‘ରଙ୍ଗିନ ମାଛ ଚାଷ ମହିଳା କୃଷିଜୀବୀମାନଙ୍କୁ ରୋଜଗାର ଦେବ’

ସିଫା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଧଉଳି: କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସଂପଦ ମନ୍ତ୍ରୀ ପୁରୁ‌ଷୋତ୍ତମ ରୂପାଲା ଆଜି କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ସଂସ୍ଥା (ସିଫା) ପରିଦର୍ଶନ କରି ବିଭିନ୍ନ ଗବେଷଣାତ୍ମକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ସ୍ବତନ୍ତ୍ର ଭାବେ ଆୟୋଜିତ ଏକ ରଙ୍ଗିନ ମାଛଚାଷ ପ୍ରଦର୍ଶନୀକୁ ପରିଦର୍ଶନ କରି ରଙ୍ଗିନ ମାଛ ଚାଷ କ୍ଷୁଦ୍ରଚାଷୀମାନଙ୍କୁ ଅର୍ଥ ଉପାର୍ଜନ ପାଇଁ ଅଧିକ ସହାୟକ ହେବ ବୋଲି କହିଥିଲେ। ବିଶେ‌ଷକରି ମହିଳା କୃଷିଜୀବୀମାନଙ୍କୁ ଜୀବିକା ନିର୍ବାହ ପାଇଁ ପ୍ରୋତ୍ସାହିତ କରିବ ବୋଲି କହିଥିଲେ।

୧୦ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଯୋଗଦାନ କରିଥିବା ଉକ୍ତ ପ୍ରଦର୍ଶନୀକୁ ଦେଖି ମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ। ପ୍ରଶିକ୍ଷଣ ପ୍ରାପ୍ତ ମହିଳାମାନେ ମହୁ ଚାଷ, ଛତୁ ଚାଷ, ଜିଆଖତ ପ୍ରସ୍ତୁତି, ହସ୍ତ ଶିଳ୍ପ , ଧୂପକାଠି ପ୍ରସ୍ତୁତି, ଚାନ୍ଦୁଆ ତିଆରି ଏବଂ ପନିପରିବା ଚାଷ ଆଦି କରି ସ୍ବାବଲମ୍ବୀ ହୋ‌ଇପାରିଥିବା ନେଇ କେବିକେ ଖୋର୍ଧା ଓ ସିଫା ପଦସ୍ଥ ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ବୃକ୍ଷରୋପଣ କରିଥିଲେ। ଏଥିସହ ୨୩ ପ୍ରଜାତିର ମାଛ ଯଥା ଅନୁବଂଶୀୟ ରୋହି, ଭାକୁର, ‌ଚିଙ୍ଗୁଡ଼ି, କଉ, ଶେଉଳ, ମାଗୁର ଓ ମୁକ୍ତାଚାଷ ୟୁନିଟ୍‌ ପରିଦର୍ଶନ କରିଥିଲେ। କୃଷକମାନଙ୍କ ନିମନ୍ତେ ସିଫା ତରଫରୁ ଯୋଗାଇ ଦିଆଯାଉଥିବା ଜ୍ଞାନକୌଶଳ ଓ ଉତ୍ପାଦଗୁଡ଼ିକ ସଂପର୍କରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ମତ୍ସ୍ୟ ବିଜ୍ଞାନ ବିଭାଗର ଉପ ନିର୍ଦ୍ଦେଶକ ଡ. ଜେ.କେ ଜେନା ଓ ସିଫାର ନିର୍ଦ୍ଦେଶକ ଡ. ସରୋଜ କୁମାର ସ୍ବାଇଁ ପ୍ରମୁଖ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସଭାରେ ପଦ୍ମଶ୍ରୀ ବଟକୃଷ୍ଣ ସାହୁ ଓ ସୁରେନ୍ଦ୍ର ଭୋଳଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର