାମ କରୁଛି। ଆଉ ଆଗଭଳି ଛପା ନିମନ୍ତ୍ରଣ କାର୍ଡ ପଠାଇବା ଆବଶ୍ୟକ ପଡ଼ୁନି। ତେବେ ରୀତିନୀତି ଅନୁସାରେ ଅତି ନିକଟ ସମ୍ପର୍କୀୟ ବନ୍ଧୁବାନ୍ଧବଙ୍କ ପାଇଁ ଆଜି ବି ବଞ୍ଚି ରହିଛି ଗୁଆ, ନଡ଼ିଆ ଓ ନିମନ୍ତ୍ରଣ କାର୍ଡ।

ମେହେନ୍ଦି, ହଳଦୀ ଓ ବିବାହରେ ସିନେମାଟୋଗ୍ରାଫି ସୁଟିଂ

Berger Paints

ରୀତିନୀତି ଓ ପରମ୍ପରାକୁ ନେଇ ବିବାହ ହେଉଥିବା ବେଳେ ‘ହଳଦୀ’ ଓ ‘ମେହେନ୍ଦି’ କାର୍ଯ୍ୟକ୍ରମ ବେଦିରେ ହାତଗଣ୍ଠି ପଡ଼ିବା ଭଳି ଅଧିକ ଆକର୍ଷଣର ପ୍ରସଙ୍ଗ ହୋଇଛି। ହଳଦୀ କାର୍ଯ୍ୟକ୍ରମରେ ଝିଅଟି ହଳଦିଆ ରଙ୍ଗର ଶାଢ଼ି ସହ ବିଭିନ୍ନ ଫୁଲଖଚିତ ଗହଣା ପରିଧାନ କରି ମଞ୍ଚରେ ବସେ। ଏହି ସମୟରେ ବିଭିନ୍ନ ପାରମ୍ପରିକ ରୀତି ନିର୍ବାହ ହେବା ସହ ଝିଅକୁ ହଳଦୀ ଲଗାଇବା, ଗୀତ, ନାଚ ସହ ହଳଦୀ ଖେଳ ଓ ଶେଷରେ ବାଡ଼ୁଅ ପାଣି ଗାଧୁଆ ଆଦିକୁ ମେହେନ୍ଦି କାର୍ଯ୍ୟକ୍ରମକୁ ବୁଝାଏ। ଏ ସମସ୍ତ ଦୃଶ୍ୟକୁ କଏଦ୍‌ କରିବାକୁ ଏବେ ସମସ୍ତଙ୍କ ପସନ୍ଦରେ ରହିଛି ସିନେମାଟୋଗ୍ରାଫି ସୁଟିଂ। ଏଥିରେ ଡ୍ରୋନ୍‌ କ୍ୟାମେରା ବ୍ୟବହାର କରାଯିବା ସହ ଜିମ୍ବଲ୍‌ ମଧ୍ୟ ବ୍ୟବହୃତ ହୋଇଥାଏ। ପ୍ରତିଟି ଆଙ୍ଗେଲ୍‌ରୁ ଦୃଶ୍ୟକୁ କଏଦ୍‌ କରିବା ସହ ଭିଡିଓକୁ ଏକ ଅତ୍ୟାଧୁନିକ ସ୍ପର୍ଶ ଦେଇଥାଏ। ସମ୍ପୂର୍ଣ୍ଣ ବିବାହର ସିନେମାଟୋଗ୍ରାଫି ସୁଟିଂ ପାଇଁ ଉଭୟ ପକ୍ଷକୁ ୧ ଲକ୍ଷ ୮୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରିବାକୁ ପଡ଼ିଥାଏ। ସେହିଭଳି ପାରମ୍ପରିକ ସୁଟ୍‌ ପାଇଁ ୧ଲକ୍ଷରୁ ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରିବାକୁ ପଡ଼େ।

ଉତ୍କଣ୍ଠା ବଢ଼ା‌ଉଛି ବିବାହ ଭିଡିଓର ଟିଜର୍‌

Zero Gravity Photography

ଆଗ ଭଳି ଆଉ ୩ ଘଣ୍ଟିଆ ବିବାହ ଭିଡିଓ ଆସୁନାହିଁ। ଏବେ ୧ ଘଣ୍ଟାରୁ ୧ ଘଣ୍ଟା ୨୦/୩୦ ମିନିଟ୍‌ର ଭିଡିଓ ପ୍ରସ୍ତୁତ ହେଉଛି। ତେବେ ଉଲ୍ଲେଖନୀୟ କଥା ହେଉଛି ଏବେ ଚଳଚ୍ଚିତ୍ରର ଟ୍ରେଲର୍‌ ଭଳି ବିବାହ ଭିଡିଓର ଟିଜର୍‌ ଆସିଲାଣି। ବିବାହର ସମ୍ପୂର୍ଣ୍ଣ ଭିଡିଓ ଆସିବା ପୂର୍ବରୁ ନବଦମ୍ପତିମାନେ ନିଜ ବିବାହ ଭିଡିଓର ଟିଜର୍‌ ନିଜ ନିଜର ସମସ୍ତ ସମ୍ପର୍କୀୟ ଓ ବନ୍ଧୁ ପରିଜନଙ୍କୁ ପଠାଇଥା’ନ୍ତି। ଏହି ଟିଜର୍‌ ଏମିତି ଆକର୍ଷଣୀୟ ହୋଇଥାଏ ଯେ ସମ୍ପୂର୍ଣ୍ଣ ଭିଡିଓ ଦେଖିବାକୁ ଜଣକୁ ଉତ୍ସାହିତ କରେ। ଟିଜର୍‌ ବଢ଼ାଉଛି ଉତ୍କଣ୍ଠା। ଅନ୍ୟପଟେ ଯଦି କେହି ସମ୍ପୂର୍ଣ୍ଣ ଭିଡିଓ ଦେଖିବାକୁ ଚାହାନ୍ତି ନାହିଁ, ତେବେ ୮ ମିନିଟ୍‌ର ଏହି ଟିଜର୍‌ ଦେଖି ଜଣେ ସମ୍ପୂର୍ଣ୍ଣ ବିବାହ ସମ୍ପର୍କରେ ଅବଗତ ହୋଇପାରିବ।

ମେରାଇନ୍‌ ଡ୍ରାଇଭ୍‌ ଓ କୋରାପୁଟ ଅଧିକ ପସନ୍ଦ

Weva Photography

ସମୁଦ୍ର କୂଳରେ ଫଟୋସୁଟ୍‌ର ମଜା ଓ ଅନ୍ଦାଜ ନିଆରା। ଏବେ ପ୍ରି-ୱେଡିଂ ଭିଡିଓ ସୁଟ୍‌ ପାଇଁ ଏବେ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍ ଓଡ଼ିଆ ଯୁବକ ଯୁବତୀଙ୍କ ଅଧିକ ପସନ୍ଦ ପାଲଟିଛି। ସେହିଭଳି ପାହାଡ଼ିଆ ଓ ପ୍ରାକୃତିକ ସ୍ଥାନରେ ସୁଟ୍‌ ପାଇଁ ଏବେ କୋରାପୁଟ ଏକ ‌ଶ୍ରେଷ୍ଠ ବିକଳ୍ପ ପାଲଟିଛି। ସେହିଭଳି ପୁରୀ, କୋଣାର୍କ, ରମ୍ଭା ଓ ଚିଲିକାରେ ମଧ୍ୟ ଅଧିକାଂଶ ପ୍ରି-ୱେଡିଂ ‌ଫଟୋସୁଟ୍‌ ହେଉଥିବା ଦେଖିବାକୁ ମିଳୁଛି। ତେବେ ଅନେକ ଓଡ଼ିଶା ବାହାରର କୁଲ୍ଲୁ, ମନାଲି, କାଶ୍ମୀର ଓ ଭାଇଜାଗ୍‌ ଭଳି ସହରକୁ ବି ପସନ୍ଦ କରୁଛନ୍ତି ବୋଲି ଆମାଷ୍ଟ୍ରୋ ଇଭେଣ୍ଟ୍‌ସ୍‌ର ସ୍ବତ୍ବାଧିକାରୀ ନିରୋଜ କୁମାର ସାହୁ କହିଛନ୍ତି। ତେବେ ଫଟୋ ସୁଟ୍‌ ଓ ନିମନ୍ତ୍ରଣ ଭିଡିଓ ସୁଟ୍‌ ପାଇଁ ସମୁଦ୍ର କୂଳ, ପାହାଡ଼ିଆ ଅଞ୍ଚଳ ବେଶି ଚାହିଦାରେ ରହିଥିବା ବେଳେ ଭୁବନେଶ୍ବର ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣ ମଧ୍ୟ ଏବେ ସୁଟିଂ ପାଇଁ ଶ୍ରେଷ୍ଠ ସ୍ଥାନ ପାଲଟିଛି। ପ୍ରାଚୀନ ମନ୍ଦିର ପ୍ରାଙ୍ଗଣର ଫଟୋ ଓ ଭିଡିଓଗୁଡ଼ିକୁ ରାଜକୀୟ ତଥା ପାରମ୍ପରିକ ଲୁକ୍‌ ଦିଏ ବୋଲି ନିରୋଜ କହିଛନ୍ତି।

ସମ୍ବନ୍ଧିତ ଖବର